Odisha Vigilance Cases: ଭିଜିଲାନ୍ସ ଜାଲରେ ଏବେ ବାବୁ କମ୍, ମାଡାମ୍ ଅଧିକ; ପଦବୀ ଆଢ଼ୁଆଳରେ ଦୁର୍ନୀତିର ବଡ଼ ପାହାଡ଼
ଭିଜିଲାନ୍ସ ଜାଲରେ ଧରାପଡ଼ୁଥିଲେ ବାବୁ। ହେଲେ ଏବେ ବାବୁ କମ୍ ମାଡାମ୍ ଅଧିକ। ହଁ ଠିକ୍ ଶୁଣିଲେ, ଲେଡି ଅଫିସରଙ୍କ ପଦବୀ ଆଢ଼ୁଆଳରେ ଦୁର୍ନୀତିର ବଡ଼ ପାହାଡ଼ ଛିଡ଼ା ହେଲାଣି। ଯେମିତି ସରକାରୀ ଚୌକିରେ ବସୁଛନ୍ତି ସେମିତି ମାଗୁଛନ୍ତି ଲାଞ୍ଚ। ଏକାଧିକ ମାମଲାରେ ଏବେ ମହିଳା ଅଧିକାରୀ ଗିରଫ ହେବା ପରେ ଅମାପ ସମ୍ପତ୍ତିର ପାହାଡ଼ କଥା ପଦାକୁ ଫିଟୁଛି। ଏସବୁ ଭିତରେ ଯାଜପୁର ବଡ଼ଚଣାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ ବନ୍ଦିତା ଦାସ।
ଲେଡି ଅଫିସରଙ୍କୁ ଲୋଡା ବିଡ଼ା ବିଡ଼ା ନୋଟ୍ ! ପୁଳା ପୁଳା ଟଙ୍କା ଲୋଭରେ ପଡ଼ିଛନ୍ତି ମହିଳା ଅଧିକାରୀ ! ଜଣେ କି ଦୁଇ ଜଣ ନୁହେଁ ମାଳ ମାଳ ମହିଳା ଅଫିସର ଏବେ ଭିଜିଲାନ୍ସ ଜାଲରେ। ଆଗରୁ ଧରାପଡ଼ିଥିଲେ, ଏବେ ପୁଣି ଧରାପଡ଼ିଲେ। ଭଲ ଭାବେ ଦେଖନ୍ତୁ, ଏଇ ସବୁ ଟଙ୍କାକୁ। ପାଞ୍ଚ ଶହ ଟଙ୍କିଆ ନୋଟ୍ ଥାକ ମାରି ଥୁଆ ହୋଇଛି।
ଏସବୁ ମିଳିଛି ଯାଜପୁର ବଡ଼ଚଣା ବ୍ଲକର ସହକାରୀ ଯନ୍ତ୍ରୀ ବନ୍ଦିତା ଦାସଙ୍କ ଘରୁ। ବକେୟା ବିଲ୍ ଓ ସିକ୍ୟୁରିଟି ବାବଦ ଟଙ୍କା ରିଲିଜ୍ କରିବାକୁ କୁଆଡ଼େ ଯନ୍ତ୍ରୀ ମାଡାମ୍ ଲାଞ୍ଚ ମାଗିଥିଲେ। ୩୫ ହଜାର ଡିଲ୍ ବି ହୋଇଥିଲା ହେଲେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଯାଇ ଘରେ ଯାଞ୍ଚ ବେଳେ ୫ ଲକ୍ଷ ୧୫ ହଜାର ଟଙ୍କା ନଗଦ ମିଳିଛି।
ଏଇ ଗୋଟିଏ ଘଟଣା ନୁହେଁ, ମାଳ ମାଳ ମହିଳା ଅଧିକାରୀ, ଗଦା ଗଦା ନୋଟ୍ ଆଉ ଏକାଧିକ ଭିଜିଲାନ୍ସ କେସ୍। ଥରେ ନଜର ପକାନ୍ତୁ, ଗୋଟି ଗୋଟି ମାମଲା ଉପରେ।
ନମ୍ବର (୧) କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଘରୁ ୩ ଲକ୍ଷ ୧୫ ହଜାର ଟଙ୍କାର କଳାଧନ ନେଇ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଗାଡ଼େଇ ଗୋଡ଼େଇ ଧରିଥିଲା ଭିଜିଲାନ୍ସ। ପରେ ତାଙ୍କ କେନ୍ଦ୍ରାପଡା ସ୍ଥିତ ଘରେ ରେଡରୁ ମିଳିଛି ଆହୁରି ୪ ଲକ୍ଷ।
ନମ୍ବର (୨)ଗତବର୍ଷ ଏପ୍ରିଲ ୩୦ରେ ଢେଙ୍କାନାଳର ତତକାଳୀନ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ୩ ଲକ୍ଷ ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ବାଟରେ ମାଡିବସିଥିଲା ଭିଜିଲାନ୍ସ। ପରେ ଖୋଳତାଡ଼ରୁ ମାଡାମଙ୍କର ଅମାପ ଆୟବହିର୍ଭୁତ ସଂପତ୍ତି ଆସିଥିଲା ପଦାକୁ। ତାଲିକା ଏତିକିରେ ସରିନି।
ନମ୍ବର (୩) ୨୦୨୫ ଅଗଷ୍ଟ ୨୬ରେ ଜଣେ ବେକେରୀ ମାଲିକଙ୍କ ଟିକସ ଫାଙ୍କି ଫାଇଲ କାମ କରିବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଜାଲରେ ପଡିଥିଲେ ଭୁବନେଶ୍ବର ଅତିରିକ୍ତ ଟ୍ୟାକ୍ସ କମିଶନର ସରିତା ବାରିକ।
ନମ୍ବର (୪) ୨୦୨୫ ନଭେମ୍ବର ୧୯ରେ ଜଣେ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ରେଡ୍ ହ୍ୟାଣ୍ଡରେ ଧରିଥିଲା କେନ୍ଦୁଝରର ତତ୍କାଳୀନ ଅବାକରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ। ମହିଳା ଅଧିକାରୀମାନେ ସ୍ବଚ୍ଛ ଓ ଦୁର୍ନୀତିକୁ ପ୍ରଶୟ ଦେଉନଥିବା ଧାରଣା ଥିଲା, କିନ୍ତୁ ଏବେ ବୋଧେ ଟ୍ରେଣ୍ଡ ବଦଳିଗଲାଣି।
ଆଉ ଯେତେବେଳେ ଆପଣ ତଥ୍ୟ ଉପରେ ନଜର ପକାଇବେ ତାହେଲେ ଉଡ଼ିଯିବ ହୋସ୍। ଗଲା ବର୍ଷକ ଭିତରେ ୧୭ ଜଣ ମହିଳା ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
କଥା ଏତିକିରେ ସରୁନି, ଆହୁରି ଶୁଣନ୍ତୁ। ଅନେକ ଭିଜିଲାନ୍ସ ମାମଲାରେ ବଡ଼ ବଡ଼ ଅଧିକାରୀ ଗିରଫ ହୋଇଛନ୍ତି। କୁହାଯାଏ, ବାବୁଙ୍କ ଟଙ୍କା ଲୋଭ ପଛରେ କୁଆଡ଼େ ଘରଣୀଙ୍କ ଭୂମିକା ରହିଛି। ଆଲିସାନ୍ ଫ୍ଲାଟ୍, ବଡ଼ ବଙ୍ଗଳା ଓ ଫରେନ୍ ଟ୍ରିପ୍ ଏସବୁ ପାଇଁ ଟିକିଏ ଏକ୍ସଟ୍ରା ଇନକମ୍ କଥା ବାବୁ ଭାବନ୍ତି। କିନ୍ତୁ ଏବେ ମାଡାମ୍ ବି ବାବୁଙ୍କ ଏଜେଣ୍ଟ ସାଜି କଳାଧନ କଲେକ୍ଟନରେ ମାତିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।