Odisha New Governor: ବଦଳିଲେ ଓଡ଼ିଶା ରାଜ୍ୟପାଳ, ବ୍ରଜମୋହନ ରାମଙ୍କୁ ନୂଆ ଦାୟିତ୍ୱ; ୬ ରାଜ୍ୟରେ ନୂଆ ନିଯୁକ୍ତି

Oct 12, 2026 - 21:40
Odisha New Governor: ବଦଳିଲେ ଓଡ଼ିଶା ରାଜ୍ୟପାଳ, ବ୍ରଜମୋହନ ରାମଙ୍କୁ ନୂଆ ଦାୟିତ୍ୱ; ୬ ରାଜ୍ୟରେ ନୂଆ ନିଯୁକ୍ତି

ଓଡ଼ିଶା ସମେତ ଦେଶର ୬ଟି ରାଜ୍ୟରେ ରାଜ୍ୟପାଳ ପଦବୀରେ ପରିବର୍ତ୍ତନ। ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କୁ ନିଯୁକ୍ତି ମିଳିଛି। ସୋମବାର ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ନବନିଯୁକ୍ତ ରାଜ୍ୟପାଳମାନେ ନିଜ ନିଜ ପଦବୀରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ଦେଶର ୬ଟି ରାଜ୍ୟର ରାଜ୍ୟପାଳ ପଦବୀରେ ବଡ଼ଧରଣର ଅଦଳବଦଳ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା, କେରଳ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ସିକ୍କିମ୍‌ରେ ନୂଆ ରାଜ୍ୟପାଳ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ଏହି କ୍ରମରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ବ୍ରଜମୋହନ ରାମଙ୍କ ନାଁ ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ତୁଲାଉଥିଲେ। ଏବେ ବ୍ରଜମୋହନ ରାମ ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ।

କେଉଁ ରାଜ୍ୟରେ କିଏ ହେଲେ ରାଜ୍ୟପାଳ?

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ନିମ୍ନଲିଖିତ ନିଯୁକ୍ତି ଘୋଷଣା କରାଯାଇଛି।

  • ଓଡ଼ିଶା: ବ୍ରଜମୋହନ ରାମ
  • କେରଳ: ଓମ୍ ପ୍ରକାଶ ମାଥୁର
  • ତାମିଲନାଡୁ: ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର
  • କର୍ଣ୍ଣାଟକ: ଡକ୍ଟର ସୁଧା ଯାଦବ
  • ଉତ୍ତରାଖଣ୍ଡ: ଡକ୍ଟର ଢାଲ ସିଂହ ବିସେନ
  • ସିକ୍କିମ୍: ଦୁଷ୍ୟନ୍ତ ଗୌତମ

କେରଳ ଓ ତାମିଲନାଡୁରେ ରାଜ୍ୟପାଳ ଅଦଳବଦଳ

ସିକ୍କିମ୍‌ର ବର୍ତ୍ତମାନର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି କେରଳର ରାଜ୍ୟପାଳ ଥିବା ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ତାମିଲନାଡୁର ରାଜ୍ୟପାଳ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ଅନ୍ୟପଟେ ଡକ୍ଟର ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡକ୍ଟର ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିକ୍କିମ୍‌ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

କେବେଠାରୁ କାର୍ଯ୍ୟକାରୀ ହେବ ନିଯୁକ୍ତି?

ରାଷ୍ଟ୍ରପତି ଭବନର ସୂଚନା ଅନୁସାରେ, ନୂଆ ରାଜ୍ୟପାଳମାନଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ସମ୍ପୃକ୍ତ ରାଜ୍ୟରେ ସେମାନେ ଆନୁଷ୍ଠାନିକ ଭାବେ ଶପଥ ନେଇ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ତେବେ ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ କେବେ ଶପଥ ଗ୍ରହଣ କରିବେ, ସେନେଇ ବିସ୍ତୃତ କାର୍ଯ୍ୟସୂଚୀ ସାମ୍ନାକୁ ଆସିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।