OBC Creamy Layer Row: OBC କ୍ରିମି ଲେୟର ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବାପାମାଆଙ୍କ ଦରମା ଆୟ ହେବନି ଗଣନା
OBC ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି।
କ୍ରିମି ଲେୟର ନିର୍ଦ୍ଧାରଣରେ ବାପାମାଆଙ୍କ ଦରମା ଓ କୃଷି ଆୟକୁ ଗଣନା କରାଯିବ ନାହିଁ।
ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଦାଖଲ କରିଥିବା ସଂଶୋଧନ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଫଳରେ OBC ବର୍ଗର ଚାକିରି ଆଶାୟୀ ଓ UPSC ପରୀକ୍ଷାର୍ଥୀଙ୍କ ପାଇଁ ଏହି ରାୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି।
Advertisment ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, OBC କ୍ରିମି ଲେୟର ନିର୍ଦ୍ଧାରଣ କରିବା ସମୟରେ କେବଳ ବାପାମାଆଙ୍କ ଦରମା ଆୟକୁ ଆଧାର କରାଯାଇପାରିବ ନାହିଁ।
ବରଂ ସେମାନେ କେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ସାମାଜିକ-ଆର୍ଥିକ ସ୍ଥିତି କ'ଣ, ତାହାକୁ ବିଚାରକୁ ନେବାକୁ ପଡ଼ିବ।
ମାର୍ଚ୍ଚ ୧୧, ୨୦୨୬ରେ ଦିଆଯାଇଥିବା ରାୟକୁ ପୁଣିଥରେ ଦୋହରାଇଛନ୍ତି କୋର୍ଟ।
ତେବେ ଏହି ରାୟରେ ପୁରୁଣା ନିଯୁକ୍ତି ଓ ପଦୋନ୍ନତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ରହିଛି।
ପୂର୍ବରୁ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସିନିୟରିଟି କିମ୍ବା ପଦୋନ୍ନତି ପୁନର୍ବାର ଖୋଲାଯିବ ନାହିଁ।
ଅର୍ଥାତ୍ ଏହି ନିଷ୍ପତ୍ତିର ପ୍ରୟୋଗକୁ ସୀମିତ ରଖିଛନ୍ତି କୋର୍ଟ।
Advertisment ଏହି ରାୟରୁ ୨୦୨୫ UPSC ବ୍ୟାଚ୍ର ମନୋନୀତ ପ୍ରାର୍ଥୀମାନେ ମଧ୍ୟ ଆଶ୍ୱସ୍ତି ପାଇବେ।
ସେମାନଙ୍କ ସର୍ଭିସ୍ ଆଲଟମେଣ୍ଟ ମାର୍ଚ୍ଚ ୨୦୨୬ର ରାୟ ଅନୁସାରେ କରାଯିବ।
ଅନ୍ୟପଟେ ଏହି ନିୟମକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଦୁଇ ବର୍ଷ ସମୟ ମାଗିଥିଲେ।
PSU ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପଦବୀକୁ ସରକାରୀ ପଦବୀ ସହ ତୁଳନା କରିବା ଏବଂ ନୂଆ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଏହି ସମୟ ଲୋଡ଼ିଥିଲେ।
କିନ୍ତୁ ସୁପ୍ରିମକୋର୍ଟ ଦୁଇ ବର୍ଷର ମହଲତ ଦେବାକୁ ମନା କରିଛନ୍ତି।
ତେବେ ରାୟ କାର୍ଯ୍ୟକାରୀ କରିବାକୁ ଆଠ ସପ୍ତାହର ଅତିରିକ୍ତ ସମୟ ଦେଇଛନ୍ତି।
ପ୍ରକୃତରେ ୧୯୯୩ର ସରକାରୀ ନିୟମ ଅନୁସାରେ OBC କ୍ରିମି ଲେୟର ନିର୍ଦ୍ଧାରଣ ସମୟରେ ବାପାମାଆଙ୍କ ଦରମା ଓ କୃଷି ଆୟକୁ ବାଦ୍ ଦିଆଯାଉଥିଲା।
କିନ୍ତୁ PSU ଓ ଘରୋଇ ସଂସ୍ଥାର କର୍ମଚାରୀଙ୍କ କ୍ଷେତ୍ରରେ ଏହି ଆୟକୁ ଗଣନା କରାଯାଉଥିବାରୁ ଅସମାନତା ଅଭିଯୋଗ ଉଠିଥିଲା।
ଏହାକୁ ଚ୍ୟାଲେଞ୍ଜ କରି କିଛି OBC ଆଶାୟୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।