Odia Inscription: ନୂଆଗଡ଼ ଦୋଳବେଦୀ ତୋରଣରେ ୧୩୨ ବର୍ଷ ପୁରୁଣା ଶିଳାଲେଖ
"କଟକ: କଟକ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମର ପ୍ରାଚୀନ ବାଲୁଙ୍କେଶ୍ୱର ମନ୍ଦିର ପରିସରରୁ ସନ୍ଧାନ ହୋଇଛି ପୁରାତନ ଓଡ଼ିଆ ଶିଳାଲେଖ।
ସ୍ଥାନୀୟ ଗ୍ରାମବାସୀଙ୍କ ସୂଚନା ଆଧାରରେ ରିଡସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ସଦସ୍ୟମାନେ ଏହି ଶିଳାଲେଖଟିର ପାଠୋଦ୍ଧାର କରିଛନ୍ତି।
୨୭ ତାରିଖ ରବିବାର ସକାଳେ ଟ୍ରଷ୍ଟର ସଦସ୍ୟମାନେ ବାଲୁଙ୍କେଶ୍ୱର ମନ୍ଦିରରେ ପହଞ୍ଚି ଶିଳାଲେଖଟିର ଇଷ୍ଟାମ୍ପେଜ (ଛାପ) ସଂଗ୍ରହ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୁମନ ପ୍ରକାଶ ସ୍ୱାଇଁ, ବିଶ୍ୱଜିତ ସିଂହ, ଅଭୟ ଦାସ, ମାନସ ମହାପାତ୍ର, ତପନ ପାଢ଼ୀ ଓ ଦୀପକ କୁମାର ନାୟକଙ୍କ ସମେତ ଅନ୍ୟ ସ୍ଥାନୀୟ ଐତିହ୍ୟପ୍ରେମୀ ସାମିଲ ହୋଇଥିଲେ।
Advertisment ଏ ସମ୍ପର୍କରେ ଅଧିକ ତଥ୍ୟ ରଖି ରିଡିସ୍କଭର ଲଷ୍ଟ ହେରିଟେଜ ଟ୍ରଷ୍ଟର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି ଯେ ବାଲୁଙ୍କେଶ୍ୱର ମହାଦେବଙ୍କ ମନ୍ଦିର ପରିସରରେ ଥିବା ଦୋଳବେଦୀର ତୋରଣ ସ୍ତମ୍ଭରେ ଆମକୁ ଏହି କ୍ଷୁଦ୍ର ଅଭିଲେଖଟି ମିଳିଥିଲା।
ଏହା ଉପରେ ରଙ୍ଗପ୍ରଲେପ ଦିଆଯାଇଥିବାରୁ ଅଭିଲେଖଟି ବହୁ ପରିମାଣରେ କ୍ଷୟପ୍ରାପ୍ତ ହୋଇଛି ତଥା ଏହାର କିଛି ଅଂଶ ଏହି ପ୍ରଲେପ ତଳେ ରହିଯାଇଥିବାର ମଧ୍ୟ ସମ୍ଭାବନା ରହିଛି।
ତେବେ ଇଷ୍ଟାମ୍ପେଜ ନେବା ପରେ ଏହା ଜଣାପଡୁଛି ଯେ ଏଥିରେ ଦୋଳବେଦୀର ନିର୍ମାଣ ସମୟ ସମ୍ପର୍କରେ ସୂଚନା ମିଳୁଛି।
ଦୁଇ ଧାଡି ବିଶିଷ୍ଟ ଓଡ଼ିଆ ଅଭିଲେଖରେ ପ୍ରଥମ ଧାଡିରେ ସନ୧୩୦ ଓ ଦ୍ଵିତୀୟ ଧାଡିରେ ୨ସାଲ ବୋଲି ଲେଖାଯାଇଛି।
ତେଣୁ ଦୋଳବେଦୀଟି ସନ ୧୩୦୨ ସାଲରେ ନିର୍ମିତ ହୋଇଥିଲା ବୋଲି ଅନୁମାନ କରାଯାଇପାରେ।
୧୩୦୨ ସାଲ ଅର୍ଥାତ ଖ୍ରୀଷ୍ଟାବ୍ଦ ୧୮୯୪ ମସିହା।
ଏହି କାରଣରୁ ନୂଆଗଡର ଏହି ଦୋଳବେଦୀ ୧୩୨ ବର୍ଷ ପୁରୁଣା।
ଏହି ସମୟରେ ଓଡିଶାରେ ବ୍ରିଟିଶ ରାଜ ଆରମ୍ଭ ହୋଇସାରିଥିଲେ ମଧ୍ୟ ଅଭିଲେଖରେ ଇଂରାଜୀ ବର୍ଷ ବ୍ୟବହାର ନକରି ପାରମ୍ପାରିକ ଭାରତୀୟ ସାଲ ବର୍ଷର ବ୍ୟବହାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।
ବାଲୁକାଶଯ୍ୟାରେ ପ୍ରଭୁ ପୂଜା ପାଇଥିବାରୁ ତାଙ୍କର ନାମ ବାଲୁଙ୍କେଶ୍ୱର ହୋଇଛି କିଛି ବର୍ଷତଳେ ବାବା ବାଲୁଙ୍କେଶ୍ୱରଙ୍କ ପୁରାତନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ହୋଇଥିଲା ବୋଲି ମନ୍ଦିରର ପୂଜକ ତପନ ପାଢ଼ୀ କହିଛନ୍ତି।
କିମ୍ବଦନ୍ତୀ ଅନୁସାରେ ପଟିଆଗଡ଼ର ରାଜା ଘୋଡା ସହ କଟକ ଯାତ୍ରା କରୁଥିଲା ସମୟରେ କୁଆଖାଇ ନଦୀର ବାଲୁକା ଶଯ୍ୟାରେ ଘୋଡାର ଟାପୁ ଫସିଯାଇ ନଦୀବାଲିରୁ ଉଠିପାରିଲା ନାହିଁ, ସେହି କାରଣରୁ ରାଜା ବାଲୁଙ୍କେଶ୍ୱର ମହାଦେବଙ୍କୁ ସୁମରଣା କରନ୍ତେ ଘୋଡ଼ାଟି ଠିଆ ହୋଇପାରିଥିଲା, ଏଥିରେ କୃତଜ୍ଞ ହୋଇ ପଟିଆଗଡ଼ ରାଜା ଏ ମନ୍ଦିରର ପୂଜକମାନଙ୍କୁ ଭୂମିଦାନ କରିଥିଲେ।
କୁଆଖାଇର ବାଲୁକାଶଯ୍ୟାରେ ପ୍ରଭୁ ପୂଜା ପାଇଥିବାରୁ ତାଙ୍କର ନାମ ବାଲୁଙ୍କେଶ୍ୱର ହୋଇଛି।
ଦୋଳଯାତ୍ରା ସମୟର ହେଉଥିବା ଦୋଳମେଳଣ ପର୍ବରେ ବାବା ବାଲୁଙ୍କେଶ୍ୱର ୪୮ ମଣ୍ଡଳରୁ ଆସୁଥିବା ଦୋଳମାନଙ୍କ ମଧ୍ୟରେ ଅଗ୍ରପୁଜ୍ୟ ଦେବ ଭାବରେ ବିବେଚିତ ହୁଅନ୍ତି, ସେହି ଦୃଷ୍ଟିରୁ ଏହି ଶିଳାଲେଖଟିର ପାଠୋଦ୍ଧାର ଆଞ୍ଚଳିକ ଇତିହାସ ଓ ପରମ୍ପରା ପାଇଁ ଏକ ବିସ୍ମୟକର ଆବିଷ୍କାର ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
Government Employee Dies: କ୍ରିକେଟ୍ ଖେଳ ହେଲା କାଳ, ହୃଦଘାତରେ ଆର ଆଇ ମୃତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।