Odisha To Form Anti-Terrorist Squad: ନକ୍ସଲ ପରେ ଅର୍ବାନ ଟେରୋରିଜମ୍, ଓଡ଼ିଶାରେ ଗଠନ ହେବ ସ୍ୱତନ୍ତ୍ର ଏଟିଏସ୍
ସହରର ଭିଡ଼ ଭିତରେ ଲୁଚିଥିବା ଆତଙ୍କୀ ନେଟୱର୍କ ହେଉ କି ସମ୍ବେଦନଶୀଳ ସ୍ଥାନରେ ସମ୍ଭାବ୍ୟ ଆକ୍ରମଣ। ଅଦୃଶ୍ୟ ଭାବେ ଚାଲୁଥିବା ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଓଡ଼ିଶାରେ ଗଠନ ହେବ ସ୍ୱତନ୍ତ୍ର ATS। ଏହି ୟୁନିଟର ନଜରରେ ରହିବ ରାଜ୍ୟର କୋର୍ଟ, ଏୟାରପୋର୍ଟ, ପୋର୍ଟ, ସମୁଦ୍ରତଟ, ଧାର୍ମିକ ସ୍ଥାନ, ପର୍ଯ୍ୟଟନସ୍ଥଳୀ ଭଳି ସମ୍ବେଦନଶୀଳ ସ୍ଥାନ। କେବଳ ଆକ୍ରମଣ ପରେ ଆକ୍ସନ ନୁହେଁ। ATSର ଲକ୍ଷ୍ୟ କେବଳ ଆତଙ୍କୀଙ୍କୁ ଧରିବା ନୁହେଁ, ଆତଙ୍କର ଷଡ଼ଯନ୍ତ୍ର ଆରମ୍ଭ ପୂର୍ବରୁ ତାକୁ ଫେଲ୍ କରିବା।
ଗୁପ୍ତ ସୂଚନା ସଂଗ୍ରହ, କେଉଁଠି ତିଆରି ହେଉଛି ନେଟୱର୍କ ? କେଉଁଠୁ ଆସୁଛି ଟଙ୍କା ? କିଏ କରୁଛି ଫଣ୍ଡିଂ ? ଅର୍ବାନ ଟେରୋରିଜର ମୂଳ ଚେର ଯାଏଁ ପହଞ୍ଚିବ ଏଟିଏସ୍। ସେହିପରି ପ୍ରମାଣ ସଂଗ୍ରହ ଓ ତଦନ୍ତ ସହ ଆବଶ୍ୟକ ସ୍ଥଳେ ସ୍ପେଶାଲ୍ ଅପରେସନକୁ ବି ଓହ୍ଲାଇବ। ଆତଙ୍କବାଦ ପାଇଁ ସ୍ପେଶାଲ ଅପରେସନ ଗ୍ରୁପ୍-SOG ପୂର୍ବରୁ ରାଜ୍ୟରେ ରହିଛି ଗୋଟିଏ ଛୋଟ ଟାକ୍ଟିକାଲ ୟୁନିଟ୍। ବର୍ତ୍ତମାନ ପୂର୍ଣାଙ୍ଗ ଏଟିଏସ୍ ଗଠନ ହେଲେ ଅଧିକ ସଂଖ୍ୟାରେ କମାଣ୍ଡୋ ନିୟୋଜିତ ହେବେ। ଏଥିପାଇଁ ଚନ୍ଦକା SOG କ୍ୟାମ୍ପସରେ ସ୍ୱତନ୍ତ୍ର ତାଲିମ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ନକ୍ସଲ ଦମନ ଅପରେସନରେ ନିୟୋଜିତ SOG, DVF ଓ SIWର କର୍ମଚାରୀଙ୍କ ଅଭିଜ୍ଞତା ମଧ୍ୟ ଏହି ବ୍ୟବସ୍ଥାରେ କାମରେ ଲାଗିବ।
ଓଡ଼ିଶାରେ ଏଯାଏଁ କୌଣସି ବଡ଼ ଆତଙ୍କୀ ଆକ୍ରମଣ ହୋଇନାହିଁ। କିନ୍ତୁ ସାମନାକୁ ଆସିଛି ଆତଙ୍କୀ ଲିଙ୍କ । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପ ଲିଙ୍କରେ କିଛି ବ୍ୟକ୍ତିଙ୍କର ସମ୍ପର୍କ ସାମ୍ନାକୁ ଆସିଛି। ଗତ ଏପ୍ରିଲ ୧୧ ତାରିଖରେ ଭୁବନେଶ୍ୱରରୁ ୨୨ ବର୍ଷୀୟ ଯୁବକ ଶେଖ ଇମ୍ରାନଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ୨୦୨୩ ଫେବ୍ରୁଆରୀରେ ପାକିସ୍ତାନ ସୁନ୍ଦରୀର ହନିଟ୍ରାପ ଫସିଥିଲେ DRDOର ବରିଷ୍ଠ ଅଧିକାରୀ। ସେହିପରି ୨୦୨୧ ସେପ୍ଟେମ୍ବରରେ ଆଇଟିଆରର ଗୁପ୍ତ ସୂଚନା ଦେଇ ଗିରଫ ହୋଇଥିଲେ ୪ରୁ ୫ ଜଣ। ତାପୂର୍ବରୁ ୨୦୧୫ରେ ଆଇଟିଆର ଜଣେ ପୂର୍ବତନ କ୍ୟାମେରାମ୍ୟାନ ଈଶ୍ୱର ଚନ୍ଦ୍ର ବେହରା ପାକିସ୍ତାନ ହ୍ୟାଣ୍ଡଲରକୁ ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲେ। ସେହିବର୍ଷ ଅଲ-କାଏଦ ଲିଙ୍କରେ କଟକରୁ ଗିରଫ ହୋଇଥିଲେ ଅବଦୁର ରେହମାନ। ଏସବୁ ମାମଲାରେ ଅନ୍ୟ ରାଜ୍ୟର ଗୁଇନ୍ଦା ତଥ୍ୟ ଆଧାରରେ ଅଭିଯୁକ୍ତଙ୍କୁ ଧରିଥିଲା ଓଡ଼ିଶା ପୋଲିସ। କିନ୍ତୁ ନିଜସ୍ୱ ଗୁଇନ୍ଦା ଲିଙ୍କରେ କାହାକୁ ଏଯାଏଁ ଧରାପାରିନି। ଏବେ ଏଟିଏସ୍ ଗଠନ ହେଲା ପରେ ଏସବୁ ଆତଙ୍କୀ କାର୍ଯ୍ୟକଳାପକୁ ମାତ ଦେଇ ହେବ ବୋଲି କହିଛନ୍ତି ବିଶେଷଜ୍ଞ।
ଆତଙ୍କବାଦ ସହ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ନିଶା କାରବାର। ଡ୍ରଗ୍ସ ନେଟୱର୍କର ମୂଳକୁ ଉପାଡ଼ିବା ପାଇଁ ରାଜ୍ୟରେ ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ ଗଠନ ପାଇଁ ବି ପ୍ରସ୍ତାବ ରହିଛି। ଏନେଇ STF ଷ୍ଟାଇଲରେ ୧୦ଟି ଥାନା ଓ ୧୯ଟି ଇଣ୍ଟେଲିଜେନ୍ସ ୟୁନିଟ୍ ଗଠନ କରାଯିବ। ସରକାରଙ୍କର ଲକ୍ଷ୍ୟ ହେଲା ଆତଙ୍କୀ ଓ ଡ୍ରଗ୍ସ ନେଟୱର୍କକୁ ରୋକିବା ଏବଂ ଓଡ଼ିଶାର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଭେଦ୍ୟ କରିବା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।