Odisha village of soldiers: ‘ସୈନିକଙ୍କ ଗାଁ’ ସିଙ୍ଗାପୁର; ଦେଶସେବା ଏଠି ଚାକିରି ନୁହେଁ, ବରଂ ଗର୍ବ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଙ୍ଗାପୁର ଗାଁ। ଏହି ଗାଁର ଆଉ ଏକ ପରିଚୟ ହେଲା ‘ସୈନିକଙ୍କ ଗାଁ’। ଜଣେ କି ଦୁଇଜଣ ନୁହେଁ, ଏହି ଗାଁର ୧୦୦ରୁ ଅଧିକ ଯବାନ ଆଜି ବି ସେନାବାହିନୀର ବିଭିନ୍ନ ବିଭାଗରେ ରହି ଦେଶ ସେବା କରୁଛନ୍ତି। ଦେଶ ପାଇଁ ଏହି ମାଟି ଦେଇଛି ୩ ଜଣ ବୀର ସହିଦ।
୨୦୦୫ ମସିହା, ଅକ୍ଟୋବର ୮ ତାରିଖ। ନାଗାଲାଣ୍ଡରେ ହୋଇଥିଲା ଉଗ୍ରପନ୍ଥୀଙ୍କ ଗୁଳିକାଣ୍ଡ। ଏହି ଘଟଣାରେ ମାତ୍ର ୨୩ ବର୍ଷ ବୟସରେ, ଟଳି ପଡିଥିଲେ ବୀର ଯବାନ ଅନିରୁଦ୍ଧ ବରାଳ। ସେହିପରି ୨୦୧୬ ଏପ୍ରିଲ ୧୭ରେ ଦାର୍ଜିଲିଂ ପାହାଡ଼ରେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ଏହି ଦୁର୍ଘଟଣାରେ ସହିଦ ହୋଇଗଲେ ବୀର ଯବାନ ନାରାୟଣ ଚନ୍ଦ୍ର ପ୍ରଧାନ। ଏହି ମାଟିର ଆଉ ଜଣେ ବୀର ହେଲେ ଦେବେନ୍ଦ୍ର ମଲ୍ଲିକ। ସେ ମଧ୍ୟ ଦେଶସେବା କରି ସହିଦ ହୋଇଛନ୍ତି।
ଏହି ତିନି ବୀରଙ୍କ ତ୍ୟାଗକୁ ଆଜି ବି ଭୁଲିନି ସିଙ୍ଗାପୁର। ସେ ୧୫ ଅଗଷ୍ଟ ହେଉ, କି ୨୬ ଜାନୁଆରୀ, ଜନ୍ମଦିନ ହେଉ କି ତିରୋଧାନ ଦିବସ ପ୍ରତ୍ୟେକ ଅବସରରେ ଗ୍ରାମବାସୀ ଓ ପରିବାର ଲୋକେ ମନେପକାନ୍ତି ଏହି ବୀରମାନଙ୍କୁ।
ସିଙ୍ଗାପୁରର ଏହି ଦେଶପ୍ରେମର କାହାଣୀ କେବଳ ଆଜିର ନୁହେଁ। ସ୍ୱାଧୀନତା ସଂଗ୍ରାମ ସମୟରୁ ହିଁ ଏହି ମାଟିର ଲୋକଙ୍କ ଭିତରେ ରହିଛି ଦେଶ ପାଇଁ ଲଢ଼ିବାର ଜୋଶ। ସ୍ୱାଧୀନତା ସଂଗ୍ରାମୀ ଭଗବାନ ରଥଙ୍କ ନେତୃତ୍ୱରେ ଶତାଧିକ ଲୋକ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ମଧ୍ୟ ସେ ଗ୍ରହଣ କରିନଥିବା କଥା କୁହନ୍ତି ଗ୍ରାମବାସୀ।
ସେହି ଦେଶପ୍ରେମର ପରମ୍ପରା ଆଜି ବି ଜାରି ରହିଛି। ଏହି ଗାଁର ଯୁବକଙ୍କ ପାଇଁ ସେନାରେ ଯୋଗଦେବା କେବଳ ଏକ ଚାକିରି ନୁହେଁ, ଦେଶସେବାର ଏକ ଗୌରବ ବୋଲି ଭାବନ୍ତି।
ଯେଉଁ ମାଟିରୁ ଶହେରୁ ଅଧିକ ଯବାନ ଦେଶକୁ ସୁରକ୍ଷା ଦେଉଛନ୍ତି। ଯେଉଁ ମାଟି ଦେଶ ପାଇଁ ୩ ବୀରଙ୍କୁ ସହିଦ କରିଛି। ଆଉ ଯେଉଁ ମାଟିରେ ଆଜି ବି ଯୁବପିଢ଼ିଙ୍କ ମନରେ ଦେଶସେବାର ସ୍ୱପ୍ନ ରହିଛି। ସେହି ମାଟିକୁ ଆଜି ଶତ ଶତ ପ୍ରଣାମ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।