Odisha Murder Mystery: ଟାଟୁ ଖୋଲିଲା ମର୍ଡର ମିଷ୍ଟ୍ରିର ଗୁମର! କଟକରେ ହତ୍ୟା, ତିରୁପତିରୁ ଧରାପଡ଼ିଲା ଅଭିଯୁକ୍ତ
କଟକ ବାଦାମବାଡ଼ି ଥାନା କାଠଯୋଡ଼ି ନଦୀପଠାରୁ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣାର ଖୁଲାସ ହୋଇଛି।
ମର୍ଡର ମିଷ୍ଟ୍ରି ଉପରୁ ଉଠିଲା ପରଦା।
ଟାଟୁ ଖୋଲିଲା ଗୁମର।
କଟକରେ ମର୍ଡର, ତିରୁପତିରୁ ବନ୍ଧା ହେଲା ଅଭିଯୁକ୍ତ ।
ମୃତ ମହିଳା ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଗୌରୀ ଭୋଇ।
ଅକ୍ଟୋବର ୭ ତାରିଖ ସଂଧ୍ୟାରେ କାଠଯୋଡ଼ୀ ନଦୀ ପଠାରୁ ମିଳିଥିଲା ଗୌରୀଙ୍କ ରକ୍ତାକ୍ତ ମୃତଦେହ ।
ଗୌରୀଙ୍କ ମୁଣ୍ଡକୁ ଲଣ୍ଡା କରି ଇଟାରେ ଛେଚା ଯାଇଥିଲା ।
ପରିଚୟ ଜାଣିବାକୁ ପୋଲିସ ତଲାସ କରୁଥିବା ବେଳେ ମୃତ ମହିଳାଙ୍କ ହାତରେ ଲେଖାଥିଲା ଅବିନାଶ ଗୌରୀ ।
ଟାଟୁ ଏବଂ ସିସିଟିଭି ଫୁଟେଜ ଆଧାରରେ ପୋଲିସ ପହଞ୍ଚିଥିଲା ହତ୍ୟାକାରୀ ପାଖରେ ।
ଘଟଣାର ପ୍ରାୟ ୧୮ ଦିନ ପରେ ଅଭିଯୁକ୍ତ ଜଳନ୍ଧର ବାଗକୁ ଗିରଫ କରିଛି ପୋଲିସ ।
ପୋଲିସ ସୂଚନା ଅନୁସାରେ ଗୌରୀ ଭୋଇଙ୍କ ସ୍ବାମୀ ଅବିନାଶ କୌଣସି ଏକ ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ।
ସ୍ବାମୀ ଜେଲରେ ଥିବା ବେଳେ ପତ୍ନୀ ଗୌରୀଙ୍କର ଜଳନ୍ଧର ସହ ସଂପର୍କ ବଢ଼ିଥିଲା ।
ଦିନ ମଜୁରିଆ କାମ କରୁଥିବା ଜଳନ୍ଧର ଗୌରୀଙ୍କୁ ସାଥିରେ ଧରି ଜଗତସିଂହପୁର ଜିଲ୍ଲା ନାଉଗାଁ ଚାଲି ଆସିଥିଲା ।
ତେବେ ନିଶାଖୋର ଜଳନ୍ଧର ଗୌରୀଙ୍କୁ ଅନେକ ସମୟରେ ମାରଧର କରେ ।
ଗତ ୬ ତାରିଖ ଦିନ ମାଡ଼ ମାରି ଗୌରୀଙ୍କ ମୁଣ୍ଡ ଫଟାଇ ଦେବା ପରେ ଚିକିତ୍ସା ପାଇଁ ତାଙ୍କୁ କଟକ ଆଣି ଆସିଥିଲା ଜଳନ୍ଧର ।
ଦିନ ୧୨ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଉଭୟ କାଠଯୋଡ଼ୀ ପଠାରେ ପହଞ୍ଚିଥିଲେ ।
ସେଠାରେ ସଂଧ୍ୟା ୫ଟା ପର୍ଯ୍ୟନ୍ତ ବସିବା ପରେ ଜଳନ୍ଧର ଗୌରୀଙ୍କୁ ଇଟାରେ ଛେଚି ହତ୍ୟା କରିଥିଲା ।
ପରେ ସେଠାରୁ ସେ ବିଭିନ୍ନ ଜାଗା ବଦଳାଇ ଶେଷରେ ତିରୁପତିରେ ଥିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲା ।
ପରକୀୟା ପ୍ରୀତି ପାଇଁ ଗୌରୀଙ୍କ ଜୀବନ ଯାଇଥିବା ବେଳେ ହତ୍ୟା ପଛରେ ଆଉ କିଛି କାରଣ ଅଛି କି ନାହିଁ ପୋଲିସ ଖୋଳତାଡ଼ ଜାରି ରଖିଛି ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।