No Major Dam or Strong Embankment: ଲଗାଣ ବର୍ଷା ଯୋଗୁ ବିପତ୍ତି ଆଣୁଛିି ବୈତରଣୀ, ବଡ଼ ଡ୍ୟାମ୍ ନାହିଁ କି ବିରାଟ ନଦୀ ବନ୍ଧ ନାହିଁ
ବୈତରଣୀର ବଢିପାଣିକୁ ରୋକିବାକୁ ନାହିଁ ବଡ଼ ବ୍ୟବସ୍ଥା। ପାଣି ନିୟନ୍ତ୍ରଣ କରିବାକୁ ନିର୍ମାଣ ହୋଇନି କୌଣସି ବଡ ଡ୍ୟାମ। ଫଳରେ ବୈତରଣୀର ଉଛୁଳା ଜଳ ଉପରେ ରହୁନି ନିୟନ୍ତ୍ରଣ। କେନ୍ଦୁଝର ଗୋନାସିକାରୁ ବାହାରିଥିବା ଚିରସ୍ରୋତା ବୈତରଣୀ ଜିଲ୍ଲାର ବାଂଶପାଳ, ଯୋଡା, ଚମ୍ପୁଆ, ପାଟଣା, ସାହାରପଡା, ଘସିପୁରା, ଆନନ୍ଦପୁର ଓ ହାଟଡିହି ବ୍ଲକ୍ ଦେଇ ଭଦ୍ରକରେ ପ୍ରବେଶ କରିଛି। ଭିତରେ ଭିତରେ ମିଶିଛି ଛୋଟ ବଡ ଅନେକ ଶାଖା ନଦୀ। ଲଗାଣ ବର୍ଷା ହେଲେ ପ୍ରବଳ ବେଗରେ ପାହାଡରୁ ମାଡି ଆସେ ପାଣି। ତୁରନ୍ତ ଫୁଲିଉଠେ ନଦୀ।
୧୯୮୫ ମସିହାରେ ଯୋଡାରେ କାନପୁର ବୃହତ୍ ନଦୀବନ୍ଧ ଯୋଜନା ହୋଇଥିଲା। ହେଲେ ଏଯାଏଁ କାମ ସମ୍ପୂର୍ଣ୍ଣ ହୋଇନି। ସେହିପରି ଆନନ୍ଦପୁରରେ ତିଆରି ହୋଇଛି ବ୍ୟାରେଜ୍। ତାର ବି ଗୋଟିଏ ପଟ କେନାଲ କମ୍ପ୍ଲିଟ୍ ହୋଇନି। ତାଞ୍ଝୋରିରେ ଛୋଟିଆ ଡ୍ୟାମ୍ ଟିଏ ଅଛି। ହେଲେ ତାହା ବନ୍ୟା ପାଣି ରୋକିବାକୁ ପର୍ଯ୍ୟାପ୍ତ ନୁହେଁ। ସେପଟେ ସିଙ୍ଗନାଳୀରେ ବୈତରଣୀ ପାୱାର ପ୍ରୋଜେକ୍ଟ କାମ କରୁଛି। ତେବେ ବନ୍ୟା ଜଳର ନିୟନ୍ତ୍ରଣ ପାଇଁ ନାହିଁ କୌଣସି ବଡଧରଣର ବ୍ୟବସ୍ଥା।
କେନ୍ଦୁଝର ଓ ମୟୂରଭଞ୍ଜ ପରି ଉପରମୁଣ୍ଡ ଜିଲ୍ଲାଗୁଡ଼ିକରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେଲେ ପାଣି ବୈତରଣୀ ନଦୀକୁ ଆସିଯାଏ। ଆନନ୍ଦପୁର ଓ ଆଖୁଆପଦା ଭଳି ସ୍ଥାନରେ ଜଳସ୍ତର ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇ ବିପଦ ସଙ୍କେତ ଟପିଯାଏ। ବୈତରଣୀର ବାମପାର୍ଶ୍ବ ଭଦ୍ରକରେ ୭ଟି ଏସକେପ୍ ରହିଛି। ସେଥିରୁ ୫ଟି ଧାମନଗରରେ ଏବଂ ୨ଟି ଭଣ୍ଡାରୀପୋଖରୀରେ ରହିଛି।
ନଦୀରେ ପାଣି ବିପଦସଙ୍କେତ ଉପରକୁ ଆସିଗଲେ ଏହି ନିଷ୍କାସନ ବାଟ ଦେଇ ସଙ୍ଗେ ସଙ୍ଗେ ଜନବସତିକୁ ମାଡିଯାଉଛି। ଜିଲ୍ଲାରେ ଆଣୁଛି ବନ୍ୟା ବୀଭିଷିକା। ଜିଲ୍ଲାର ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ଓ ତିହିଡିରେ ସାଂଘାତିକ ହେଉଛି ସ୍ଥିତି। ଟେକନିକାଲ ଟିମ୍ ଦ୍ବାରା ବୈତରଣୀ ବନ୍ୟା ସ୍ଥିତିର ଅନୁଧ୍ୟାନ କରିବା ନେଇ ମତ ପ୍ରକାଶ ପାଇଛି।
ଗାଁ ଗାଁକୁ ଘେରି ରହିଛି ବୈତରଣୀର ବଢି ପାଣି। ହଜାର ହଜାର ଲୋକ ଜଳବନ୍ଦୀ। ଗୋଟିଏ ବନ୍ୟାର ବିପତ୍ତି ନଯାଉଣୁ ମାଡି ଆସୁଛି ଆଉ ଗୋଟିଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଲଗାଣ ବର୍ଷା ପରେ ବନ୍ୟା ଜଳ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରଳୟ ରଚିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହୋଇ ଘାଇ ସୃଷ୍ଟି ହେବା ସହ ଗାଁ ଓ ଚାଷଜମିକୁ ମାଡିଯାଇଛି ପାଣି। ତେଣୁ ବୈତରଣୀର ବନ୍ୟା ନିୟନ୍ତ୍ରଣ କରିବାକୁ ହେଲେ ବଡ ମାଷ୍ଟରପ୍ଲାନ ସହ ହୀରାକୁଦ ଭଳି ବ୍ୟବସ୍ଥା ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।