Odisha Mayor Election Row: ପରୋକ୍ଷ ହେବ କି ମେୟର ନିର୍ବାଚନ ? ସହରବାସୀ ନୁହେଁ, କର୍ପୋରେଟର ବାଛିବେ କି ମେୟର !
ପୌର ଆଇନ୍ ରେ ଆସିପାରେ ପରିବର୍ତ୍ତନ। ପୁଣିଥରେ ପରୋକ୍ଷରେ ନିର୍ବାଚିତ ହୋଇପାରନ୍ତି ମେୟର। ଭୋଟର ନୁହେଁ କର୍ପୋରେଟଙ୍କ ଦ୍ବାରା ମେୟର ତାଜ ପିନ୍ଧିବେ ଜଣେ କର୍ପୋରେଟର। ଏଭଳି ଚର୍ଚ୍ଚାକୁ ଆଉ ଟିକେ ଖୋରାକ ଯୋଗାଇଛି ନଗର ଉନ୍ନୟନ ମନ୍ତ୍ରୀଙ୍କ ବୟାନ। ତେବେ ବିରୋଧୀ କହିଛନ୍ତି ସରକାର ପ୍ରତ୍ୟକ୍ଷ ନିର୍ବାଚନକୁ ଭୟ କରି ପରୋକ୍ଷ ନିର୍ବାଚନ ପାଇଁ ବାଟ କାଢୁଛନ୍ତି।
ପୌର ଆଇନରେ ଆସିପାରେ ପରିବର୍ତ୍ତନ। ଏଭଳି ଚର୍ଚ୍ଚାକୁ ଆହୁରି ଉଷୁମ କରିଛି ନଗର ଉନ୍ନୟନ ମନ୍ତ୍ରୀଙ୍କ ଇସାରା। ଆସନ୍ତା ବର୍ଷ ହେବାକୁ ଥିବା ପୌର ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଏହାରି ଭିତରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ମେୟର ନିର୍ବାଚନ। ପୌର ଅଧ୍ୟକ୍ଷ ଓ ମେୟର ନିର୍ବାଚନ ପ୍ରତ୍ୟକ୍ଷ ବଦଳରେ ପରୋକ୍ଷରେ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବ୍ଳକ ଅଧ୍ୟକ୍ଷ ଚୟନ ଭଳି ମହାନିଗର ନିଗମ କର୍ପୋରଟରଙ୍କ ଦ୍ବାରା ମେୟର ଓ ଏନଏସି ଆଉ ମ୍ୟୁନିସିପାଲିଟିରେ କାଉନସିଲରଙ୍କ ଦ୍ବାରା ଅଧ୍ୟକ୍ଷ ନିର୍ବାଚିତ ହେବେ।
ତେବେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ସରକାର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ପ୍ରତ୍ୟକ୍ଷ ନା ପରୋକ୍ଷ ଭୋଟ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡି ଓ କଂଗ୍ରେସ ଏହି ପୁରୁଣା ନିୟମ ଫେରିବା ଚର୍ଚ୍ଚାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହେଲାଣି। ରାଜ୍ୟ ନିର୍ବାଚନ କମିଶନର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ପ୍ରଥମେ ପଞ୍ଚାୟତ ଓ ପରେ ହେବ ପୌର ନିର୍ବାଚନ। ଏପ୍ରିଲ୍ ଶେଷ କିମ୍ବା ମେ ପ୍ରଥମରୁ ହେବାକୁ ଯାଉଛି ପୌର ନିର୍ବାଚନ। ମହାନଗର ନିଗମ, ପୌର ପରିଷଦ ଓ ଏନଏସିରେ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ଚାଲିଛି।
୯୯ଟି ମ୍ୟୁନିସିପାଲିଟି ଓ ଏନଏସିରେ ୱାର୍ଡ ସୀମା ଓ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ ପୂର୍ବରୁ ଶେଷ କରିବାକୁ ଯୋଜନା ରହିଛି। ଜିଲ୍ଲାପାଳମାନେ ଜିଲ୍ଲାର କେଉଁ ମ୍ୟୁନିସିପାଲିଟି, କେଉଁ ଏନଏସିର କେଉଁ ୱାର୍ଡର ସୀମା କେଉଁଠି ରହିବ, କେଉଁ ବର୍ଗ ପାଇଁ ସଂରକ୍ଷଣ ରହିବ ସେନେଇ ବିଜ୍ଞପ୍ତି ଜାରି କରିବେ। ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଅଭିଯୋଗ ଓ ମତାମତ ନିଆଯିବ।
ଅକ୍ଟୋବର ୧ରେ ଆସିବ ଚିଠା ବିଜ୍ଞପ୍ତି। ଅକ୍ଟୋବର ୧ରୁ ୧୫ ମଧ୍ୟରେ ଅଭିଯୋଗ ଦାଖଲ କରିହେବ। ଆଉ ଅକ୍ଟୋବର ୩୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି। ହେଲେ ସୀମା ପୁନଃନିର୍ଦ୍ଧାରଣକୁ ନେଇ ଭୋଟରଙ୍କ ମନରେ ଯେତିକି ଉତ୍ସାହ, ସେତିକି ଆଶଙ୍କା ବି।
ଉଦାହରଣ ହେଲା ସମ୍ବଲପୁର, ବ୍ରହ୍ମପୁର ଆଉ ରାଉରକେଲା ମହାନଗର ନିଗମ। ବ୍ରହ୍ମପୁରରେ ହଳଦିଆପଦର ଓ ଲୋଚାପଡ଼ା ଭଳି ୧୪ଟି ପଞ୍ଚାୟତ ଆଜି ବି ମହାନଗରଠାରୁ ପାଦେ ଦୂରରେ ଥାଇ ସହରୀ ସୁବିଧାରୁ ବଞ୍ଚିତ। ରାଉରକେଲା ମହାନଗର ନିଗମ ଗଠନ ହେଲା ସତ, ହେଲେ ଆଜିଯାଏ ନିର୍ବାଚନ ହେଲାନି। ବିଜୁଳି, ପାନୀୟ ଜଳ, ରାସ୍ତା ଓ ଡ୍ରେନେଜ୍ ସମସ୍ୟାରେ ଗୁମୁରି କାନ୍ଦୁଛନ୍ତି ଲୋକେ। ସମ୍ବଲପୁରରେ ବି ସମାନ ସ୍ଥିତି। ...
ରାଜ୍ୟରେ ୨୮ଟି ନୂଆ ଏନ୍ଏସି ଓ ୭ ଟି ମୁନିସିପାଲିଟି ଗଠନ ହୋଇଛି। ସେଠାରେ ମଧ୍ୟ ନିର୍ବାଚନ ହେବ। ତେବେ ଦେଖିବାର କଥା ମେୟର ନିର୍ବାଚନକୁ ନେଇ ସ୍ପଷ୍ଟତା କେତେ ଶୀଘ୍ର ଆଣୁଛନ୍ତି ସରକାର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।