Unique Teaching Method Goes Viral: ନା ବହି, ନା କଲମ... ବାଲିରେ ଲେଖି ପିଲାଙ୍କୁ ପାଠ ପଢ଼ାଉଛନ୍ତି ୮୫ ବର୍ଷୀୟା ଜେଜେମା’, ଭିଡିଓ ଭାଇରାଲ୍
ସ୍ମାର୍ଟ କ୍ଲାସ୍ ଓ ଡିଜିଟାଲ୍ ଶିକ୍ଷା ଯୁଗରେ ଚର୍ଚ୍ଚାରେ କେରଳର ଜଣେ ୮୫ ବର୍ଷୀୟା ବୃଦ୍ଧା।
ବିନା ବହି, ଖାତା ଓ କଲମରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜେଜେମା'।
କେବଳ ବାଲି ଓ ଗୋଟିଏ ଛୋଟ କାଠି ସାହାଯ୍ୟରେ ପିଲାଙ୍କୁ ଅକ୍ଷର ଲେଖା ଶିଖାଉଛନ୍ତି।
ତାଙ୍କର ଏହି ନିଆରା ଶିକ୍ଷାଦାନ ପଦ୍ଧତି ସୋସିଆଲ ମିଡିଆରେ ଲୋକଙ୍କ ହୃଦୟ ଜିତୁଛି।
Advertisment ଆଜିକାଲି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସ୍ମାର୍ଟ ବୋର୍ଡ, କମ୍ପ୍ୟୁଟର ଓ ଅନେକ ଦାମୀ ଡିଜିଟାଲ୍ ଉପକରଣ ବ୍ୟବହାର କରାଯାଉଛି।
ହେଲେ କେରଳର ଜଣେ ବୃଦ୍ଧା ମହିଳା ଶିକ୍ଷାଦାନର ଏମିତି ଏକ ସରଳ ଉପାୟ ଆପଣାଇଛନ୍ତି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।
ତାଙ୍କ ପାଖରେ ନା ଅଛି ବ୍ଲାକବୋର୍ଡ, ନା ଅଛି ଚକ୍ କିମ୍ବା ଦାମୀ ଗ୍ୟାଜେଟ୍।
ମାତ୍ର ମୁଠାଏ ବାଲି ଓ ଖଣ୍ଡିଏ କାଠି ସାହାଯ୍ୟରେ ସେ କୁନି କୁନି ପିଲାଙ୍କୁ ପାଠ ପଢ଼ାଉଛନ୍ତି।
ଏହି ବୃଦ୍ଧାଙ୍କ ନାଁ ଇନ୍ଦିରା ଅମ୍ମା।
ତାଙ୍କୁ ସ୍ନେହରେ ଆଶାଟ୍ଟି ଅମ୍ମୁମ୍ମା ବୋଲି ଡକାଯାଏ।
ରିପୋର୍ଟ ଅନୁସାରେ, ତାଙ୍କ ବୟସ ପ୍ରାୟ ୮୫ ବର୍ଷ।
ସେ କେରଳର ଆଲାପ୍ପୁଝା ଜିଲ୍ଲାର ବାସିନ୍ଦା।
ଗତ ପ୍ରାୟ ୧୦ ବର୍ଷ ଧରି ପିଲାଙ୍କୁ ଶିକ୍ଷାଦାନ କରୁଥିବା କୁହାଯାଉଛି।
ତାଙ୍କର ଏହି ପଦ୍ଧତି କେରଳର ପାରମ୍ପରିକ 'ଆଶାନ କଲାରି' ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ।
Advertisment ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @mom_of_safaachiiii ନାମକ ଆକାଉଣ୍ଟରୁ ଏହି ଭିଡିଓ ସେୟାର କରାଯାଇଛି।
ଭିଡିଓରେ ବୃଦ୍ଧା ଜଣକ ଏକ ବାଲ୍ଟିରେ ବାଲି ଆଣି ତଳେ ବିଛାଉଥିବା ନଜର ଆସିଛନ୍ତି।
ଏହାପରେ ଏକ ଛୋଟ କାଠି ସାହାଯ୍ୟରେ ବାଲିକୁ ସମାନ କରି ସେଥିରେ ଇଂରାଜୀ ଅକ୍ଷର ଲେଖୁଛନ୍ତି।
ଏପରିକି ପିଲାଙ୍କୁ କର୍ସିଭ୍ ଲେଖା ମଧ୍ୟ ଶିଖାଉଛନ୍ତି।
ସବୁଠୁ ଆକର୍ଷଣୀୟ କଥା ହେଉଛି, ପିଲାମାନେ ଜେଜେମା'ଙ୍କ ସାମ୍ନାରେ ବସି ଅତି ଆଗ୍ରହର ସହ ପାଠ ଶିଖୁଛନ୍ତି।
ବୃଦ୍ଧା ଜଣକ ବାଲିରେ ଅକ୍ଷର ଲେଖିବା ପରେ ପିଲାମାନେ ନିଜ ଆଙ୍ଗୁଠି ସାହାଯ୍ୟରେ ସେହି ଅକ୍ଷରକୁ ଅନୁକରଣ କରୁଛନ୍ତି।
ଭୁଲ୍ ହେଲେ ବାଲିକୁ ସମାନ କରି ପୁଣିଥରେ ଅଭ୍ୟାସ କରୁଛନ୍ତି।
ଫଳରେ ବିନା କାଗଜ ନଷ୍ଟରେ ପିଲାମାନେ ବାରମ୍ବାର ଲେଖା ଅଭ୍ୟାସ କରିପାରୁଛନ୍ତି।
View this post on Instagram ଏହି ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି।
ଅନେକ ୟୁଜର୍ସ ବୃଦ୍ଧାଙ୍କ ଧୈର୍ଯ୍ୟ, ସରଳତା ଓ ଶିକ୍ଷାଦାନ ପ୍ରତି ସମର୍ପଣ ଭାବକୁ ପ୍ରଶଂସା କରିଛନ୍ତି।
ଜଣେ ୟୁଜର୍ ମତ ଦେଇଛନ୍ତି ଯେ, ପାଠ ପଢ଼ାଇବା ପାଇଁ ସବୁବେଳେ ଟଙ୍କାର ଆବଶ୍ୟକତା ନାହିଁ, କେବଳ ଏକ ଭଲ ଚିନ୍ତାଧାରା ଦରକାର।
ବୃଦ୍ଧାଙ୍କ ଏହି ପ୍ରୟାସ ପ୍ରମାଣ କରୁଛି ଯେ, ଶିକ୍ଷାଦାନ କେବଳ ଦାମୀ ଉପକରଣ କିମ୍ବା ଆଧୁନିକ ଜ୍ଞାନକୌଶଳ ଉପରେ ନିର୍ଭରଶୀଳ ନୁହେଁ।
ଶିକ୍ଷକଙ୍କ ନିଷ୍ଠା, ଧୈର୍ଯ୍ୟ ଓ ସୃଜନଶୀଳତା ମଧ୍ୟ ପିଲାଙ୍କ ଶିକ୍ଷା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ।
ଆଶାଟ୍ଟି ଅମ୍ମୁମ୍ମାଙ୍କ ଏହି ନିଆରା ପାଠଶାଳା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।