Nimapada Beautification Project ଅନ୍ଧାରରେ ଡୁବିଛି ନିମାପଡ଼ାର ୯୪ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ
ନିମାପଡ଼ା (ମୋହନ ପାତ୍ର): ନିମାପଡ଼ା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ବରିଷ୍ଠ ନାଗରିକଙ୍କ ପ୍ରାତଃଭ୍ରମଣ ଓ ପଥଚାରୀଙ୍କ ବିଶ୍ରାମ ପାଇଁ ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ତେବେ ପ୍ରାୟ ଦେଢ଼କିମି ରାସ୍ତାରେ ଆଲୋକୀକରଣ ଅଧାପନ୍ତରିଆ ହୋଇ ରହିଥିବାରୁ ଏବେ ଏହି ରାସ୍ତା ଅନୁପଯୋଗୀ ହୋଇପଡ଼ିଛି।
ଅନ୍ଧାରର ସୁଯୋଗରେ ଏହି ରାସ୍ତାରେ ନିଶାଡ଼ି ଓ ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳୀ ପାଲଟିଛି।
ବିଡ଼ମ୍ବନା, ଏଭଳି ଅବ୍ୟବସ୍ଥା ଓ ତ୍ରୁଟିବିଚ୍ୟୁତି ନେଇ ଆପତ୍ତି ଉଠିଲେ ପର୍ଯ୍ୟଟନ, ଡ୍ରେନେଜ୍, ଏନ୍ଏସି ଓ ବିଦ୍ୟୁତ୍ ବିଭାଗ ପରସ୍ପରକୁ ଅଙ୍ଗୁଳି ଦେଖାଉଛନ୍ତି।
Advertisment Car Accident: ହଂସପାଳ-ନିମାପଡ଼ା ରାସ୍ତାରେ କାର୍ ଦୁର୍ଘଟଣାଗ୍ରସ୍ତ, ୨ ବରଯାତ୍ରୀ ଗୁରୁତର ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି)କୁ ସୁନ୍ଦର ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ୨୦୨୫ ନଭେମ୍ବର ୧୦ରେ ଏନ୍ବିସି ମୁଖ୍ୟ କେନାଲର ବାମପାର୍ଶ୍ୱ ବନ୍ଧରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ୟମକ୍ରମେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୯୪ ଲକ୍ଷ ଟଙ୍କା ଅନୁଦାନରେ ଗଡ଼ଅଣ୍ଡିଆ ବ୍ରିଜ୍ଠାରୁ ଡେଲ୍ଟା ଛକ ବ୍ରିଜ୍ ପର୍ଯ୍ୟନ୍ତ ପାଦଚଲା ପଥକୁ ସରସ ସୁନ୍ଦର କରାଯାଇଥିଲା।
Nimapara Mahotsav ନିମାପଡ଼ା ଏନଏସିକୁ ଖୁବ ଶୀଘ୍ର ପୌରପରିଷଦ ଭାବେ ଘୋଷଣା କରାଯିବ: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାସ୍ତାରେ ଫେଭର ବ୍ଲକ୍ରେ ଚଲାପଥ ନିର୍ମାଣ, ପଥଚାରୀଙ୍କ ବିଶ୍ରାମ ପାଇଁ ସିମେଣ୍ଟ ଚେୟାର, କେନାଲ ଭିତରକୁ ଆବର୍ଜନା ପଡ଼ିବା ରୋକିବା ପାଇଁ ତାରଜାଲି ଏବଂ ଆକର୍ଷଣୀୟ ଆଲୋକୀକରଣ ବ୍ୟବସ୍ଥା କରିବାର ଯୋଜନା ରହିଥିଲା।
ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ବୋଲି ଏନ୍ଏସି କର୍ତ୍ତୃପକ୍ଷ କହିଥିଲେ।
ତେବେ ଆଲୋକୀକରଣ ସମସ୍ୟାର ସମାଧାନ ହୋଇପାରିନାହିଁ।
ପ୍ରାୟ ୧୩୦୦ ମିଟର ଦୀର୍ଘ ଏହି ରାସ୍ତାରେ ଉପଯୁକ୍ତ ବ୍ୟବସ୍ଥାରେ ଆଲୋକ ନଥିବାରୁ ସନ୍ଧ୍ୟା ହେଲେ ଯାତାୟାତ ଉପରେ ପ୍ରଭାବ ପଡ଼ୁଛି।
ଅନ୍ଧାରର ସୁଯୋଗ ନେଇ ମଦ୍ୟପମାନେ ଏଠାରେ ଆଡ୍ଡା ଜମାଉଥିବା ଅଭିଯୋଗ ହେଉଛି।
ସିମେଣ୍ଟ ଚେୟାର, ରାସ୍ତାକଡ଼ ଯେଉଁଠି ଦେଖିଲେ ଖାଲି ମଦବୋତଲ, ପ୍ଲାଷ୍ଟିକ୍ବୋତଲ, ଗ୍ଲାସ, ସିଗାରେଟ୍ ଖୋଳ, ଖାଲି ସିରିଞ୍ଜ୍ ଆଦି ଜମା ହୋଇଥିବା ଦେଖିବାକୁ ମିଳୁଛି।
ସନ୍ଧ୍ୟା ସମୟରେ ନିଶାଡ଼ିଙ୍କ ଦୌରାତ୍ମ୍ୟରେ ଦୋକାନୀମାନେ ହଇରାଣ ହେଉଥିବା ବେଳେ ସାଧାରଣ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।
ନିଶାସକ୍ତଙ୍କ କାର୍ଯ୍ୟକଳାପକୁ କେହି ବିରୋଧ କଲେ ସେମାନଙ୍କ ରୋଷର ଶିକାର ହେବାକୁ ପଡ଼ୁଥିବା ମଧ୍ୟ କୁହାଯାଉଛି।
ଫଳରେ ଯେଉଁ ରାସ୍ତା ବରିଷ୍ଠ ନାଗରିକଙ୍କ ପ୍ରାତଃଭ୍ରମଣ ଓ ସାଧାରଣ ଲୋକଙ୍କ ବିଶ୍ରାମ ପାଇଁ ଉଦ୍ଦିଷ୍ଟ ଥିଲା ତାହା ଏବେ ଅସୁରକ୍ଷିତ ପରିବେଶର ସମ୍ମୁଖୀନ ହେଉଛି।
ସରଦେଈପୁର-ନିମାପଡ଼ା ରାସ୍ତାରୁ ହଟିବ ଜବରଦଖଲ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ରକ୍ଷଣାବେକ୍ଷଣକୁ ନେଇ ନିମାପଡ଼ାର ଚାରିଟି ବିଭାଗ ସମ୍ପୃକ୍ତ ଥିବାବେଳେ ଆଲୋକୀକରଣ ସମସ୍ୟାର ସମାଧାନ ହୋଇପାରୁନାହିଁ।
ପ୍ରତ୍ୟେକ ବିଭାଗ ନିଜ ନିଜ ଯୁକ୍ତି ରଖୁଥିବା ବେଳେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ବାଟ ବାହାର କରିବାକୁ କେହି ଆଗେଇ ଆସୁନଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ପର୍ଯ୍ୟଟନ ବିଭାଗର ସହକାରୀ ଯନ୍ତ୍ରୀ ରାକେଶ ଧରଙ୍କୁ ଯୋଗାଯୋଗ କରାଯାଇଥିଲା, କିନ୍ତୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଠିକାଦାର ସୁବାସ ବିଶ୍ୱାଳଙ୍କ କହିଛନ୍ତି, ତାଙ୍କ ପକ୍ଷରୁ ନିର୍ଦ୍ଧାରିତ କାମ ଶେଷ ହୋଇଛି।
ବାକି କାର୍ଯ୍ୟ ଏନ୍ଏସି ପକ୍ଷରୁ କରାଯିବ।
ଏନ୍ଏସି ଅଧିକାରୀ ଚିନ୍ମୟ ଦାସ କହିଛନ୍ତି, ରାସ୍ତାର ଆଲୋକୀକରଣ କାର୍ଯ୍ୟ ପାଇଁ ନିଭ୍ ଏନର୍ଜିକୁ ଦୁଇଥର ଚିଠି ଲେଖାଯାଇଛି।
ହେଲେ ସଂସ୍ଥା ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ।
ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିମାପଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ଅପରପକ୍ଷରେ ନିଭ୍ ଏନର୍ଜିର ଅଧିକାରୀ ଶଶାଙ୍କ ଶେଖର ପରିଡ଼ାଙ୍କ କହିଛନ୍ତି, ସେମାନେ ପୂର୍ବରୁ ସ୍ଥାପନ କରିଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ଡ୍ରେନେଜ୍ ବିଭାଗ ଡ୍ରେନ୍ ଖୋଳିବା ସମୟରେ ହଟାଇ ଦେଇଥିଲା।
ଏହାକୁ ପୁନଃସ୍ଥାପନ କରିବା ପାଇଁ ଏନ୍ଏସି ବିଲ୍ ପାସ୍ କରୁନଥିବାରୁ କାମ ଅଧାରେ ଅଟକି ରହିଛି।
ଏହାର ଜବାବରେ ଡ୍ରେନେଜ୍ ବିଭାଗର ସହକାରୀ ଯନ୍ତ୍ରୀ ବିଭୂତି ମଲ୍ଲିକ କହିଛନ୍ତି ଯେ ଡ୍ରେନ୍ ଖୋଳିବା ପୂର୍ବରୁ ନିଭ୍ ଏନର୍ଜି କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିଲା।
ତେଣୁ ବିଭାଗ ନିଜ ଇଚ୍ଛାରେ କିଛି କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।