Villages Remain Network Dead Zones: ହାତରେ ମୋବାଇଲ୍, ହେଲେ ନାହିଁ ନେଟୱାର୍କ; କନ୍ଧମାଳର ଦୁର୍ଗମ ଗାଁର ଦୁଃଖ
ସମସ୍ତଙ୍କ ହାତରେ ଖଣ୍ଡିଏ ଖଣ୍ଡିଏ ମୋବାଇଲ୍ ଅଛି, ମୋବାଇଲ୍ ଭିତରେ ସିମ୍ କାର୍ଡ ବି ଅଛି। କିନ୍ତୁ ନା ମୋବାଇଲ୍ ନେଟୱର୍କ ଅଛି ନା କାହା ସହ ଯୋଗାଯୋଗ ହୋଇପାରୁଛି। ତେଣୁ କାହା ପାଇଁ ପାହାଡ଼ର ଚୁଡ଼ା ସାଜିଛି ମୋବାଇଲ୍ ଟାୱାର୍ ତ ଆଉ କାହା ପାଇଁ ନେଟୱାର୍କ ଜୋନ୍ ପାଲଟିଛି ଗାଁଠୁ ଦୂର ଖୋଲା ପଡ଼ିଆ। ଅର୍ଥାତ ଜରୁରୀ ସମୟରେ କଲଟିଏ କରିବା ପାଇଁ କେମିତି କଲବଲ ହେବାକୁ ପଡୁଛି, ଫୁଲବାଣୀ ସହରଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଗଞ୍ଜୁଗୁଡ଼ା ପଞ୍ଚାୟତବାସୀଙ୍କଠାରୁ ଅଧିକ କେହି କେବେ ଅନୁଭବ କରିନଥିବେ।
ଝିଲି ଦିଗାଲ୍ ଗଞ୍ଜୁଗୁଡ଼ା ପଞ୍ଚାୟତର ଆଶା କର୍ମୀ। କୌଣସି ଗର୍ଭବତୀଙ୍କ ଜରୁରୀ ସମୟରେ ଯଦି ଆମ୍ବୁଲାନ୍ସ କିମ୍ବା ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ପଡ଼େ, ତାହେଲେ ତ କଥା ସରିଲା। କାରଣ ମୋବାଇଲରେ ରହୁନି ନେଟୱାର୍କ। ସମାନ ଅବସ୍ଥା ଏହି ପଞ୍ଚାୟତର SHG ସଦସ୍ୟା ଗୀତାଞ୍ଜଳି ବେହେରାଙ୍କର। ଅନଲାଇନରେ ଡାଟା ଏଣ୍ଟ୍ରି କାମ ହେଉ କିମ୍ବା କୌଣସି ସରକାରୀ କାମ, ନେଟୱାର୍କ ଅଭାବରୁ ହୀନସ୍ତା ହେଉଛନ୍ତି ପାହାଡ଼ ଚଢ଼ି।
କେବଳ ଗଞ୍ଜୁଗୁଡ଼ା ପଞ୍ଚାୟତ ନୁହେଁ, ତଥ୍ୟ କହୁଛି, ସାରା ଜିଲ୍ଲାର ୧୧ ଶହରୁ ଅଧିକ ଗାଁରେ ନାହିଁ ମୋବାଇଲ୍ ନେଟୱାର୍କ। ଅନଲାଇନରେ ପିଲାଙ୍କ ପାଠପଢ଼ା, ଡିଜିଟାଲ୍ ପେମେଣ୍ଟ କିମ୍ବା ସରକାରୀ ଅନଲାଇନ୍ ସେବା। ସବୁକିଛି ପାଇଁ ଦରକାର ଇଣ୍ଟରନେଟ୍। ହେଲେ ଏସବୁ ଦୂରେ ଥାଉ, ନେଟୱର୍କ ନଥିବାରୁ ଘରେ ବସି ‘ହାଲୋ’ଟିଏ କରିବାକୁ ହୀନସ୍ତା ହେଉଛନ୍ତି ଗାଁ ଲୋକେ।
ଜିଲ୍ଲାରେ ରହିଛି ୨ ହଜାର ୫୮୭ଟି ଗାଁ। ତା ଭିତରୁ ପ୍ରାୟ ୧୪ ଶହ ଗାଁ ମୋବାଇଲ୍ ନେଟୱାର୍କ ସୁବିଧା ପାଉଥିବା ବେଳେ ୧୧ଶହରୁ ଅଧିକ ଗାଁରେ ନାହିଁ ନେଟୱାର୍କ। ସବୁ ଦିନିଆ ମୋବାଇଲ ନେଟୱାର୍କ ସେବା ଯୋଗାଇଦେବାକୁ ବହୁବାର ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଲୋକେ। କିନ୍ତୁ ନା ଟାୱାର ବସାଯାଇଛି ନା ଲୋକେ ପାଉଛନ୍ତି ନେଟୱାର୍କ ସୁବିଧା।
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କହିବା କଥା, ବିଭିନ୍ନ ମୋବାଇଲ୍ ନେଟୱାର୍କ ସେବା ପ୍ରଦାନକାରୀ ସଂସ୍ଥାର ଅଧିକାରୀଙ୍କ ସହ ମାସକୁ ୨ ଥର ଲେଖାଏଁ ସମୀକ୍ଷା ବୈଠକ କରାଯାଉଛି। ବର୍ଷା ପାଇଁ ବହୁ ଗାଁରେ ମୋବାଇଲ ଟାୱାର ତିଆରି ହୋଇପାରିନି। ଏବେ ବର୍ଷା ଛାଡ଼ିଛି। JIO ଏବଂ BSNL ସଂସ୍ଥାକୁ ବିଭିନ୍ନ ଗାଁରେ ମୋବାଇଲ ଟାୱାର ନିର୍ମାଣ କାମ ସାରିବାକୁ କୁହାଯାଇଛି।
କେବଳ କନ୍ଧମାଳ କାହିଁକି, ୨୦୨୬ ମାର୍ଚ୍ଚ ୧୦ ସୁଦ୍ଧା ବିଧାନସଭାର ତଥ୍ୟ କହୁଛି, ରାଜ୍ୟବ୍ୟାପୀ ୧ ହଜାର ୨୩୭ ଗାଁରେ ନଥିଲା ମୋବାଇଲ୍ ଟାୱାର। ସେ ଯାହା ବି ଆଜିର ଜୀବନଶୈଳୀ ଭିତରେ ମୋବାଇଲ୍ ପାଲଟିଗଲାଣି ମୌଳିକ ଆବଶ୍ୟକତା। କିନ୍ତୁ ଦୁର୍ଭାଗ୍ୟ 5G ଦୌଡ଼ରେ ଥିବା ଦୁନିଆରେ ‘ନେଟୱର୍କ ଡେଡ୍ ଜୋନ୍’ ସାଜିଛି କନ୍ଧମାଳ ଭଳି ରାଜ୍ୟର ବହୁ ଦୂର୍ଗମ ଇଲାକା। ତେବେ କେବେ ଏସବୁ ଇଲାକା ପାଲଟିବ ‘ନେଟୱର୍କ ଜୋନ୍’, ତାକୁ ଅପେକ୍ଷା।...
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।