NITI Aayog Highlights 12 Priority Sectors: ଗ୍ଲୋବାଲ୍ ଫ୍ୟାକ୍ଟ୍ରି ହେବ ଭାରତ! ନୀତି ଆୟୋଗ ଦେଖାଇଲା ବଡ଼ ରାସ୍ତା
ଭାରତକୁ ବିଶ୍ୱର ଏକ ବଡ଼ ମାନୁଫାକ୍ଚରିଂ ହବ୍ କରିବାକୁ ନୂଆ ରଣନୀତି। ୨୦୪୭ ସୁଦ୍ଧା ଭାରତକୁ ଗ୍ଲୋବାଲ୍ ମାନୁଫାକ୍ଚରିଂ ହବ୍ କରିବାରେ ସହାୟକ ହୋଇପାରୁଥିବା ୧୨ଟି ପ୍ରମୁଖ ସେକ୍ଟର ଚିହ୍ନଟ କରିଛି ନୀତି ଆୟୋଗ। ଏହାର ଲକ୍ଷ୍ୟ କେବଳ ଉତ୍ପାଦନ ବଢ଼ାଇବା ନୁହେଁ, ଭାରତରେ ନିବେଶ, ଚାକିରି ଓ ରପ୍ତାନି ବଢ଼ାଇ ବିଶ୍ୱ ସପ୍ଲାଏ ଚେନ୍ରେ ଦେଶର ଭୂମିକା ମଜବୁତ କରିବା।
ନୀତି ଆୟୋଗର ନୂଆ ରିପୋର୍ଟ ‘ଭାରତକୁ ବିଶ୍ୱସ୍ତରୀୟ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାର ପ୍ରମୁଖ ସେକ୍ଟରଗୁଡ଼ିକ’ରେ ଇଲେକ୍ଟ୍ରୋନିକ୍ସ, ଟେଲିକମ୍ ଓ ନେଟୱର୍କ ଉପକରଣ, ସୋଲାର PV, ଫାର୍ମାସ୍ୟୁଟିକାଲ୍ସ, କେମିକାଲ୍ସ, ଅଟୋମୋବାଇଲ୍, ଡିଫେନ୍ସ ଓ ଡ୍ରୋନ୍ ଭଳି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ପ୍ରଥମେ ୬୨ଟି କ୍ଷେତ୍ରକୁ ବିଚାର କରାଯାଇଥିଲା, ବଜାରର ଆକାର, ଭବିଷ୍ୟତ ବୃଦ୍ଧି, ରୋଜଗାର ସମ୍ଭାବନା ଓ ରଣନୈତିକ ଗୁରୁତ୍ୱ ଆଧାରରେ ୧୨ଟି ସେକ୍ଟରକୁ ଚୟନ କରାଯାଇଛି।
ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ କହିଛନ୍ତି, ଗ୍ଲୋବାଲ୍ ମାନୁଫାକ୍ଚରିଂ ହବ୍ ହେବାକୁ ଭାରତକୁ ଲାଭଜନକ ନିବେଶ ସୁଯୋଗ ଏବଂ ବଡ଼ ପରିମାଣରେ ଉତ୍ପାଦନର ସୁବିଧା ସୃଷ୍ଟି କରିବାକୁ ପଡ଼ିବ। ଏଥିପାଇଁ ଅଧିକାଂଶ ନିବେଶ ଘରୋଇ କ୍ଷେତ୍ରରୁ ଆସିବା ଦରକାର ବୋଲି ସେ କହିଛନ୍ତି।
ତେବେ ଏହି ଦିଗରେ ଚାରି ସେକ୍ଟର ଉପରେ ବିଶେଷ ଫୋକସ୍ ରହିଛି। ରିପୋର୍ଟରେ କେମିକାଲ୍ସ, ଟେକ୍ସଟାଇଲ୍ସ, ଟେଲିକମ୍ ଓ ନେଟୱର୍କ ଉପକରଣ, ଏବଂ ସୋଲାର PV ମାନୁଫାକ୍ଚରିଂକୁ ବିସ୍ତୃତ ଭାବେ ବିଶ୍ଳେଷଣ କରାଯାଇଛି। ଏହି ସେକ୍ଟରଗୁଡ଼ିକରେ ଚାକିରିଠାରୁ ଆରମ୍ଭ କରି ଡିଜିଟାଲ୍ ଭିତ୍ତିଭୂମି ଓ ସ୍ୱଚ୍ଛ ଶକ୍ତି ପର୍ଯ୍ୟନ୍ତ ବଡ଼ ସୁଯୋଗ ରହିଛି।
ଭାରତ ୨୦୪୭ ସୁଦ୍ଧା ୩୦ ଟ୍ରିଲିୟନ୍ ଡଲାରର ଅର୍ଥନୀତି ହେବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଦେଶର ମୋଟ ଭାଲ୍ୟୁ ଆଡିସନ (GVA)ରେ ମାନୁଫାକ୍ଚରିଂର ଅବଦାନ ପ୍ରାୟ ୧୭.୫% ଏବଂ ଆର୍ଥିକ ବର୍ଷ 22ରେ ଏହି କ୍ଷେତ୍ର ପ୍ରାୟ ୧.୮୫ କୋଟି ଚାକିରିକୁ ସମର୍ଥନ କରିଥିଲା।
ରିପୋର୍ଟ ଅନୁସାରେ, ଆଗାମୀ ୫ଟି ଆର୍ଥିକ ବର୍ଷରେ କେମିକାଲ୍ସର ଚାହିଦା ପ୍ରତିବର୍ଷ ୧୦-୧୧% ଏବଂ ଉତ୍ପାଦନ ପ୍ରାୟ ୧୪% ବଢ଼ିବା ଆବଶ୍ୟକ। ୨୦୩୦ ସୁଦ୍ଧା ସ୍ପେସିଆଲିଟି କେମିକାଲ୍ସରେ ୪୫ ବିଲିୟନ୍ ଡଲାର, ଇନଅର୍ଗାନିକ୍ କେମିକାଲ୍ସରେ ୫-୧୦ ବିଲିୟନ୍ ଡଲାର ଏବଂ ପେଟ୍ରୋକେମିକାଲ୍ସରେ ୨୬ ବିଲିୟନ୍ ଡଲାରର ରପ୍ତାନି ସୁଯୋଗ ଥିବା ଆକଳନ କରାଯାଇଛି।
ସେହିଭଳି ଟେକ୍ସଟାଇଲ୍ ସେକ୍ଟର ଭାରତର GDPର ପ୍ରାୟ ୨%, ମାନୁଫାକ୍ଚରିଂ GVAର ୧୧% ଏବଂ ମର୍ଚେଣ୍ଡାଇଜ୍ ରପ୍ତାନିର ୯% ଅବଦାନ ଦେଉଛି। ଆର୍ଥିକ ବର୍ଷ 25ରେ ଭାରତ ପ୍ରାୟ ୩୭.୭ ବିଲିୟନ୍ ଡଲାରର ଟେକ୍ସଟାଇଲ୍ ପ୍ରଡକ୍ଟ ରପ୍ତାନି କରିଥିଲା ଏବଂ ଏହି ଶିଳ୍ପରେ ୪.୫ କୋଟିରୁ ଅଧିକ ଲୋକ ନିଯୁକ୍ତ ଅଛନ୍ତି।
ତେବେ ମାନବ ନିର୍ମିତ ଫାଇବର୍ ବା MMFରେ ଭାରତକୁ ଆହୁରି ପ୍ରତିଯୋଗୀ ହେବାକୁ ପଡ଼ିବ। କଞ୍ଚାମାଲର ମୂଲ୍ୟ କମାଇବା, ଉତ୍ପାଦନ ବଢ଼ାଇବା, ନୂଆ ପ୍ରଯୁକ୍ତି ଆପଣାଇବା ଓ ବିଦେଶୀ ବଜାର ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଟେଲିକମ୍ ଓ ନେଟୱର୍କ ଉପକରଣର ଘରୋଇ ବଜାର ଆର୍ଥିକ ବର୍ଷ 25ରେ ପ୍ରାୟ ୨୫ ବିଲିୟନ୍ ଡଲାର ଥିବା ବେଳେ ୨୦୩୨ ସୁଦ୍ଧା ଏହା ୫୦ ବିଲିୟନ୍ ଡଲାର ହୋଇପାରେ। କିନ୍ତୁ ରପ୍ତାନି ଏବେ ମଧ୍ୟ କମ୍। ୨୦୨୦ରୁ ୨୦୨୪ ମଧ୍ୟରେ ବାର୍ଷିକ ୦.୬ରୁ ୧ ବିଲିୟନ୍ ଡଲାର ମଧ୍ୟରେ ଥିଲା, ଯେତେବେଳେ ଆମଦାନୀ ପ୍ରାୟ ୪ରୁ ୫ ବିଲିୟନ୍ ଡଲାର ଥିଲା। ବିଶେଷ କରି ଚୀନ୍ ଉପରେ ନିର୍ଭରତା ଅଧିକ। ଗୁରୁତ୍ୱପୂର୍ଣ୍ଣ କମ୍ପୋନେଣ୍ଟର ୮୦%ରୁ ଅଧିକ ଆମଦାନୀ ଚୀନ୍ରୁ ଆସୁଥିବା ରିପୋର୍ଟରେ କୁହାଯାଇଛି।
ସୋଲାର PV ମାନୁଫାକ୍ଚରିଂରେ ଭାରତ ମଡ୍ୟୁଲ୍ ଓ ସେଲ୍ ଉତ୍ପାଦନରେ ଭଲ ଅଗ୍ରଗତି କରିଛି। କିନ୍ତୁ ପଲିସିଲିକନ୍ ଓ ୱେଫର୍ ଭଳି ମୁଖ୍ୟ କଞ୍ଚାମାଲ ପାଇଁ ଏବେ ମଧ୍ୟ ଆମଦାନୀ ଉପରେ ନିର୍ଭରଶୀଳତା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।