North Odisha Battles Repeated Floods: ଦେଢମାସ ହେଲାଣି ପାଣି ଛାଡୁନି, ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା
ପିଛା ଛାଡୁନି ବଢି ପାଣି। ସୁବର୍ଣ୍ଣରେଖାରେ ପୁଣି ଆସିଛି ବନ୍ୟା। ଜଳସ୍ତର ବିପଦସଙ୍କେତ ଉପରେ ଥିବା ବେଳେ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜରୁ ୧୩ଟି ଗେଟ୍ ଖୋଲାଯିବା ପରେ ସ୍ଥିତି ସାଂଘାତିକ। ବାଲିଆପାଳ ବ୍ଲକର ୯ଟି ପଞ୍ଚାୟତରେ ପାଣି ପଶିଛି। ଭୋଗରାଇ ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୭୦ଟି ଗାଁ ଏବଂ ଜଳେଶ୍ୱର ବ୍ଲକର ୧୨ଟି ଗାଁ ଜଳବନ୍ଦୀ।..ଭୋଗରାଇର କୁସୁଡ଼ା ଓ ଗବଗା ପଞ୍ଚାୟତ ରାସ୍ତା ଉପରେ ଚାଲିଛି ପ୍ରାୟ ୫ ଫୁଟର ବନ୍ୟାଜଳ। ଅନେକ ଗାଁକୁ ଯାତାୟାତ ଠପ୍ ହୋଇଯାଇଛି। ବାଲିଆପାଳ ବ୍ଲକର ବିଷ୍ଣୁପୁର ଓ ଚୌଧୁରୀକୁଦ ଅଞ୍ଚଳରେ ମଧ୍ୟ ରାସ୍ତା ଉପରେ ପାଣିର ସୁଅ ଚାଲିଛି।
ସେପଟେ ରାଜ୍ୟ ରାଜପଥ-୫୭ର ଦାରୁହା ଛକ ଉପରେ ଲହଡି ଭାଙ୍ଗୁଛି ପାଣି। ଜଳେଶ୍ୱରରୁ ଚନ୍ଦନେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ପ୍ରାୟ ଦୁଇ ଫୁଟ ପାଣି ଜମିଛି।.. ବନ୍ୟା ପାଣି ମାଡ଼ରେ ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲ ଗେଟରେ ସୃଷ୍ଟି ହୋଇଛି ବିରାଟ ଫାଟ। ଫଳରେ ଗାଁକୁ ପଶି ଚାଲିଛି ବନ୍ୟା ପାଣି। ତୁରନ୍ତ ଗେଟ୍ କାମ କରାନଗଲେ ବ୍ଳକର ୬ ଟି ପଞ୍ଚାୟତରେ ପାଣି ପଶିବା ଆଶଙ୍କା ରହିଛି।
ଯାଜପୁରରେ ମାସେ ହେଲାଣି ମୁକୁଳା ପଡିଛି ଘାଇ। ନଦୀରେ ପାଣି କମିଥିଲେ ବି ଘାଇ ଦେଇ ଚାଲିଛି ସାଇଁ ସାଇଁ ବନ୍ୟା ପାଣି। ବୈତରଣୀରେ ଲଗାତର ବନ୍ୟା ପାଇଁ ଦଶରଥପୁର ପାଟଣା ଠାରେ ସୃଷ୍ଟି ହୋଇଥିବା କାଣୀ ନଦୀର ଏହି ଘାଇ କାମ ହୋଇପାରୁନି। ଫଳରେ ବ୍ଲକର ୧୯ ପଂଚାୟତବାସୀଙ୍କ ଦୁର୍ଦ୍ଦଶା ସରୁନି। ଖରସ୍ରୋତା ନଦୀର ଶାଖା ନୂଆ ମାହାରା ନଦୀର ଘାଇକୁ ବି ମାସେ ବିତିଲାଣି। ବଢି ପାଣିରେ ବୁଡିଛି ଗାଁ ରାସ୍ତା, ଘର ଦ୍ବାର। ସେପଟେ ସିଂହପୁର ଡିହକୁଳା ମୁଖ୍ୟ ରାସ୍ତାରେ ବି ଘାଇ ହୋଇଛି। ଫଳରେ ପୂର୍ତ୍ତ ବିଭାଗ ରାସ୍ତା ଉପରେ ଲଗାତର ଛୁଟି ଚାଲିଛି ବନ୍ୟା ଜଳର ସୁଅ। ବିଞ୍ଝାରପୁର ଏବଂ ଦଶରଥପୁର ବ୍ଲକ୍ ମଧ୍ୟରେ ବିଛିନ୍ନ ହୋଇଛି ଯୋଗାଯୋଗ।
ବନ୍ୟା ପରେ ବନ୍ୟା ଯୋଗୁଁ ସ୍କୁଲରେ ତାଲା ପଡିଛି। ଘେରି ରହିଛି ପାଣି। କେବଳ ଦଶରଥପୁରର 67ଟି ସ୍କୁଲ ଜଳବନ୍ଦୀ। ମାସେ ହେଲାଣି ପାଠ କଣ ଭୁଲିଗଲେଣି ପିଲା। ଘାଇ ମରାମତି ନହେବାରୁ ବିଂଝାରପୁର ଗୁଣ୍ଡୁରିପଦା ସ୍କୁଲ ଭିତରୁ ପାଣି ଛାଡୁନି। ଆଗକୁ ପରୀକ୍ଷା ଥିବା ବେଳେ ଅଭିଭାବକଙ୍କୁ ଘାରିଛି ପିଲାଙ୍କ ଭବିଷ୍ୟତ ଚିନ୍ତା।
ବୈତରଣୀରେ ଆସୁଥିବା ବାରମ୍ବାର ବନ୍ୟାରେ ବୁଡିଛି ଭଦ୍ରକ। ମାସେ ହେଲାଣି ପାଣି ଛାଡୁନି କି ବିପତ୍ତି ଯାଉନି। ଆରଡି ନିକଟ ମୁଁଆ ଘୋଷରାରେ ୩/୪ଫୁଟର ପାଣି ଚାଲୁଥିବାରୁ ଆରଡି-ଚାନ୍ଦବାଲି ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ୬ ଗାଁ। .. ସେପଟେ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ବର ଜାତୀୟ ରାଜପଥର ବୋଡକ ଓ ଷାଠିବାଙ୍କୁଡାରେ କଂକ୍ରିଟ ରାସ୍ତା ଧୋଇଯାଇ ଘାଇ ହେବାରୁ ପାଣି ଜନବସତିକୁ ମାଡିଛି। ପ୍ରାୟ ଦେଢମାସ ହେଲାଣି ଆଖଣ୍ଡଳମଣି-କୁଆଖିଆ ଓ ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି।
ଚାଷ, ବାସ ସବୁ ଯିବା ପରେ ପିଲାଙ୍କ ପାଠ ପଢ଼ାରେ ବି ଡୋରି ବନ୍ଧା ହୋଇଗଲାଣି। ଚାନ୍ଦବାଲି ବ୍ଲକର ଚାରୋଟି ପଞ୍ଚାୟତ ଆରଡ଼ି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁରବାସିନ୍ଦା ଜିଉଁଛନ୍ତି ଜଳବନ୍ଦୀ ଜୀବନ। ଏବେବି ପାଣି ଘେରରେ ରହିଛି ସ୍କୁଲ। ଯେଣତେଣ ଶିକ୍ଷକ ଆସୁଛନ୍ତି, ହେଲେ ପିଲା ଆସିପାରୁନାହାନ୍ତି। ଉପସ୍ଥାନ କମୁଛି, ଅଧାରେ ଅଟକିଛି ପାଠ୍ୟକ୍ରମ। କହିବାକୁ ଗଲେ ବର୍ଷା ଓ ବନ୍ୟା ବିଗାଡିଛି ପିଲାଙ୍କ ଭବିିଷ୍ୟତ।
ସେପଟେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ସୁବର୍ଣ୍ଣରେଖା ଓ ବୈତରଣୀରେ ବନ୍ୟା ସ୍ଥିତି ସୁଧୁରୁଛି। ବ୍ରାହ୍ମଣୀରେ ସତର୍କ ସଙ୍କେତ ତଳେ ପାଣି ଚାଲିଛି। ତେବେ ଉତ୍ତର ଓଡ଼ିଶାରେ ଆହୁରି ୩ରୁ ୪ ଦିନ ଜଳବନ୍ଦୀ ସ୍ଥିତି ଲାଗି ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।