No Books, No Pens: ସ୍ମାର୍ଟ କ୍ଲାସ୍‌ରୁମ୍ ନୁହେଁ, ବାଲି ଆଉ କାଠିରେ ପାଠ ପଢ଼ାଉଛନ୍ତି ୮୫ ବର୍ଷୀୟା ଜେଜେମା’!

Oct 25, 2026 - 16:47
No Books, No Pens: ସ୍ମାର୍ଟ କ୍ଲାସ୍‌ରୁମ୍ ନୁହେଁ, ବାଲି ଆଉ କାଠିରେ ପାଠ ପଢ଼ାଉଛନ୍ତି ୮୫ ବର୍ଷୀୟା ଜେଜେମା’!

ଆଜିର ଡିଜିଟାଲ୍ ଯୁଗରେ ପାଠପଢ଼ା ପାଇଁ ସ୍ମାର୍ଟ କ୍ଲାସ୍‌ରୁମ୍‌, ଡିଜିଟାଲ୍ ବୋର୍ଡ ଓ ଦାମୀ ଶିକ୍ଷା ଉପକରଣର ବ୍ୟବହାର ବଢ଼ୁଛି।

ହେଲେ କେରଳର ଜଣେ ୮୫ ବର୍ଷୀୟା ବୃଦ୍ଧା ନିଜର ନିଆରା ଶିକ୍ଷାଦାନ ପ୍ରଣାଳୀ ପାଇଁ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ।

ନା ଅଛି ଦାମୀ ବହି, ନା ଖାତା କିମ୍ବା କଲମ।

କେବଳ ଟିକିଏ ବାଲି ଓ ଏକ ଛୋଟ କାଠିରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଏହି ଜେଜେମା'।

ତାଙ୍କର ଏହି ନିଆରା ଶିକ୍ଷାଦାନ ଶୈଳୀ ଲୋକଙ୍କ ମନ ଜିଣିବା ସହ ଶିକ୍ଷାର ପ୍ରକୃତ ଅର୍ଥକୁ ମନେ ପକାଇ ଦେଇଛି।

Advertisment କେରଳର ଆଲାପ୍ପୁଝା ଜିଲ୍ଲାରେ ରହୁଥିବା ଏହି ବୃଦ୍ଧାଙ୍କୁ ସ୍ନେହରେ 'ଆଶାଟ୍ଟି ଆମ୍ମୁମ୍ମା' ବା 'ଇନ୍ଦିରା ଆମ୍ମା' ବୋଲି ଡକାଯାଏ।

ପ୍ରାୟ ୧୦ ବର୍ଷ ଧରି ସେ ପିଲାମାନଙ୍କୁ ଏହି ପାରମ୍ପରିକ ପ୍ରଣାଳୀରେ ଶିକ୍ଷାଦାନ କରିଆସୁଛନ୍ତି।

କେରଳର ପାରମ୍ପରିକ 'ଆଶାନ କଲରି' ଶିକ୍ଷା ପଦ୍ଧତି ସହ ଜଡ଼ିତ ଏହି ଶୈଳୀ ଏବେ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ତାଙ୍କର ପାଠ ପଢ଼ାଇବାର ନିଆରା ଶୈଳୀ ଦେଖିବାକୁ ମିଳିଛି।

ଏକ ବାରଣ୍ଡାରେ ଚଟାଣ ଉପରେ ବସିଛନ୍ତି ଛୋଟ ଛୋଟ ପିଲା।

ଆଉ ସେମାନଙ୍କ ସାମ୍ନାରେ ବାଲି ଢାଳି ଏହାକୁ ସମତଳ କରୁଛନ୍ତି ଇନ୍ଦିରା ଆମ୍ମା।

ପରେ ଏକ ଛୋଟ କାଠି ସାହାଯ୍ୟରେ ବାଲି ଉପରେ ଅକ୍ଷର ଲେଖି ପିଲାମାନଙ୍କୁ ଶିଖାଉଛନ୍ତି।

Advertisment ଧଳା ଶାଢ଼ି ପିନ୍ଧିଥିବା ଏହି ବୃଦ୍ଧା ଜଣକ ଇଂରାଜୀ ଓ ମାଲାୟାଲମ୍ ଅକ୍ଷର ସହ ସେଗୁଡ଼ିକର କର୍ସିଭ୍ ଲେଖା ଶୈଳୀ ମଧ୍ୟ ଦେଖାଉଛନ୍ତି।

ପିଲାମାନେ ତାଙ୍କୁ ଧ୍ୟାନର ସହ ଦେଖିବା ପରେ ନିଜ ଆଙ୍ଗୁଠିରେ ବାଲି ଉପରେ ସେହି ଅକ୍ଷରଗୁଡ଼ିକୁ ଲେଖିବାକୁ ଚେଷ୍ଟା କରୁଛନ୍ତି।

ଖାତା ନାହିଁ କି କଲମ, ତଥାପି ଚାଲିଛି ପାଠପଢ଼ା ଏହି ଶିକ୍ଷାଦାନ ପ୍ରଣାଳୀର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ପିଲାମାନେ ବାରମ୍ବାର ଲେଖି ଅଭ୍ୟାସ କରିପାରୁଛନ୍ତି।

ଅକ୍ଷର ଭୁଲ୍ ହେଲେ ତାହାକୁ ଲିଭାଇ ପୁଣିଥରେ ଲେଖିବାର ସୁଯୋଗ ମିଳୁଛି।

ଏଥିପାଇଁ ନୂଆ ଖାତା କିମ୍ବା କାଗଜର ଆବଶ୍ୟକତା ନାହିଁ।

କେବଳ ଅକ୍ଷର ନୁହେଁ, ପିଲାମାନଙ୍କୁ ସଂଖ୍ୟା ଓ ଗଣିତ ମଧ୍ୟ ଶିଖାଉଛନ୍ତି ଏହି ଜେଜେମା'।

ମାଲାୟାଲମ୍‌, ହିନ୍ଦୀ ଓ ଇଂରାଜୀ ଭଳି ଭାଷାର ଶିକ୍ଷା ମଧ୍ୟ ଏହି ସରଳ ପ୍ରଣାଳୀରେ ଦିଆଯାଉଛି ବୋଲି ଭିଡିଓ ସହ ଦିଆଯାଇଥିବା ସୂଚନାରେ ଉଲ୍ଲେଖ ରହିଛି।

ପିଲାମାନେ ନିଜେ ଲେଖିବା ସହ ଶିକ୍ଷକଙ୍କୁ ଦେଖି ଶିଖୁଥିବାରୁ ପାଠପଢ଼ା ଅଧିକ ଆକର୍ଷଣୀୟ ହେଉଛି।

ଏହି ଦୃଶ୍ୟ ଅନେକଙ୍କୁ ନିଜ ପିଲାଦିନର ସ୍ମୃତି ମନେ ପକାଇ ଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।