Online Taxi Drivers’ Stir Takes Violent Turn: ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ, ରଣକ୍ଷେତ୍ର ପାଲଟିଲା ମାଷ୍ଟର୍ କ୍ୟାଣ୍ଟିନ୍ ଛକ

Aug 19, 2026 - 20:11
Online Taxi Drivers’ Stir Takes Violent Turn: ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ, ରଣକ୍ଷେତ୍ର ପାଲଟିଲା ମାଷ୍ଟର୍ କ୍ୟାଣ୍ଟିନ୍ ଛକ

ଦିନ ପାଖାପାଖି ୧୦ଟା। ମାଷ୍ଟର କ୍ୟାଣ୍ଟିନ୍ ଛକ, ଭୁବନେଶ୍ବର। ଚାହୁଁ ଚାହୁଁ ଶହ ଶହ ସଂଖ୍ୟାରେ ଅନଲାଇନ୍ ଅଟୋ, ଟ୍ୟାକ୍ସି ଓ ବାଇକ୍ ଚାଳକ ନିଜ ନିଜର ଗାଡ଼ି ଧରି ପହଞ୍ଚି ଯାଇଥିଲେ ଆନ୍ଦୋଳନ ପାଇଁ। ହେଲେ ସମୟ ଗଡ଼ିବା ସହ ଡ୍ରାଇଭରମାନେ ରାଜରାସ୍ତାରେ ଆରମ୍ଭ କରିଦେଇଥିଲେ ଉତ୍ପାତ। ରୋଡ୍ ଉପରେ ନିଜ ନିଜର ଗାଡ଼ି ରଖି ଜନପଥରେ ଯାତାୟତକୁ କରିଦେଇଥିଲେ ଠପ୍। କେଇ ମିନିଟ୍ ମଧ୍ୟରେ ଉଭୟ ପାର୍ଶ୍ବରେ ଲାଇନ୍ ହୋଇ ଅଟକି ଯାଇଥିବା ଆମ ବସ୍ ଆଉ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟାନ୍ୟ ଗାଡ଼ି।

ଏହାରି ଭିତରେ ମାଷ୍ଟର କ୍ୟାଣ୍ଟିନ୍ ଛକକୁ ଏକ ପ୍ରକାର ନିଜ ଅକ୍ତିଆରକୁ ନେଇ ସାରିଥିଲେ ଅନଲାଇନ୍ ଡ୍ରାଇଭରମାନେ। କଥା ଏତିକିରେ ଅଟକି ନଥିଲା। ଛିଡ଼ା ହୋଇଥିବା ଏକ କାର୍ ଚାଳକଙ୍କୁ ମାଡ଼ ମାରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଫଳରେ ଉପୁଜିଥିଲା ଆଇନଶୃଙ୍ଖଳା ପରିସ୍ଥିତି। ଏହାପରେ ପୋଲିସ୍, ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ବୁଝାସୁଝା କରିଥିଲା। କିନ୍ତୁ ସେ ଭିତରେ କିଛି ଆନ୍ଦୋଳନକାରୀ ପୋଲିସ୍ ଉପରକୁ ଢେଲାପଥର ମାଡ଼ ସହ ସରକାରୀ ସଂପତ୍ତି ନଷ୍ଟ କରିବାରେ ଲାଗିପଡ଼ିଥିଲେ। ଚାହୁଁ ଚାହୁଁ ପୂରା ମାଷ୍ଟର କ୍ୟାଣ୍ଟିନ୍ ଛକ ପାଲଟି ଯାଇଥିଲା ରଣକ୍ଷେତ୍ର। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ବେଳେ ପୋଲିସ୍ ସହ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏହା ଭିତରେ କିନ୍ତୁ ବଳି ପଡ଼ିଯାଇଥିଲେ ସାଧାରଣ ଯାତ୍ରୀ। 

ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଡ୍ରାଇଭରମାନଙ୍କୁ ଘଉଡ଼ାଇବା ଲାଗି ପ୍ରଥମେ ପାଣିମାଡ଼, ତା ପରେ ଲାଠିମାଡ଼ କରିଥିଲା ପୋଲିସ୍।  ଗୋଡ଼େଇ ଗୋଡ଼େଇ ପୋଲିସ୍ ହିସାଂକାରୀମାନଙ୍କୁ ଘଉଡାଇବା ସହ ସେମାନଙ୍କୁ ଦୋକାନ ବଜାରରେ ଖୋଜି ଖୋଜି ଗିରଫ କରିଥିଲା। ୫୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି।

ସେପଟେ ଡ୍ରାଇଭରଙ୍କ ଆକ୍ରମଣରେ ୧୩ ଜଣ ପୋଲିସ୍ ଆହତ ହୋଇଛନ୍ତି। ଆନ୍ଦୋଳନକାରୀମାନେ ୧୪ଟି ଆମ ବସ୍ ଓ କେତେକ ପୋଲିସ୍ ଭ୍ୟାନ୍ ଭଂଗାରୁଜା କରିଛନ୍ତି। ସେପଟେ ରାସ୍ତାରେ ବେଆଇନ ଭାବେ ଛିଡା କରିଥିବା ଟ୍ୟାକ୍ସି, ଅଟୋକୁ ପୋଲିସ ଜବତ କରିବା ସହ ଟୋ ଗାଡି ଲଗାଇ ଭିଡି ନେଇଥିଲା। ପାଖାପାଖି ୧ ଘଣ୍ଟା କାଳ ପୋଲିସର ଆକ୍ସନ ପରେ ଜନପଥରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ଆଜକୁ ୩ଦିନ ଧରି ଓଲା, ଉବର, ରାପିଡୋ ଭଳି କଂପାନୀର ଡ୍ରାଇଭରମାନେ ଆନ୍ଦୋଳନ କରିବା ସହ ସେମାନଙ୍କ ଦାବି ପୂରଣ କରିବା ପାଇଁ ଅଡି ବସିଛନ୍ତି। ଯା ଭିତରେ ପ୍ରମୁଖ ଦାବି ହେଲା- ଯାତ୍ରୀ ଭଡ଼ା ବୃଦ୍ଧି। ହେଲେ ସରକାର ଏହା ଉପରେ କୌଣସି ଆଲୋଚନା କରିନାହାନ୍ତି। ପରିବହନ ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନ ପଛରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ରହିଛି। କେହି ତାଙ୍କୁ ଉସୁକାଇ ଏପରି କାଣ୍ଡ ଘଟାଇଛି। ସେପଟେ କ୍ୟାବ୍ ଡ୍ରାଇଭରଙ୍କ ମନମାନି ଭାଙ୍ଗିବାକୁ ସରକାର ନୂଆ ଗାଇଡ୍ ଲାଇନ୍ ଆଣିବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ହିଂସାକାଣ୍ଡ ପରେ ଶହ ଶହ ଟ୍ୟାକ୍ସି ଓ ଅଟୋ ଜବତ କରାଯାଇଥିବା ବେଳେ ହିଂସା ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଖୋଜୁଛି ପୋଲିସ। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଆଧାରରେ ହିଂସାକାରୀଙ୍କୁ ଚିହ୍ନଟ କରାଯାଉଛି।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।