Fake RBI officer scam: ଡିଜିଟାଲ୍ ଗିରଫର ଜାଲରେ ୯୦ ବର୍ଷୀୟ ଜଜ୍, ଠକିନେଲେ ୨ କୋଟି ୫୦ ଲକ୍ଷ
ଜଜ୍ଙ୍କୁ ଫୋନ୍, ଫୋନ୍ରେ ଧମକ, ଆଉ ତା’ପରେ ‘ଡିଜିଟାଲ୍ ଗିରଫ’। ରାଜସ୍ଥାନର ଜୟପୁରରେ ଜଣେ ୯୦ ବର୍ଷୀୟ ପୂର୍ବତନ ଜିଲ୍ଲା ଜଜ୍ ସାଇବର ଠକଙ୍କ ଏଭଳି ଚାଲ୍ର ଶିକାର ହୋଇଛନ୍ତି। ଜୁଲାଇ ୨୮ ତାରିଖରେ ତାଙ୍କୁ ଏକ ଅଜଣା ନମ୍ବରରୁ WhatsApp ଭିଡିଓ କଲ୍ ଆସିଥିଲା। ପୋଲିସ ବେଶରେ ଥିବା ବ୍ୟକ୍ତି ନିଜକୁ ମୁମ୍ବାଇର CBI ଅଧିକାରୀ ବୋଲି ପରିଚୟ ଦେଲେ। ଆଉ, ୫୦ କୋଟି ଟଙ୍କାର ବେଆଇନ୍ କାରବାର ଧରାପଡ଼ିଛି ଏବଂ ସେଥିରୁ ୪୦ ଲକ୍ଷ ଟଙ୍କା ତାଙ୍କ SBI ଖାତାକୁ ଆସିଛି ବୋଲି କହିଲେ।
ଏହା ପରେ ଆରମ୍ଭ ହୋଇଥିଲା ଧମକ। ଗିରଫ କରିବାର ଭୟ। ଆଉ ଶେଷରେ ପରିବାରକୁ କିଛି ନ କହିବାକୁ କୁହାଯାଇଥିଲା। ପରେ ଆଉ ଜଣେ ବ୍ୟକ୍ତି ନିଜକୁ RBI ମ୍ୟାନେଜର ବୋଲି ପରିଚୟ ଦେଇଥିଲେ। ତାଙ୍କ ମ୍ୟୁଚୁଆଲ୍ ଫଣ୍ଡ ଓ ଅନ୍ୟ ଆର୍ଥିକ ତଥ୍ୟ ମଧ୍ୟ ମାଗିଥିଲେ। ଭୟ ଓ ଚାପରେ ପୂର୍ବତନ ଜଜ୍ ନିଜର ଆର୍ଥିକ ତଥ୍ୟ ଦେଇଦେଲେ।
ଅଭିଯୋଗ ଅନୁସାରେ, ଅଗଷ୍ଟ ୩ରୁ ୧୦ ତାରିଖ ମଧ୍ୟରେ ତାଙ୍କ ଖାତାରୁ ୨ କୋଟି ୫୦ ଲକ୍ଷ ୫୧ ହଜାର ଟଙ୍କା ବିଭିନ୍ନ ଖାତାକୁ ଟ୍ରାନ୍ସଫର ହୋଇଛି। କେବଳ ଏତିକି ନୁହେଁ, ପ୍ରତ୍ୟେକ ଫୋନ୍ କଲ୍ ପରେ WhatsApp ଚାଟ୍, କଲ୍ ଲଗ୍ ଓ ଅନ୍ୟ ମେସେଜ୍ ଡିଲିଟ୍ କରିବାକୁ ମଧ୍ୟ ଠକମାନେ ତାଙ୍କୁ କହିଥିଲେ। ପରେ ତାଙ୍କ PPF ଖାତାରୁ ମଧ୍ୟ ଟଙ୍କା ଉଠାଇବାକୁ କୁହାଯାଇଥିଲା। ପରେ ପୂର୍ବତନ ଜଜ୍ ଜଣକ ସାଇବର ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା।
ଫୋନରେ ପୋଲିସ ଅଧିକାରୀଙ୍କ ଭଳି କଥା, ଗିରଫର ଧମକ, ଆଉ ତଦନ୍ତ ନାଁରେ ଟଙ୍କା ଟ୍ରାନ୍ସଫର। ତେଣୁ ଏଭଳି କଲ୍ ଆସିଲେ ଭୟଭୀତ ନ ହୋଇ ତୁରନ୍ତ ପରିବାର ଲୋକଙ୍କୁ ଜଣାନ୍ତୁ ଏବଂ ପୋଲିସର ସହାୟତା ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।