Odisha flood: ସୁସୁ କରି ମାଡ଼ିଆସୁଛି ବନ୍ୟା! ବୁଡୁଛି ବାଲେଶ୍ୱର, ଭାସୁଛି ଭଦ୍ରକ; ଯାଜପୁର-ସୁନ୍ଦରଗଡ଼ରେ ବି ହାହାକାର
ବୁଡୁଛି ବାଲେଶ୍ବର, ଉଚ୍ଛୁଳୁଛି ଅନୁଗୁଳ, ଭାସୁଛି ଭଦ୍ରକ, ଜଳାର୍ଣ୍ଣବ ଯାଜପୁର ଏବଂ ସୁନ୍ଦରଗଡ଼ର ବି ସରୁନି ଦୁଃଖ। ପାଣି ସୁସୁ କରି ମାଡ଼ିଯାଉଛି। ଆଉ ଏ ବର୍ଷା ବି ଜୀବନ ମରଣ ଏଠି ଏକ୍ କରିଦେଉଛି। କମୁନି ବର୍ଷା, କମୁନି ବନ୍ୟା, କି କମୁନି ଏଠି ଲୋକଙ୍କ ଦୁର୍ଦ୍ଦଶା। ବାଲେଶ୍ବରରେ ଅନବରତ ଶ୍ରାବଣ ଧାରା ଗଡ଼ାଉଛି। ତେଣୁ ଅବିରତ ବର୍ଷାରେ ଲୋକଙ୍କ ସ୍ଥିତି ସଙ୍ଗୀନ। ବାଲେଶ୍ବର ସହରର ମୋତିଗଞ୍ଜ ପରିବା ମାର୍କେଟରେ ପାଣି ଲହଡ଼ି ମାରୁଛି।
ଆଉ ଅନୁଗଳ ଜିଲ୍ଲାର ପାଲଲହଡ଼ାରେ ବି ବନ୍ୟା ପାଣି ଲହଡି ମାରୁଛି। କେବଳ ପାଣି ଆଉ ପାଣି। ବୁଡ଼ିଛି ରାସ୍ତା ଘାଟ, ଘରେ ପଶିଛି ପାଣି। ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ ୧୪୯ କଡ଼ରେ ଥିବା କଣ୍ଟିଆପଶି ବଜାର ଭିତରେ ବନ୍ୟା ପାଣି ଲହଡ଼ି ମାରୁଛି।
ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଆଉ ଭଦ୍ରକ ଜିଲ୍ଲାରେ ସ୍ଥିତି ସମାନ। ହଠାତ୍ ସୁସୁ କରି ବନ୍ୟା ପାଣି ମାଡ଼ିଆସିବାରୁ ସୁନ୍ଦରଗଡ଼ର ଗୁରୁଣ୍ଡିଆ ବ୍ଲକ ପ୍ରଭାବିତ ହୋଇଛି। ବୁରଡ଼ା ନାଳରେ ଅସ୍ଥାୟୀ ପୋଲ ଭାସିଯିବାରୁ ଗାଁର ୫୨ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି।
ସେପଟେ ଭଦ୍ରକ ଓ ଯାଜପୁରରେ ବୈତରଣୀ ଲୋକଙ୍କୁ ଡରାଉଛି। ଭଦ୍ରକ ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ବର୍ତ୍ତମାନ ୧୮.୩୮ ମିଟର ଉପରେ ବନ୍ୟା ଜଳ ପ୍ରଵାହିତ ହେଉଛି। ସେହିପରି ସାଳନ୍ଦୀ ମଧ୍ୟ ଫୁଲୁଛି। ତେଣୁ ତଳିଆ ଅଞ୍ଚଳ ଲୋକେ ଆତଙ୍କରେ ରହୁଛନ୍ତି। ଯାଜପୁରର ବୈତରଣୀ ଫୁଲୁଥିବା ବେଳେ ଦଶରଥପୁର କାଣୀ ନଦୀରେ ନଦୀ ବନ୍ଧ ଧଶିଛି। ପାଟଣାରେ ମଧ୍ୟ ଖାଉଛି ନଦୀ ବନ୍ଧ।
ସମ୍ବଲପୁରର କୁଚିଣ୍ଡାରେ ମଧ୍ୟ ତାଣ୍ଡବ କରୁଛି ବନ୍ୟା। ମନ୍ଦିରର ବେଢ଼ା ଧୋଇ ନେଇଛି। ଘଟଣାସ୍ଥଳରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଓ ବିଡ଼ିଓ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଅସୁବିଧା କଥା ପଚାରି ବୁଝିଛନ୍ତି। ରାଜ୍ୟ ସାରା ଏମିତି ବନ୍ୟା ତା’ର ଭୟଙ୍କର ରୂପ ଦେଖାଉଛି। ଆଉ ବର୍ଷା କରୁଛି ବିତ୍ପାତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।