OHRC ନୋଟିସ୍‌ ପରେ ଚେତିଲା ପ୍ରଶାସନ; ଭିନ୍ନକ୍ଷମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ପ୍ରତି ଦୃଷ୍ଟି କେବେ?

Sep 04, 2026 - 23:08
OHRC ନୋଟିସ୍‌ ପରେ ଚେତିଲା ପ୍ରଶାସନ; ଭିନ୍ନକ୍ଷମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ପ୍ରତି ଦୃଷ୍ଟି କେବେ?

"ସମ୍ବଲପୁର (ଗାର୍ଗୀ ଶତପଥୀ): ମୋ" ଆଧାରରେ ବାପାଙ୍କ ନାମ ଭୁଲ ଅଛି।

ନାମଲେଖା ପ୍ରମାଣପତ୍ର ସହିତ ଆଧାରର କୌଣସି ମେଳ ନାହିଁ।

ଏହାକୁ ଠିକ କରି ଦିଅନ୍ତୁ ବୋଲି ୬ ବର୍ଷ ଧରି କରନ୍‌ ନିଜେ ରହୁଥିବା ୨ଟି ବାଳାଶ୍ରମ ଅଧୀକ୍ଷକଙ୍କ ଠାରୁ ଆରମ୍ଭ କରି ଶିଶୁସୁରକ୍ଷା ଅଧିକାରୀ, ସୁନ୍ଦରଗଡ଼ ଜିଲ୍ଲାପାଳ ସମେତ ଅନେକ କାର୍ଯ୍ୟାଳୟ ଓ ସହଜ କେନ୍ଦ୍ରକୁ କେତେଥର ଯେ ଦୌଡ଼ିଛନ୍ତି ତାର ଠିକଣା ନାହିଁ।

ଏଥିଯୋଗୁଁ ସେ ନିଜସ୍ବ ସବୁ ପ୍ରାପ୍ୟ ଏବଂ ଅଧିକାରରୁ ବଞ୍ଚିତ ହେଉଥିଲେ।

ଅନେକ କଷ୍ଟ ସହୁଥିଲେ, ସମସ୍ୟାରେ ରହୁଥିଲେ।

ମାତ୍ର କେହି ଏହି ବାପା, ମା" ଛେଉଣ୍ଡ ଶିଶୁର ସାମାନ୍ୟ ଆଧାରକାର୍ଡ ତ୍ରୁଟିକୁ ସଂଶୋଧିତ କରିବା ଦିଗରେ ପଦକ୍ଷେପ ନେଉନଥିଲେ।

ଏହାକୁ ନେଇ ମାନବାଧିକାର ଆୟୋଗଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ କରନ୍‌ଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବା ପାଇଁ ନୋଟିସ ଜାରି କରା ଯାଇଥିଲା।

Advertisment ଏହାପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ପଦକ୍ଷେପ ନେଇଛି।

ଫଳସ୍ବରୂପ ଆଜି କରନ୍‌ଙ୍କ ଆଧାର ସଂଶୋଧିତ ହୋଇଛି।

ଏତିକିରେ କରନ୍‌ଙ୍କ ସଂଘର୍ଷ ସରି ନାହିଁ।

ତାଙ୍କୁ ଜାତି ପ୍ରମାଣପତ୍ର ପ୍ରଦାନ ସହିତ ଭିନ୍ନକ୍ଷମ ପ୍ରମାଣପତ୍ରରେ ସଂଶୋଧନ ଓ ଯୋଗ୍ୟତା ଅନୁଯାୟୀ ଶିକ୍ଷାବୃତ୍ତି ତଥା ଭତ୍ତା ପ୍ରଦାନର ଆବଶ୍ୟକତା ରହିଛି।

ପ୍ରଶାସନ ପକ୍ଷରୁ ଏ ଦିଗରେ କଣ ପଦକ୍ଷେପ ନିଆଯାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ନିଜ ବିଷୟରେ କରନ୍‌ କହନ୍ତି, ତାଙ୍କ ମା", ବାପା କିଏ ସେ ଜାଣନ୍ତି ନାହିଁ।

ଛୋଟବେଳୁ ତିନିଟି ଆଶ୍ରମ ବଦଳାଇବାକୁ ପଡ଼ିଥିବାରୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ଠିକଣା ଟିଏ ମିଳି ନାହିଁ।

୫ରୁ ୬ ମାସ ହୋଇଥିଲାବେଳେ ରାଉରକେଲାର ଶିଶୁଭବନରେ କେହି ଛାଡ଼ି ଦେଇଥିଲେ।

୫ ବର୍ଷ ପରେ ଉକ୍ତ ଆଶ୍ରମ ବନ୍ଦ ହୋଇଯିବାରୁ ରାଉରକେଲାର ସର୍ବଭୌତି ଆଶ୍ରମ ତାଙ୍କ ଦ୍ବିତୀୟ ଠିକଣା ପାଲଟିଲା।

ଉକ୍ତ ଆଶ୍ରମର ଅଧୀକ୍ଷକ ଥିଲେ ପିକେ ସେନାପତି।

ଦ୍ବିତୀୟ ଶ୍ରେଣୀରେ ପଢ଼ିବାବେଳକୁ ତାଙ୍କ ଆଧାର ପ୍ରସ୍ତୁତ ହୋଇଥିଲା।

ତହିଁରେ ପିତାଙ୍କ ସ୍ଥାନରେ ଅଧୀକ୍ଷକଙ୍କ ନାମ ପିକେ ସେନାପତି ଦିଆଗଲା।

କିନ୍ତୁ ସ୍କୁଲ ନାମଲେଖା ବେଳକୁ ଆଶ୍ରମ ପକ୍ଷରୁ ବାପା, ମା"ଙ୍କ ନାମ ମୁନା ଏକ୍କା ଏବଂ କନ ଏକ୍କା ଲେଖାଗଲା।

ଦୁଇଟି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଏତେ ବଡ଼ ପାର୍ଥକ୍ୟ ସମ୍ପର୍କରେ ସେ ଅଷ୍ଟମ ଶ୍ରେଣୀ ଏସ୍‌ଏଲ୍‌ସି ଆଣିବାବେଳକୁ ଜାଣି ପାରିଥିଲେ।

ଏ ସମ୍ପର୍କରେ ସେ ରହୁଥିବା ଦ୍ବିତୀୟ ଆଶ୍ରମ ରାଉରକେଲାର ସର୍ବଭୌତି ଏବଂ ତୃତୀୟ ଆଶ୍ରମ ସୁନ୍ଦରଗଡ଼ର ଆଦୃତ ଶିଶୁ ସଦନକୁ ଜଣାଇଥିଲେ ମଧ୍ୟ କେହି ଗୁରୁତ୍ବ ଦେଇନଥିଲେ।

ତାଙ୍କ ମାଟ୍ରିକ ପ୍ରମାଣପତ୍ରରେ ବି ବାପା, ମା"ଙ୍କ ନାମ ମୁନା ଏକ୍କା ଏବଂ କନ ଏକ୍କା ରହିଗଲା।

ଆଧାର ଓ ମାଟ୍ରିକ ପ୍ରମାଣପତ୍ରରେ ପିତାଙ୍କ ନାମ ଭିନ୍ନଭିନ୍ନ ରହିବା ଯୋଗୁଁ ଆଜି ପର୍ଯ୍ୟନ୍ତ କରନ୍‌ଙ୍କୁ କୌଣସି ଛାତ୍ରବୃତ୍ତି ମିଳିପାରି ନାହିଁ।

କାନରେ ଶୁଣିବା ସମସ୍ୟା ଥିଲେ ମଧ୍ୟ ସେ ଭିନ୍ନକ୍ଷମ ଭତ୍ତା ପାଉନାହାନ୍ତି।

ରାଜ୍ୟ କ୍ରିକେଟ୍‌ ଦଳରେ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

ଏ ସଂକ୍ରାନ୍ତରେ ଗତ ଅକ୍ଟୋବର ମାସରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ବି କୌଣସି ଲାଭ ହେଲା ନାହିଁ।

Flood Relief: ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ଆଧାର କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଅବିରତ ଭାବେ ଜାରି ରହିଛି: ସୁରେଶ ପୂଜାରୀ ଜିଲ୍ଲାପାଳ ତାଙ୍କ ଆଧାର ସଂଶୋଧନ ପାଇଁ ଡିସିପିଓ ଏବଂ ଭିନ୍ନକ୍ଷମ ପ୍ରମାଣପତ୍ର ସଂଶୋଧନ ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କହିଥିଲେ।

ସେ ସାବାଳକ ହେବାପରେ ସବୁ ଠିକ ହୋଇଯିବ କହି ସେମାନେ ଅବଧି ଗଡ଼ାଇଦେଲେ।

୧୮ ବର୍ଷ ପରେ ମଧ୍ୟ କରନ୍‌ଙ୍କ ସମସ୍ୟାର ସମାଧାନ ହେଲା ନାହିଁ।

ବରଂ ଅନେକ କ୍ଷେତ୍ରରେ ତାଙ୍କୁ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଛି।

ଗତ ସପ୍ତାହରେ ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାନବାଧିକାର କମିସନର ଶତୃଘନ ପୂଜାହାରୀ ଜିଏମ୍‌ ବିଶ୍ବବିଦ୍ୟାଳୟ ଆସିଥିବାବେଳେ କରନ୍‌ ତାଙ୍କୁ ସାକ୍ଷାତ କରିଥିଲେ।

ନିଜ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ।

ଏହାପରେ କରନ୍‌ଙ୍କ ସମ୍ପର୍କରେ ସବିସ୍ତୃତ ତଥ୍ୟ ଦେବା ପାଇଁ ଓଏଚ୍‌ଆର୍‌ସି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍‌ କରିଥିଲେ।

ଏହାପରେ ସୁନ୍ଦରଗଡ଼ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ କରନ୍‌ଙ୍କ ଆଧାର ସଂଶୋଧନ ପାଇଁ ପଦକ୍ଷେପ ନିଆ ଯାଇଥିଲା।

ଆଜି କରଣଙ୍କୁ ତାଙ୍କ ସଂଶୋଧିତ ଆଧାର ମିଳିଛି।

ଦୀର୍ଘ ୬ ବର୍ଷର ସଂଘ‌ର୍ଷ ପରେ ତାଙ୍କୁ ଏହି ସଫଳତା ମିଳିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।