Petrol Diesel Prices Rise: ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଏହି କମ୍ପାନୀ ବଢ଼ାଇଲା ଦର
ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଘରୋଇ ଇନ୍ଧନ ବଜାରରେ ବଡ଼ ପରିବର୍ତ୍ତନ କରିଛି ଘରୋଇ ଇନ୍ଧନ ବିକ୍ରେତା ନାୟାରା ଏନର୍ଜି। ଶନିବାରଠାରୁ ନାୟାରା ଏନର୍ଜିର ସାରା ଦେଶରେ ଥିବା ୭ ହଜାରରୁ ଅଧିକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ଟଙ୍କା ବଢ଼ିଛି।
ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଇନ୍ଧନ ଦର ବଢ଼ିବାରୁ କମ୍ପାନୀର ଖର୍ଚ୍ଚ ଉପରେ ଚାପ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଦର ବଢ଼ାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି। ଚଳିତ ବର୍ଷ ନାୟାରା ଏନର୍ଜିର ଏହା ଦ୍ୱିତୀୟ ଦର ବୃଦ୍ଧି। ଏହା ପୂର୍ବରୁ ମାର୍ଚ୍ଚରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଯାଇଥିଲା। ମଧ୍ୟପ୍ରାଚ୍ୟରେ ବିବାଦ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ପରେ ସେତେବେଳେ ଦର ବଢ଼ିଥିଲା। ପରେ ଅଶୋଧିତ ତେଲ ଦର କମିବା ପରେ ଜୁଲାଇରେ ବର୍ଦ୍ଧିତ ଦର ପ୍ରତ୍ୟାହାର କରାଯାଇଥିଲା।
ଅନ୍ୟପଟେ, ଦେଶର ୧ ଲକ୍ଷ ୪ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ପମ୍ପ ରାଷ୍ଟ୍ରାୟତ୍ତ ତେଲ କମ୍ପାନୀଗୁଡ଼ିକର। ଆନ୍ତର୍ଜାତୀୟ ବଜାରରେ ଦରରେ ଉତ୍ଥାନ-ପତନ ସତ୍ତ୍ୱେ ଏହି କମ୍ପାନୀଗୁଡ଼ିକ ଖୁଚୁରା ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ କରିନାହାନ୍ତି। ଏହାରି ମଧ୍ୟରେ ଘରୋଇ ଇନ୍ଧନ ବିକ୍ରେତାମାନେ ପେଟ୍ରୋଲ ଓ ଡିଜେଲ ବିକ୍ରି କମାଇବା କିମ୍ବା ବନ୍ଦ ନକରିବାକୁ ସରକାର ଚଳିତ ସପ୍ତାହରେ କହିଛନ୍ତି।
ଅନ୍ୟପଟେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ମଧ୍ୟ ବଢ଼ିଛି। ୧୯ କିଲୋର ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ପିଛା ୬୨ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡର ଦର ୯୪୨ ଟଙ୍କାରେ ଅପରିବର୍ତ୍ତିତ ରହିଛି।
ସେହିପରି ବିମାନ ଇନ୍ଧନ ବା ଏଟିଏଫ୍ ଦର ମଧ୍ୟ ବଢ଼ିଛି। ଏଟିଏଫ୍ ଲିଟର ପିଛା ୧୬ ଟଙ୍କା ବଢ଼ି ୧୩୭ ଟଙ୍କାରେ ପହଞ୍ଚିଛି। ସେପ୍ଟେମ୍ବରରେ ଏହା ୬ ଟଙ୍କା ୨୮ ପଇସା ଏବଂ ଅଗଷ୍ଟରେ ୫ ଟଙ୍କା ବଢ଼ିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।