ONGC Discovers Natural Gas In Mahanadi Basin: ଓଡ଼ିଶା ଉପକୂଳରେ ବଡ଼ ଗ୍ୟାସ୍ ସନ୍ଧାନ, ଏନର୍ଜି କ୍ଷେତ୍ରରେ ନୂଆ ଆଶା

Sep 22, 2026 - 22:23
ONGC Discovers Natural Gas In Mahanadi Basin: ଓଡ଼ିଶା ଉପକୂଳରେ ବଡ଼ ଗ୍ୟାସ୍ ସନ୍ଧାନ, ଏନର୍ଜି କ୍ଷେତ୍ରରେ ନୂଆ ଆଶା

ଓଡ଼ିଶା ଉପକୂଳରେ ମିଳିଛି ଗ୍ୟାସ ଭଣ୍ଡାର। କୋଣାର୍କରୁ ୪୩ କିଲୋମିଟର ଦୂର ବଙ୍ଗୋପସାଗର ଭିତରେ ରହିଛି ପ୍ରାକୃତିକ ଗ୍ୟାସ୍। ଏତେ ଅଛି ଯେ, ତିନି ଦିନି ହେଲା ଅନବରତ ବାହାରୁଛି। କେନ୍ଦ୍ର ସରକାରରର ଅପରେସନ୍ ସମୁଦ୍ର ମନ୍ଥନ ବେଳେ ଏଇ ଆବିଷ୍କାର ହୋଇଛି। ଯାହା ଓଡ଼ିଶା ପାଇଁ, ଭାରତ ପାଇଁ ଆଣିଛି ଗର୍ବ ଓ ଦେଖାଇଛି ଆଶାର ନୂଆ କିରଣ। 

ପୁରୀ ଜିଲ୍ଲା କୋଣାର୍କ ଉପକୂଳରେ ଗ୍ୟାସ ଭଣ୍ଡାର ଆବିଷ୍କାର କରିଛି Oil and Natural Gas Corporation Limited-ONGC। କୋଣାର୍କ ଉପକୂଳରୁ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀର ଗଭୀର ସମୁଦ୍ର ବେସିନରେ ଗ୍ୟାସ ଭଣ୍ଡାର ଠାବ କରାଯାଇଛି। କେନ୍ଦ୍ର ସରକାରଙ୍କ ସମୁଦ୍ର ମନ୍ଥନ ମିଶନର ୟେ ଆଉ ଏକ ସନ୍ଧାନ। ସମୁଦ୍ରର ଭିତରେ ଗଭୀରରୁ ଅତି ଗଭୀରରେ ଲୁଚି ରହିଥିବା ମୂଲ୍ୟବାନ ପ୍ରାକୃତିକ ସମ୍ପଦକୁ ଖୋଜି ଆଣିଛି ଏଇ ଟିମ୍। ହାତରେ ଭାରତୀୟ ପତାକା, ଆଉ ୟେ ଜଳୁଥିବା ବର୍ଣ୍ଣିଂ ଓଡ଼ିଶା ଉପକୂଳ ମାଟିରେ ଥିବା ବହୁମୂଲ୍ୟ ସେଇ ସମ୍ପଦ। ଡ୍ରିଲସିପ୍ ‘ପ୍ଲାଟିନମ୍ ଏକ୍ସପ୍ଲୋର’ ଜରିଆରେ ୨୫ ଜୁଲାଇରେ ଏହି କୂଅର ଖନନ କାମ ଆରମ୍ଭ କରିଥିଲା ସମୁଦ୍ର ମନ୍ଥନ ଟିମ୍। ୧୬ ଶହ ୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳିବା ପରେ ମିଳିଛି ବଡ଼ ସଫଳତା। ଗଲା ତିନି ଦିନ ଧରି ଏଥିରୁ ଲଗାତାର ଭାବେ ବାହାରୁଛି ଗ୍ୟାସ୍। ଯାହା ଏକ ବଡ଼ ସଙ୍କେତ ଦେଇଥିବା କହିଛି ONGC। ସମୁଦ୍ରକୂଳରେ ପ୍ରାକୃତିକ ସଂପଦର ସନ୍ଧାନ ମିଶନକୁ ୟେ ବଡ଼ ଲମ୍ଫ ଦେଇଥିବା ସୂଚନା ଦେଇଛନ୍ତି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ୍ ସିଂ ପୁରୀ। 

ଏବେ ମୁମ୍ବାଇ ଉପକୂଳ ଆରବ ସାଗରରେ, ତାମିଲନାଡ଼ୁର ବଙ୍ଗୋପସାଗର ଉପକୂଳରେ ସବୁଠୁ ଅଧିକ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ ହେଉଛି। ଯଦି, କୋଣାର୍କ ଉପକୂଳରୁ ଆଶା ଅନୁସାରେ ପ୍ରାକୃତିକ ଗ୍ୟାସ୍ ମିଳେ ତାହେଲେ ସାରା ବିଶ୍ବ ମାନଚିତ୍ରରେ ଭାରତ ତିଆରି କରିବ ବଡ଼ ମାଇଲ୍ ଷ୍ଟୋନ୍। କାରଣ ଯେଉଁ ପ୍ରାକୃତିକ ସମ୍ପଦକୁ ହାତେଇବା ପାଇଁ ସାରା ବିଶ୍ବ ଏବେ ଲଢ଼େଇରେ ବ୍ୟସ୍ତ। ଭେନିଜୁଏଲା ଉପରେ ଆମେରିକାର ଅତର୍କିତ ହମଲା କୁହନ୍ତୁ ଅବା ଇରାନ-ଆମେରିକା ଯୁଦ୍ଧ କିମ୍ବା ଋଷ ସହ ଆମେରିକାର ଚିର ଦିନର ଶତ୍ରୁତା। ସବୁବେଳେ ସବୁ ପରିସ୍ଥିତିରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ହିଁ ଏଇ ସବୁର ମୂଳ କାରଣ। ତାସହ ନିକଟରେ ଇରାନ ଯୁଦ୍ଧ ସ୍ଥିତି ପରେ ଦେଖାଦେଇଥିବା ଗ୍ୟାସ୍ ସଙ୍କଟ ହିଁ ଅପରେସନ୍ ସମୁଦ୍ର ମନ୍ଥନକୁ ତ୍ବରାନ୍ବିତ କରିଛି।  

ଓଡ଼ିଶା ଉପକୂଳ ମହାନଦୀ ବେସିନ୍ ରେ ପ୍ରାକୃତିକ ଗ୍ୟାସ୍ ଆବିଷ୍କାର ଭାରତର ଏନର୍ଜି ସୁରକ୍ଷାରେ ନୂଆ ଅଧ୍ୟାୟ ଯୋଡ଼ିଛି। ବର୍ତ୍ତମାନର ସ୍ଥିତି ଓ ଅନୁମାନ ଯଦି ସତ ହୁଏ ତାହେଲେ ଏଇ ଆବିଷ୍କାର ଅନେକ ଫାଇଦା ଦେଇପାରେ। ଭାରତ ଉପରେ ପ୍ରତିଦିନ ପଡ଼ୁଥିବା ଗ୍ୟାସ୍ ଉତ୍ପାଦନର ଖର୍ଚ୍ଚ  କମିବ, ପ୍ରାକୃତିକ ଗ୍ୟାସ୍ ଏବଂ ତେଲ ଉତ୍ପାଦନ ବଢ଼ିବ, ଗ୍ୟାସ୍ ଉତ୍ପାଦନରେ ଭାରତ ହୋଇପାରେ ଆତ୍ମ ନିର୍ଭର। କୋଣାର୍କ ଅଞ୍ଚଳରେ ପ୍ରାକୃତିକ ସମ୍ପଦର ସନ୍ଧାନ ମିଳିବା କିଛି ନୂଆ କଥା ନୁହେଁ, ପୂର୍ବରୁ ବି ପେଟ୍ରୋଲିୟମ୍ ସାମଗ୍ରୀ ଥିବା ସନ୍ଧାନ ରହିଛି। ଆଉ ନୂଆ ଖବରକୁ ନେଇ ଖୁସି ବ୍ୟକ୍ତି କରିଛନ୍ତି ସ୍ଥାନୀୟ ବାସିନ୍ଦାଠୁ ନେଇ ବିଶିଷ୍ଟ ବ୍ୟକ୍ତି ବିଶେଷ। ଓଡ଼ିଶା ଉପକୂଳରେ ଏହି ଆବିଷ୍କାର ଗଭୀର ସମୁଦ୍ରରେ ତୈଳ ଓ ଗ୍ୟାସ୍ ଅନୁସନ୍ଧାନକୁ ନୂଆ ଗତି ଦେବ ବୋଲି କହିଛନ୍ତି ପୂର୍ବତନ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ, ଆଉ ଦେଶର ଏନର୍ଜି ଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିଥିବା କହିଛନ୍ତି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।