Odisha Chief Minister Hears 600 Grievances: ୬୦୦ରୁ ଅଧିକ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଅନ୍ ସ୍ପଟ୍ ଦେଲେ ନିର୍ଦ୍ଦେଶ

Aug 24, 2026 - 20:52
Odisha Chief Minister Hears 600 Grievances: ୬୦୦ରୁ ଅଧିକ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଅନ୍ ସ୍ପଟ୍ ଦେଲେ ନିର୍ଦ୍ଦେଶ

ହୁଇଲ୍ ଚେୟାରରେ ବସିଥିବା ଏ ମହିଳା ଜଣକ ହେଲେ ଯାଜପୁର ଅଂଚଳର ସଂଯୁକ୍ତା ପରିଡ଼ା। ଦୁଇଟି ଯାକ କିଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପାଣି ଜମି ଫୁଲି ଯାଇଛି ପେଟ। ଦୁଇ ଆଣ୍ଠୁରେ ଦରଜ ଯୋଗୁଁ ଭଲରେ ଛିଡ଼ା ହୋଇପାରୁ ନାହାନ୍ତି। ଆଉ ଘରେ ତାଙ୍କର ସେବା ପାଇଁ ସ୍ବାମୀ ରୋଜଗାରକୁ ଯାଇ ପାରୁନାହାନ୍ତି। ତା ଉପରେ ପୁଣି ଯୁକ୍ତ ତିନି ପଢୁଥିବା ଝିଅର ପାଠପଢ଼ା ବୋଝ। ଘରଭଡ଼ା, ଡାଏଲିସିସ୍ ପାଇଁ ଗାଡ଼ିଭଡ଼ା, ମେଡିସିନ୍ ଆଦି ଖର୍ଚ୍ଚ ମିଶାଇଲେ ଚଳିବା ପାଇଁ ମାସକୁ ଦରକାର ୧୫ରୁ ୨୦ ହଜାର ଟଙ୍କା। ସଂଯୁକ୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଛନ୍ତି ନିଜ ଦୁଃଖ। ସବୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଆର୍ଥିକ ସହାୟତା ପାଇଁ ଦେଇଛନ୍ତି ଆଶ୍ବାସନା।

ଏ ଯୁବକ ଜଣକ ହେଲେ ନୟାଗଡ଼ ଖଣ୍ଡପଡ଼ା ଅଞ୍ଚଳର ସନ୍ତୋଷ ବିଶ୍ବାଳ। ଭିନ୍ନକ୍ଷମ ଯୋଗୁଁ ପ୍ରାୟ ୭ ବର୍ଷ ହେଲା କୁଆଡ଼େ ହଲି ପାରୁନାହାନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବେଳେ କାନ୍ଦି କାନ୍ଦି ନିଜ ଦୁଃଖ ଜଣାଇଥିଲେ ସନ୍ତୋଷ। ସନ୍ତୋଷ ଓ ସଂଯୁକ୍ତାଙ୍କ ଭଳି ଶତାଧିକ ଲୋକ ନିଜ ନିଜର ସମସ୍ୟା ସହ ପହଞ୍ଚିଥିଲେ ଅଭିଯୋଗ ଶୁଣାଣିରେ। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ରୋଗୀ, ଜମିଜମା, ନିଯୁକ୍ତି ସମସ୍ୟା ନେଇ ଆସିଥିବା ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇ ନ୍ୟାୟ ପାଇଁ କରିଥିଲେ ନିବେଦନ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହା ଥିଲା ୨୦ତମ ଅଭିଯୋଗ ଶୁଣାଣି। ଯେଉଁଥିରେ ୧୦ ଜଣ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ, ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ସିଧାସଳଖ ଶୁଣିବା ସହ ସମୟସୀମା ମଧ୍ୟରେ ସମାଧାନ ପାଇଁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଆସିଥିବା ୬୦୦ରୁ ଅଧିକ ଅଭିଯୋଗ ମଧ୍ୟରୁ ସମସ୍ତଙ୍କ ସହ ଆଲୋଚନା କରି ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି। ୧୬ ଜଣ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡ଼ିିତ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ସିଙ୍ଗିଲ ୱିଣ୍ଡୋ ସିଷ୍ଟମ ମାଧ୍ୟାମ ରେ 14 ଲକ୍ଷ 50 ହଜାର ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି।

ଏହା ପୂର୍ବରୁ ହୋଇଥିବା ୧୯ଟି ଅଭିଯୋଗ ଶୁଣାଣିରେ ମୋଟ୍ ୧୫ ହଜାର ୩୨୭ଟି ଅଭିଯୋଗ ଆସିଥିଲା। ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା ୧୪ ହଜାର ୫୧୯ଟି ଅର୍ଥାତ ୯୫ ପ୍ରତିଶତ ଅଭିଯୋଗର  ସମାଧାନ କରାଯାଇଛି। ସେହିପରି ଜିଲ୍ଲାସ୍ତରରେ ଆସୁଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୮୭ ପ୍ରତିଶତ ସମାଧାନ ହୋଇଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।