Odisha Coast Under Threat: ଓଡ଼ିଶା ଉପକୂଳକୁ ଗିଳିଚାଲୁଛି ସମୁଦ୍ର, ୨୮.୩ % ଅଞ୍ଚଳର କୂଳ ଖାଇଲାଣି

Aug 13, 2026 - 20:16
Odisha Coast Under Threat: ଓଡ଼ିଶା ଉପକୂଳକୁ ଗିଳିଚାଲୁଛି ସମୁଦ୍ର, ୨୮.୩ % ଅଞ୍ଚଳର କୂଳ ଖାଇଲାଣି

ସାତ ଗାଁକୁ ନେଇ ସାତଭାୟା। ହେଲେ ଆଜି ଅତୀତ। ସମୁଦ୍ର ଗର୍ଭରେ ଲୀନ ହୋଇଛି ସାତଭାୟା। ସମୁଦ୍ର କୂଳ ଖାଇ ଗାଁ ବାସିନ୍ଦାଙ୍କ ଭିଟାମାଟିକୁ ନିଜ ଗର୍ଭକୁ ନେଇ ଯାଇଛି। ସରକାର ୫୭୧ଟି ପରିବାରକୁ ପ୍ରଥମେ ଥଇଥାନ କରି ବଗପାଟିଆକୁ ନେଇ ଥିଲେ। ଏବେ ବଗପାଟିଆରେ ଅଛନ୍ତି ଶତାଧିକ ପରିବାର। କେବଳ ବାସ ନୁହେଁ ଜୀବିକା ବି ହରାଇଛନ୍ତି ସାତଭାୟା ବାସିନ୍ଦା। ତେବେ କେବଳ ସାତଭାୟା ନୁହେଁ, ବଙ୍ଗୋପସାଗର କୂଳରେ ଥିବା ଅନ୍ୟ ତଟବର୍ତ୍ତୀ ଅଞ୍ଚଳବାସୀ ମଧ୍ୟ ଏବେ ଭୟ ଓ ଆଶଙ୍କା ମଧ୍ୟରେ। ଦିନକୁ ଦିନ ସମୁଦ୍ର ଯେପରି ଭୂମି ଆଡ଼କୁ ମାଡ଼ି ଆସୁଛି, ତାହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇଛି। ଗଞ୍ଜାମର କେ. ଆର୍ଯ୍ୟପଲ୍ଲୀ  ଓ ପୋଡମପେଟା ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଲାଣି। ଗୋଟିଏ ପଟେ ବିଶାଳ ସମୁଦ୍ର, ଅନ୍ୟପଟେ କରାଳ ଜୁଆର ଭିତରେ ଭିଟାମାଟି ହରାଇବାର କୋହ। ଦିନକୁ ଦିନ ଆଁ କରି ମାଡ଼ିଆସୁଥିବା ଅଶାନ୍ତ ସମୁଦ୍ରଠାରୁ ଆର୍ଯ୍ୟପଲ୍ଲୀର ଏହି ସ୍କୁଲର ଦୂରତା ଏବେ ମାତ୍ର ୧୦ ରୁ ୧୫ ମିଟର ! କେଉଁ ମୁହୂର୍ତ୍ତରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ପୂରା ଗାଁ, ସେହି ଭୟରେ ନିଦ ହଜିଯାଇଛି ଅଞ୍ଚଳବାସୀଙ୍କର। ରାସ୍ତା, ମନ୍ଦିର ଓ ଶ୍ମଶାନ ଘାଟ ସମୁଦ୍ର ଗର୍ଭରେ ବିଲୀନ ହୋଇସାରିଛି। ପୂର୍ବରୁ ପୋଡ଼ମେଟାକୁ ଗ୍ରାସ କରିସାରିବା ପରେ, ଏବେ ଆର୍ଯ୍ୟପଲ୍ଲୀରେ କରାଳ ତାଣ୍ଡବ ରଚିଛି ଅଶାନ୍ତ ସମୁଦ୍ର। ଜଗତସଂହପୁର ଜିଲ୍ଲାରେ ରେ ବି ସମାନ ଚିତ୍ର। ଏରସମା ବ୍ଲକ୍ ର ୫ ପଞ୍ଚାୟତ ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି।

ନ୍ୟାସନାଲ୍ ସେଣ୍ଟର ଫର୍ କୋଷ୍ଟାଲ ରିସର୍ଚ୍ଚ ବା NCCR ପକ୍ଷରୁ ୧୯୯୦ରୁ ୨୦୨୨ ମଧ୍ୟରେ ଓଡ଼ିଶା ଉପକୂଳରେ ହୋଇଥିବା ପରିବର୍ତ୍ତନର ଆକଳନ କରାଯାଇଛି। ୬ଟି ଉପକୂଳ ଜିଲ୍ଲାର ୫୬୪.୧୪ କିଲୋମିଟର ଉପକୂଳକୁ ନେଇ ହୋଇଥିବା ଏହି ଅଧ୍ୟୟନରେ ୨୮.୩ ପ୍ରତିଶତ ଅଞ୍ଚଳ ସମୁଦ୍ର ଦ୍ବାରା କ୍ଷୟ ହେଉଥିବା ଜଣାପଡ଼ିଛି। ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବନ୍ଦର ଓ ଜଳପଥ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ଯେଉଁଥିରେ ଉଲ୍ଲେଖ ଅଛି, ୧୭.୬ ପ୍ରତିଶତ ଉପକୂଳ ଅଂଚଳ ସ୍ଥିର ରହିଥିବା ବେଳେ ୫୪.୧ ପ୍ରତିଶତ ଅଞ୍ଚଳରେ ବୃଦ୍ଧି ହୋଇଛି। ଜଗତସିଂହପୁରରେ ୪୭.୬% କ୍ଷୟ, ଗଞ୍ଜାମର ୪୫.୭%, କେନ୍ଦ୍ରାପଡ଼ାର ୪୫%, ବାଲେଶ୍ୱର ୨୩.୮%, ପୁରୀରେ ୧୦.୨% ଓ ଭଦ୍ରକ ରେ ୪.୬% ଉପକୂଳ କ୍ଷୟ ହୋଇଛି। ଉପକୂଳ ସୁରକ୍ଷା ପାଇଁ ସାଗରମାଳା ଯୋଜନାରେ ବିଭିନ୍ନ ପ୍ରକଳ୍ପକୁ ଆର୍ଥିକ ସହାୟତା ଦିଆଯାଉଛି। ପାରାଦୀପ ବନ୍ଦରରେ ଡ୍ରେଜିଂ ପ୍ରକ୍ରିୟାକୁ ଅଧିକ ସ୍ଥାୟୀ କରିବା ପାଇଁ ମଧ୍ୟ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ଉପକୂଳ କ୍ଷୟ ଏବେ କେବଳ ଜମି ହରାଇବାର ସମସ୍ୟା ନୁହେଁ, ଏହା ଉପକୂଳବାସୀଙ୍କ ଜୀବନ ଓ ଜୀବିକା ପାଇଁ ବଡ଼ ଆହ୍ୱାନ। ବର୍ଷ ପରେ ବର୍ଷ ସମୁଦ୍ର ଆଗକୁ ମାଡ଼ି ଆସିବା ସହ ଉପକୂଳର ଅନେକ ଅଞ୍ଚଳରେ ଚାଷଜମି, ଘରଦ୍ୱାର ଓ ରାସ୍ତାଘାଟ ପ୍ରଭାବିତ ହେଉଛି। ଜଳବାୟୁ ପରିବର୍ତ୍ତନ, ସମୁଦ୍ରର ଢେଉ ଓ ପ୍ରାକୃତିକ ପରିବର୍ତ୍ତନ ମଧ୍ୟରେ ଉପକୂଳ ସୁରକ୍ଷା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।