Odisha Could See Early Summer: ଏଲନିନୋ ପ୍ରଭାବରେ ବଦଳୁଛି ପାଣିପାଗ! ଓଡ଼ିଶାରେ ଆଗୁଆ ଗରମର ସଙ୍କେତ
ଏବର୍ଷ ଆଗୁଆ ଆସିପାରେ ଖରା ଦିନ। ଶୀଘ୍ର ବାହୁଡ଼ିଯିବ ମୌସୁମୀ। ସମ୍ଭାବ୍ୟ ସ୍ଥିତିକୁ ନେଇ ଏବେଠୁ ସଜାଗ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ SRCଙ୍କ ପକ୍ଷରୁ ମଧ୍ୟ ଏନେଇ ଅଧ୍ୟୟନ ଚାଲିଛି। ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀଙ୍କ ଏଭଳି ସଙ୍କେତ ପରେ ବଢ଼ିଛି ଚିନ୍ତା। ପାଣିପାଗ ବିଜ୍ଞାନୀଙ୍କ ମତରେ, ସୁପର ଏଲନିନୋର ପ୍ରଭାବ ଯୋଗୁ ପାଣିପାଗରେ ବଡ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜଳବାୟୁ ପରିବର୍ତ୍ତନର ଲହର ଭିତରେ ଆଜି ଏଭଳି ସଙ୍କେତ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ବର୍ଷା ବିପଦ ଟଳି ନଥିବା ବେଳେ ଏବେ ମୁଣ୍ଡ ଉପରେ ଗରମର ଆଶଙ୍କା ଘନେଇଛି। ଜଳବାୟୁ ବିଶେଷଜ୍ଞ ଆକଳନ କରୁଛନ୍ତି, ବହୁ ଆଗରୁ ବାହୁଡ଼ିଯିବ ମୌସୁମୀ। ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟକୁ ସିଝାଇବ ଖରା। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ରେକର୍ଡ ଭାଙ୍ଗିପାରେ ତାତି। ପାଣିପାଗର ଏହି ଅସ୍ୱାଭାବିକ ଗତିପଥକୁ ନେଇ କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସମେତ ଏସଆରସି ଅଧ୍ୟୟନ ଚଳାଇଛନ୍ତି। ଏହା ପ୍ରାଥମିକ ଆକଳନ ହୋଇଥିବା ବେଳେ, ଅଧିକ ଅନୁଧ୍ୟାନ ପରେ ସ୍ପଷ୍ଟ ହେବ ଆଗାମୀ ଦିନର ପ୍ରକୃତ ଚିତ୍ର। ଆଗୁଆ ସମ୍ଭାବ୍ୟ ତାତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ବର୍ତ୍ତମାନର ଆକଳନକୁ ନେଇ ଆତଙ୍କିତ ନହେବାକୁ ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ।
କାହିଁକି ଶୀଘ୍ର ଫେରିଯାଏ ମୌସୁମୀ ? ଗ୍ରୀଷ୍ମଋତୁ ଆଗୁଆ ଆସିବାର ସମ୍ଭାବ୍ୟ କାରଣ କଣ କାରଣ ? ସେମିତି ବି ମୌସୁମୀ ବିଦାୟ ଓ ଗ୍ରୀଷ୍ମ ଆଗମନ ସମୟ ସବୁବେଳେ ସମାନ ନଥାଏ। ମୌସୁମୀ ଶୀଘ୍ର ଦୁର୍ବଳ ହେଲେ ଓ ପରିବେଶରେ ଆର୍ଦ୍ରତା କମିବା ସହ ଆକାଶ ସଫା ରହେ। ଏମିତି ସ୍ଥିତିରେ ଦିନରେ ସୂର୍ଯ୍ୟକିରଣର ପ୍ରଭାବ ବଢ଼ିଥାଏ। ମୌସୁମୀ ଆଗୁଆ ଫେରିଲେ ଆକାଶ ସମ୍ପୂର୍ଣ୍ଣ ପରିଷ୍କାର ରହେ ଓ ପ୍ରଖର ଖରା ହୁଏ। ପାଣିପାଗ ବିଜ୍ଞାନୀଙ୍କ କହିବା କଥା, ଏଲନିନୋର ପ୍ରଭାବ ଯୋଗୁ ଏପରି ହେବାକୁ ଯାଉଛି। ଶୀତ ଦିନେ ଅନୁଭବ ହେବ ଗରମ। ନିର୍ଦ୍ଦିଷ୍ଟ ତାପମାତ୍ରାଠାରୁ ଅଧିକ ତାତି ଯୋଗୁ ଶୀତ ଅବଧି କମିଯିବ। ସେହିପରି ପରିବେଶବିତଙ୍କ ମତରେ, ଜଳବାୟୁ ପରିବର୍ତ୍ତନର ସିଧା ପ୍ରଭାବ ପଡ଼ିବ ପରିବେଶ ଉପରେ। ଫଳରେ ଧାନ, ପନିପରିବା ଓ ଫୁଲ ଚାଷ ପ୍ରଭିବିତ ହୋଇପାରେ।
ଏବର୍ଷ ଏଲନିନୋ ପ୍ରଭାବରେ ମରୁଡ଼ି ସ୍ଥିତି ଆକଳନ କରାଯାଉଥିଲା। କିନ୍ତୁ ସବୁ କିଛି ଓଲଟପାଲଟ ହେଲା। ଓଡ଼ିଶାରେ ଓଲଟା ପ୍ରତିଫଳନ ଦେଖିବାକୁ ମିଳିଲା। ପଛକୁ ପଛ ଲଘୁଚାପ ଓ ଡିପ୍ରେସନ ପ୍ରଭାବରେ ଦେଢ ମାସରୁ ଅଧିକ ସମୟ ଧରି ଲଗାଣ ବର୍ଷା ଆଣିଲା ବନ୍ୟା ପରେ ବନ୍ୟା। ସେହିପରି ନେପାଳ ଭୋଗିଛି ଭୟଙ୍କର ଫ୍ଲାସଫ୍ଲଡର କରୁଣ ପରିଣତି। ଏବେ ଖରାଦିନ ଆଗୁଆ ଆସିବ କି ନାହିଁ, ଆସିଲେ ଗ୍ରୀଷ୍ମ କୋପ କିଭଳି ରହିବ ? ପାଣିପାଗ ବିଭାଗର ସିଠିକ୍ ଆକଳନ ପରେ ହିଁ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।