Odisha Police ASI Death: ରେଳଧାରଣାରୁ ମିଳିଲା ASIଙ୍କ ମୃତଦେହ, ମୃତ୍ୟୁ ପଛର କାରଣ କ’ଣ?

Oct 25, 2026 - 10:01
Odisha Police ASI Death: ରେଳଧାରଣାରୁ ମିଳିଲା ASIଙ୍କ ମୃତଦେହ, ମୃତ୍ୟୁ ପଛର କାରଣ କ’ଣ?

ପରିବାର ମେରୁଦଣ୍ଡ ତଥା ଗାଁର ଗେହ୍ଲା ପୁଅକୁ ଗିଳି ଦେଇଛି ଲୌହ ଦାନବ।

ବାଲୁଗାଁର ୪୧ ବର୍ଷର ପୁଅ ଜିତେନ୍ଦ୍ର ସାମନ୍ତରାୟ।

ଦୀର୍ଘ ୧୩ ବର୍ଷ ଧରି ପୋଲିସ ବିଭାଗରେ ଚାକିରି କରୁଥିଲେ ସିଏ।

ଗତ ୨୨ ତାରିଖ କଟକ ଦୁର୍ଗାପୂଜା ଭସାଣୀ ପାଇଁ ତାଙ୍କୁ ଡ୍ୟୁଟି ପାଇଁ ଡକରା ଆସିଥିଲା।

ଘରୁ ବାହାରି ଆସିଥିଲେ ଜିତେନ୍ଦ୍ର, ହେଲେ ଆଉ ଫେରିଲେନି।

ସେଦିନ ରାତିରେ କଟକ ଲିଙ୍କରୋଡ ନିକଟ କାଠଯୋଡ଼ି ଷ୍ଟେସନ ନିକଟ ରେଳଧାରଣାରୁ ସନ୍ଦେହଜନକ ଭାବେ ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା।

ପରଦିନ ମଧୁପଟଣା ଥାନା ପକ୍ଷରୁ ତାଙ୍କ ସ୍ତ୍ରୀଙ୍କୁ ଦୁର୍ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲା ।

ପୂର୍ବରୁ କଟକ ଟ୍ରାଫିକ୍‌ ପୋଲିସରେ କନଷ୍ଟେବଳ ଥିବାବେଳେ ପଦୋନ୍ନତି ପାଇ ଏଏସ୍‌ଆଇ ହୋଇଥିଲେ ଜୀତେନ୍ଦ୍ର।

ବର୍ତ୍ତମାନ ଯାଜପୁର ବଇରୀ ପୋଲିସ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ।

ଘରେ ବୃଦ୍ଧ ବାପା ମାଆଥିବା ବେଳେ ୨ଟି କୁନି କୁନି ପିଲା।

ପରିବାରର ସାହା ଭରସା ଥିଲେ ଜିତେନ୍ଦ୍ର।

ତେଣୁ ତାଙ୍କ ଅକାଳ ବିୟୋଗ ପରିବାର ଉପରେ ଚଡ଼କ ପକାଇଛି।

ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି।

ଏହା ଦୁର୍ଘଟଣା ଥିଲା ନାଁ ଆତ୍ମହତ୍ୟା?

ଡ୍ୟୁଟି ସମୟରେ ତାଙ୍କ ଉପରେ କୌଣସି ଚାପ ଥିଲା କି?

ମାନସିକ କିମ୍ବା ପାରିବାରିକ ଅଶାନ୍ତି ଥିଲା କି?

କିଛି ମାସ ପୂର୍ବରୁ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତି ନିଜ ଥାନା ରେଷ୍ଟ ରୁମରେ ଆତ୍ମହତ୍ୟା କରିଥିବା ବେଳେ, ସେ ରହସ୍ୟ ଉନ୍ମୋଚନ ଏଯାଏଁ ହୋଇନାହିଁ।

ତେଣୁ ଜିତେନ୍ଦ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାରୁ ଏଦିଗରେ ମଧ୍ୟ ତଦନ୍ତ ହେବା ନିହାତି ଜରୁରୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।