No Electricity For Months: ସ୍ୱାଧୀନତାର ୭୯ବର୍ଷ ପରେ ବି ଗାଁରେ ପହଞ୍ଚିନି ବିଦ୍ୟୁତ ସେବା; ମାସ ମାସ ହେଲାଣି ଗାଁରେ ନାହିଁ ଆଲୁଅ

Sep 18, 2026 - 18:22
No Electricity For Months: ସ୍ୱାଧୀନତାର ୭୯ବର୍ଷ ପରେ ବି ଗାଁରେ ପହଞ୍ଚିନି ବିଦ୍ୟୁତ ସେବା; ମାସ ମାସ ହେଲାଣି ଗାଁରେ ନାହିଁ ଆଲୁଅ

ସ୍ୱାଧୀନତାର ୭୯ବର୍ଷ ପରେ ବି ଗାଁରେ ପହଞ୍ଚିନି ବିଦ୍ୟୁତ ସେବା। ତିନି ମାସ ହେଲାଣି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ୧୫ରୁ ଉର୍ଦ୍ଧ୍ବ ଗାଁରେ ନାହିଁ ବିଦ୍ୟୁତ ସେବା। ଫଳରେ ଅନ୍ଧାରରେ ରହିଛି ପୁରା ଗାଁ। ରାତି ହେଲେ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବାରମ୍ବାର ବିଦ୍ୟୁତ ପାଇଁ ଅଭିଯୋଗ ପରେ ବି ବିଭାଗ ସାଜିଛି ନୀରବ ଦ୍ରଷ୍ଟା। 

ଗଞ୍ଜାମ ପାତ୍ରପୁର ବ୍ଲକର ଦୁର୍ଗମ ପାହାଡିଆ ଅଞ୍ଚଳର ଲୋକଙ୍କ ପାଇଁ ବିଦ୍ୟୁତ ସେବା ଯେମିତି ସାତ ସପନ ପାଲଟିଛି। ଏଠାରେ ସନ୍ଧ୍ୟା ହେଲା ମାତ୍ରେ ଗାଁରେ ପଡୁଛି ତାଟିକବାଟ। ଏ ଦିନେ କି ଦୁଇଦିନର ସମସ୍ୟା ନୁହେଁ। ଗତ ତିନି ମାସରୁ ଅଧିକ ସମୟ ହେଲାଣି ବିନା ବିଦ୍ୟୁତ ସଂଯୋଗରେ ବଂଚୁଛନ୍ତି ଉପାନ୍ତ ଆଦିବାସୀ ଅଂଚଳର ୧୫ଖଣ୍ଡ ଗାଁର ଲୋକେ।

ବ୍ଲକରେ ତୁମ୍ବା, ବୁରାତାଲ ପଞ୍ଚାୟତର ଗୁଡ଼ିପଦର, ଡାବୁଥଳି, ତାଳବାଡ଼, ଆଡ଼ପଥର ଓ ସୋରଡ଼ା ଭଳି ଉପାନ୍ତ ଆଦିବାସୀ ଗାଁ ରହିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଏହି ସବୁ ଗାଁକୁ ବିଦ୍ୟୁତ ଯାଇଛି ସତ, କିନ୍ତୁ ତିନି ମାସ ହେଲାଣି ବିନା ବିଦ୍ୟୁତରେ ରହି ଆସୁଛନ୍ତିି ଲୋକେ। ସଂପୂର୍ଣ୍ଣ ଜଙ୍ଗଲିଆ ଅଂଚଳରେ ଗାଁଗୁଡ଼ିକ ଥିବାବେଳେ ବିଦ୍ୟୁତ ନଥିବାରୁ ରାତିରେ ପିଲାଙ୍କ ପାଠ ପଢିବା ପାଇଁ ଏକମାତ୍ର ସାହାରା ପାଲଟିଛି ଡିବି ଓ ଲଣ୍ଠନ ଆଲୁଅ । ଗୋଟେପଟେ ଗାଁରେ ହିଂସ୍ର ଜନ୍ତୁଙ୍କ ଭୟ, ଆଉ ଅନ୍ୟପଟେ ଅନ୍ଧାର ଆଦିବାସୀଙ୍କ ସମସ୍ୟାକୁ ଦୁଗୁଣିତ କରିଛି। 

୨୦୧୮ ମସିହାରେ ଏହି ଗାଁଗୁଡିକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । କିନ୍ତୁ ଧର୍ମକୁ ଆଖିଠାର ମାରିଲା ଭଳି ତାହା କେବଳ ଯୋଜନାରେ ହିଁ ରହିଯାଇଛି। ବିଦ୍ୟୁତ ପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ବିଦ୍ୟୁତ ବିଭାଗ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ପରେ ବି ଉପାନ୍ତ ଅଞ୍ଚଳ ହୋଇଥିବାରୁ କୌଣସି ଅଧିକାରୀ ଯେମିତି ଏଥିପ୍ରତି ଆଖି ବୁଜିଦେଇଛନ୍ତି। ସମସ୍ୟା ନେଇ ଚିକିଟି ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି ୧୫ରୁ ୨୦ଟି ଗାଁକୁ ଗଜପତି ଜିଲ୍ଲା ଏବଂ ଆନ୍ଧ୍ରରୁ ବିଦ୍ୟୁତ ଲାଇନ ଆସିଛି। ସେମାନଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନେଉନାହାଁନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।