Odisha-Andhra Face-Off: ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ନିର୍ବାଚନୀ ଟଣାଓଟରା; କୋଟିଆରେ ପୁଣି ନିର୍ବାଚନ କରିବ ଆନ୍ଧ୍ର !
କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ନିର୍ବାଚନୀ ଟଣାଓଟରା ।
ସମିତି ସଭ୍ୟ ପରେ ସରପଞ୍ଚ ଭୋଟ୍ କରିବ ଆନ୍ଧ୍ର।
ଆସନ୍ତା ୨୯ ତାରିଖରେ କୋଟିଆରେ ସରପଞ୍ଚ ଓ ୱାର୍ଡମେମ୍ବର ଭୋଟ୍ କରିବାକୁ ଆନ୍ଧ୍ର କଲାଣି ବଡ଼ ପ୍ରସ୍ତୁତି ।
ଏନେଇ ନୋଟିଫିକେସନ ଆସିବା ପରେ ତୀବ୍ର ହୋଇଛି କନ୍ଦଳ ।
Advertisment କୋଟିଆବାସୀ କିଭଳି ଭୋଟ ନଦେବେ ସେଥିପାଇଁ ଆଲର୍ଟରେ ରହିଛି କୋରାପୁଟ ଜିଲ୍ଲାପ୍ରଶାସନ ।
ସେପଟେ ଗତ ୫ ତାରିଖରେ ଆନ୍ଧ୍ର ବିରୋଧରେ ଭୋଟ ଜାଲିଆତି ଓ ଧମକଚମକ ଅଭିଯୋଗ ଆଣିଛନ୍ତି ବର୍ଷିଛି କଂଗ୍ରେସ ।
ଏଥର କଣ ରହିବ ଆନ୍ଧ୍ରର ରଣନୀତି ?
ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ ମନ୍ୟମ ଜିଲ୍ଲା ପ୍ରଶାସନ ତରଫରୁ ଜାରି ହୋଇଥିବା ଇଏ ସେହି ବିଜ୍ଞପ୍ତି।
ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ସାଲୁର ମଣ୍ଡଳରେ ଆସନ୍ତା ୨୯ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପଦବୀ ପାଇଁ ହେବ ଭୋଟ୍।
ଅର୍ଥାତ କୋଟିଆ ଗ୍ରାମପୁଞ୍ଜରେ ରହିଥିବା ୨୧ଟି ବିବାଦୀୟ ଗାଁକୁ ନେଇ ଗଠିତ ଆନ୍ଧ୍ରର ସାଲୁର ମଣ୍ଡଳରେ ପୁଣି ହେବାକୁ ଯାଉଛି ନିର୍ବାଚନ।
Advertisment ଏଥିପାଇଁ ଆସନ୍ତା ୧୬ରେ ବିଧିବଦ୍ଧ ବିଜ୍ଞପ୍ତି, ପରେ ନୋମିନେସନ୍ ସହିତ ନଭେମ୍ବର ୨୯ରେ ଭୋଟ୍ ଗ୍ରହଣ କରି ସେହିଦିନ ଫଳାଫଳ ପ୍ରକାଶ ପାଇବ।
ବଡ଼କଥା ହେଲା, ଚାରି ଦିନ ତଳେ ହୋଇଥିବା ନିର୍ବାଚନ ନିଆଁ ଲିଭିନଥିବା ବେଳେ ଆନ୍ଧ୍ରର ପୁଣି ଚାଲବାଜିକୁ ନେଇ ଉଗ୍ର ହେଲାଣି କନ୍ଦଳ।
ପ୍ରଶାସନର ଆଭିମୁଖ୍ୟ ଓ କାର୍ଯ୍ୟାନୁଷ୍ଠାନ ଉପରେ ସାରା ରାଜ୍ୟର ନଜର।
ସ୍ଥାନୀୟ ଆଦିବାସୀ ମହାସଂଘର କହିବା କଥା, ଏବେଠୁ ହିଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କୋଟିଆବାସୀଙ୍କ ସହ ଆଲୋଚନା କରିବା ଦରକାର।
କୋଟିଆ ଲୋକ ଯେପରି ଭୋଟ୍ ଦେବାକୁ ନଯାଆନ୍ତି ସେଥିପାଇଁ ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
ଗତ ୫ ତାରିଖ ZPTC ଓ MPTC ଭୋଟ୍ ବେଳେ ସୀମାନ୍ତରେ ଦୁଇ ରାଜ୍ୟ ମଧ୍ୟରେ ଦେଖିବାକୁ ମିଳିଥିଲା ତୁତୁ ମେମେ ।
ଓଡ଼ିଶାର ପ୍ରବଳ ବିରୋଧ ଫଳରେ କୋଟିଆ ସୀମାରୁ ବୁଥ୍ ହଟାଇବାକୁ ବାଧ୍ୟ ହୋଇଥିଲା ଆନ୍ଧ୍ର।
ହେଲେ କିଛି ଭୋଟରଙ୍କୁ କିନ୍ତୁ ପ୍ରଲୋଭିତ କରି ମତଦାନ କରିବାରେ ସଫଳ ହୋଇଥିଲା।
ଆନ୍ଧ୍ରର ମତଦାନ କେନ୍ଦ୍ରକୁ ଯାଇ ହାତଗଣତି କୋଟିଆ ବାସିନ୍ଦା ଭୋଟ୍ ଦେଇଥିଲେ।
ସବୁଠାରୁ ବଡ଼କଥା ହେଉଛି, ଆନ୍ଧ୍ର ଗଠନ କରିଥିବା ଫଗୁଣସିନେରୀ, ଫାଟୁସିନେରୀ ଓ ତଳଗଞ୍ଜେଇପଦର ପଞ୍ଚାୟତରେ ନିର୍ବାଚିତ ହୋଇଥିବା ସମିତିସଭ୍ୟଙ୍କ ଭିତରୁ ଦୁଇ ଜଣ କୋଟିଆବାସୀ।
ତଳଗଞ୍ଜେଇ ପଦରରୁ ଟିଡିପି ପ୍ରାର୍ଥୀ ଚିରଞ୍ଜୀବୀ ତାଡ଼ିଙ୍ଗି ବିଜୟୀ ହୋଇଥିବାବେଳେ ଫଗୁଣସିନେରୀରୁ ଜିତିଛନ୍ତି YSR କଂଗ୍ରେସ୍ ପ୍ରାର୍ଥୀ ରେଣ୍ଡୋ ହାରର୍କା ।
ଉଭୟ କୋଟିଆ ଅଞ୍ଚଳର ହୋଇଥିବାରୁ ସେମାନଙ୍କୁ ହାତବାରିସି କରି ସରପଞ୍ଚ ନିର୍ବାଚନକୁ ମଧ୍ୟ ସଫଳ କରିବାକୁ ସ୍ବପ୍ନ ଦେଖୁଛି ଆନ୍ଧ୍ର ।
ଏପଟେ ଆନ୍ଧ୍ରର କୋଟିଆ କପଟକୁ ଫ୍ୟୁଜ୍ କରିବାକୁ ଆଲର୍ଟରେ ଓଡ଼ିଶା।
କୋରାପୁଟ ଜିଲ୍ଲାପାଳ କହିଛନ୍ତି.
ନିର୍ବାଚନରେ ଭାଗ ନେବାକୁ ଆନ୍ଧ୍ର ପକ୍ଷରୁ ମିଳୁଥିବା ଚାପ ଏବଂ ଧମକ ଉପରେ ନଜର ରଖାଯାଇଛି ।
ଆଗାମୀ ନିର୍ବାଚନକୁ ମଧ୍ୟ ଜୋରଦାର ବିରୋଧ କରାଯିବ।
ସେପଟେ ପ୍ରେସମିଟ୍ କରି ବର୍ଷିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।
ସେ କହିଛନ୍ତି, ବନ୍ଧୁକମୁନରେ ଧମକାଇ ପୂର୍ବରୁ କୋଟିଆର ଦୁଇ ପ୍ରାର୍ଥୀଙ୍କୁ ଛିଡ଼ା କରିଥିଲା ଆନ୍ଧ୍ର ।
ସେଠାରେ ମାତ୍ର ୨ରୁ ୪ ପ୍ରତିଶତ ଭୋଟ୍ ହୋଇଛି।
ଆଇନ ଅନୁସାରେ ଏଜେଣ୍ଟ ସାଜିଥିବା ଲୋକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ତାରା ।
ପ୍ରଶ୍ନ ଉଠୁଛି- ଏଥର କି ପ୍ରକାର ଚାଲ୍ ଖେଳିବ ଆନ୍ଧ୍ର?
କୋଟିଆ ସୀମାରୁ ବୁଥ୍ ଉଠାଇନେବ ନା ଦାଦାଗିରି ଦେଖାଇବ ?
ଗତଥର ଭଳି ଏଥର ବି ସୀମା ଡେଇଁ ଭୋଟ୍ ଦେବେ କି କୋଟିଆବାସୀ?
ନା କୋଟିଆ ଭୋଟରଙ୍କୁ ଅଟକାଇବାରେ ସଫଳ ହେବ କୋରାପୁଟ ପ୍ରଶାସନ?
ଏବେ ସମସ୍ତଙ୍କ ନଜର ନଭେମ୍ବର ୨୯ ତାରିଖ ଭୋଟ୍ ଉପରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।