Pakistan Army Loses Two Pilots: ପାକିସ୍ତାନ ସେନାର ଟ୍ରେନିଂ ବିମାନ କ୍ରାସ୍, ୨ ପାଇଲଟ୍ଙ୍କ ମୃତ୍ୟୁ
ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ନିକଟରେ ଏକ ସେନା ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ୍ଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଦୁଇ ଜଣ ହେଲେ ଇନ୍ଷ୍ଟ୍ରକ୍ଟର ପାଇଲଟ୍ ମେଜର ହୁସନେନ ଶେହଜାଦ ହୁମାୟୁନ ଏବଂ ଟ୍ରେନି ପାଇଲଟ୍ କ୍ୟାପ୍ଟେନ ଅବଦୁଲ ସମଦ।
ରିପୋର୍ଟ ଅନୁସାରେ, କ୍ୱେଟା ଜିଲ୍ଲାର ନୱାନ କିଲ୍ଲି ଅଞ୍ଚଳ ନିକଟରେ ମଧ୍ୟାହ୍ନ ସମୟରେ ପାକିସ୍ତାନ ସେନାର ଏକ ମୁଶାକ୍ ଟ୍ରେନିଂ ବିମାନ ଖସିପଡ଼ିଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସେନା ପକ୍ଷରୁ କୁହାଯାଇଛି।
ବିମାନରେ ଥିବା ଇନ୍ଷ୍ଟ୍ରକ୍ଟର ପାଇଲଟ୍ ମେଜର ହୁସନେନ ଶେହଜାଦ ହୁମାୟୁନ ଏବଂ ପ୍ରଶିକ୍ଷଣ ନେଉଥିବା କ୍ୟାପ୍ଟେନ ଅବଦୁଲ ସମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଦୁଇ ପାଇଲଟ୍ଙ୍କ ମୃତ୍ୟୁରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜର୍ଦାରୀ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଶୋକ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ଜର୍ଦାରୀ ସୋସିଆଲ ମିଡିଆ ପୋଷ୍ଟରେ ମୃତ ପାଇଲଟ୍ଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ମିଳୁ ବୋଲି ସେ ପ୍ରାର୍ଥନା କରିଛନ୍ତି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମଧ୍ୟ ଦୁଇ ପାଇଲଟ୍ଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ଦେଶର ଗୃହମନ୍ତ୍ରୀ ମୋହସିନ ନକଭି ମଧ୍ୟ ଶୋକବ୍ୟକ୍ତ କରି ମୃତକଙ୍କ ପରିବାର ସହ ଏହି ଦୁଃଖଦ ସମୟରେ ଠିଆ ହୋଇଥିବା କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।