Plural: ବହୁବଚନ: ଦେଖିଲି ହିମାଦ୍ରି ହିମ ଊର୍ଜସ୍ୱଳ

Nov 07, 2026 - 04:49
Plural: ବହୁବଚନ: ଦେଖିଲି ହିମାଦ୍ରି ହିମ ଊର୍ଜସ୍ୱଳ

ବିଜୟ ନାୟକ 'ଦୂର ପାହାଡ଼ ସୁନ୍ଦର'ର ଅର୍ଥ କ'ଣ ଅଦୂର ପାହାଡ଼ ସୁନ୍ଦର ନୁହେଁ?

ଦୂର ପାହାଡ଼ ସିନା ସୁନ୍ଦର ଦିଶେ, ଅଦୂର ପାହାଡ଼ କିନ୍ତୁ ଭଲ ଲାଗେ, ଆପଣାର ମନେ ହୁଏ।

ହିମାଳୟକୁ ମୁଁ ଖୁବ୍ ନିକଟରୁ ଦେଖିଛି।

ଦେଖିଛି ଅନେକ ସ୍ଥାନରୁ ଯେମିତି କାଶ୍ମୀର, ଲେହ, ସିମଳା, ମଶୋବରା, ଡେରାଡୁନ, ମସୌରି, ମନାଲିରୁ ପୁଣି ଦାର୍ଜିଲିଂ ଓ ଗ୍ୟାଙ୍ଗଟକରୁ।

କେତେଥର ଆକାଶରୁ ହିମାଳୟକୁ ଦେଖିବାର ବିରଳ ଅବସର ମଧ୍ୟ ମୁଁ ପାଇଛି।

ଅଳ୍ପଦିନ ତଳେ ହିମାଚଳପ୍ରଦେଶର ବିଳାସପୁରରୁ ମନାଲି ହେଲିକପ୍ଟର ଯୋଗେ ଯିବା ସମୟରେ କବିବର ରାଧାନାଥଙ୍କ ଦୃଷ୍ଟି ଚୋରେଇ ମୁଁ 'ଦେଖିଲି ହିମାଦ୍ରି ହିମ ଊର୍ଜସ୍ୱଳ'।

ହିମାଳୟର ଶୃଙ୍ଗମାଳା ନୀଳନଭରେ ଚିତ୍ରିତ ହୋଇଥିବା ଦେଖିଥିଲେ ରାଧାନାଥ, “ଶୃଙ୍ଗ ପରେ ଶୃଙ୍ଗ ଶୃଙ୍ଗ ତଦୁପରି, ନୀଳ ବ୍ୟୋମପଟେ ଚିତ୍ର ହେଲା ପରି”।

ମୁଁ କିନ୍ତୁ ବ୍ୟୋମ ପଥରୁ ଦେଖୁଥିଲି ହିମାଳୟର ଭିନ୍ନ ରୂପ।

ମୋତେ ଲାଗୁଥିଲା ଶୃଙ୍ଗସମୂହ ଯେମିତି ବସୁନ୍ଧରାର କୋଳାସୀନ ହୋଇ କାଳର କଳରବ ଶୁଣୁଛନ୍ତି ନିରବରେ।

ଶୂନ୍ୟରୁ ସେ ଅପୂର୍ବ ଦୃଶ୍ୟ ମୋ ମନରେ ଯୁଗପତ୍ ପ୍ରୀତି ଓ ଭୀତି ସଞ୍ଚାର କରୁଥିଲା।

Advertisment ମନାଲିରେ ଦେବୀ ହାଡ଼ିମ୍ବାଙ୍କ ମନ୍ଦିର ଖୁବ୍ ପ୍ରସିଦ୍ଧ।

ସେଠାରେ ଦେବୀ ଗୁମ୍ଫାରେ ପୂଜା ପାଉଛନ୍ତି।

ଉପରିଭାଗରେ କାଷ୍ଠ ମନ୍ଦିର ଯାହାକୁ ମହାରାଜା ବାହାଦୂର ସିଂହ ୧୫୫୩ ମସିହାରେ ନିର୍ମାଣ କରିଥିଲେ।

ସେହି ମନ୍ଦିରର କାରୁକାର୍ଯ୍ୟ ବେଶ୍ ମନୋମୁଗ୍‌ଧକର।

ମନ୍ଦିରଟି ହିମାଚଳୀ କାଷ୍ଠଶିଳ୍ପର ଅନନ୍ୟତାର ନିଦର୍ଶନ।

ହିମାଚଳୀ କାଷ୍ଠଶିଳ୍ପକୁ 'କାଠକୁନି' ବୋଲି କହାଯାଏ।

ଭୀମଙ୍କ ପତ୍ନୀ ତଥା ଘଟୋତ୍କଚଙ୍କ ଜନନୀ ଦେବୀ ହିଡ଼ିମ୍ବାଙ୍କର ମନ୍ଦିର ଭାରତରେ ଅନ୍ୟତ୍ର ପ୍ରାୟ ଦେଖିବାକୁ ମିଳେନାହିଁ।

ହିଡ଼ିମ୍ବା ହିମାଚଳୀ ଉଚ୍ଚାରଣରେ ବା ଲୋକତୁଣ୍ଡରେ 'ହାଡ଼ିମ୍ବା' ହୋଇଥାଇ ପାରନ୍ତି।

ମନାଲିର ନଗର ନାମକ ସ୍ଥାନରେ ଏକ କଳା ସଂଗ୍ରହାଳୟ ରହିଛି।

ରୁଷିଆର ବିଶିଷ୍ଟ ଚିତ୍ରଶିଳ୍ପୀ ଓ ଲେଖକ ନିକୋଲାଇ ରେରିଖ୍‌ଙ୍କ ପ୍ରତି ସେହି ସଂଗ୍ରହାଳୟ ସମର୍ପିତ।

ନିଜ ପେଣ୍ଟିଙ୍ଗର ଆଧୁନିକତା ଏବଂ ଲେଖାର ମୌଳକତା ରେରିଖ୍‌ଙ୍କୁ ବିଶ୍ୱବିଦିତ କରିଥିଲା।

ହିମାଳୟକୁ ଭିତ୍ତିକରି ସେ ଅଙ୍କନ କରିଥିବା ଚିତ୍ରରେ ସଂଗ୍ରହାଳୟଟି ପୂରିରହିଛି।

ସେସବୁ ଦେଖି ଅନ୍ୟ ବନ୍ଧୁମାନଙ୍କ ସହିତ ମୁଁ ମୁଗ୍‌ଧ ହୋଇଥିଲି।

ଜୀବନର ଅପରାହ୍‌ଣରେ ଭାରତ ଆସି ରିରେଖ୍ ହିମାଳୟ ପ୍ରେମରେ ପଡ଼ିଯାଇଥିଲେ।

ରହିଗଲେ ମନାଲିର 'ନଗର'ରେ।

ହିମାଳୟର ଆକର୍ଷଣକୁ ଏଡ଼ାଇ ସେ ଆଉ ସ୍ବଦେଶ ବାହୁଡ଼ିଲେ ନାହିଁ।

ତାଙ୍କର ଅନେକ ପୁସ୍ତକ ମଧ୍ୟରୁ 'ଅଟଲାଇ-ହିମାଳୟ' ବହୁଚର୍ଚ୍ଚିତ ଏକ କାଳଜୟୀ କୃତି।

କେବଳ ରେରିଖ୍‌ଙ୍କ ପାଇଁ ନୁହେଁ, ବିଦେଶର ଅନେକଙ୍କ ଲାଗି ଭାରତ, ପ୍ରେମର ପସରା।

ଭାରତ କହିଲେ କ'ଣ ବୁଝେ ବିଶ୍ବ?

ବିଦେଶରେ ସଂସ୍କୃତ ଭାଷା, ବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଭାରତର ପରିଚୟ।

ହିମାଳୟ ଓ ଗଙ୍ଗା, ଯୋଗ ଓ ଆୟୁର୍ବେଦ, ବୁଦ୍ଧ ଓ ଗାନ୍ଧୀଙ୍କୁ ଛାଡ଼ି ଭାରତ ସଂକ୍ରାନ୍ତ ଆଲୋଚନା କ'ଣ କେଉଁଠି ସମ୍ପୂର୍ଣ୍ଣ ହୁଏ?

ତେବେ ବିଦେଶୀ ପର୍ଯ୍ୟଟକ, ଗବେଷକ ଓ ସତ୍ୟାନ୍ୱେଷୀ ସନ୍ଥମାନେ ହିମାଳୟ ଓ ଗଙ୍ଗା ପ୍ରତି ସର୍ବଦା ସମର୍ପିତ।

କାରଣ ହିମାଳୟ ଓ ଗଙ୍ଗା ଭାରତର ଭୂଷଣ କେବଳ ନୁହନ୍ତି, ମାନବ ସଭ୍ୟତାର ଶାଶ୍ବତ ସଙ୍ଗୀତ ମଧ୍ୟ।

ହିମାଳୟ କୋଳ ଓ ଗଙ୍ଗା କୂଳରେ ଥାଏ ଅଦ୍ଭୁତ ଆତ୍ମୀୟତା।

ମୁଁ ଏକାଧିକ ଥର ଗଙ୍ଗା ଆଳତି ଦେଖିଛି, ଅନେକ ଥର ଗଙ୍ଗା କୂଳରେ ବୁଲିଛି।

କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ ହରେ ସୁରବର ତାପ ଚାରୁଧାରା ସେ' ଗୀତ ମନେମନେ ଗାଇଛି।

ଦଶନ୍ଧିଟିଏ ତଳେ ହେବ ଉତ୍ତରପ୍ରଦେଶର ଫତେପୁରରେ ମୋତେ ଦୁଇ ମାସ ପାଖାପାଖି ରହିବାକୁ ପଡ଼ିଥିଲା।

ସେଠାରୁ ଥରେ ସରଯୂ କୂଳକୁ ଯାଇ ସନ୍ଥ ତୁଳସୀ ଦାସଙ୍କ ଜନ୍ମସ୍ଥାନରେ ଆଭୂମ ପ୍ରଣାମ କରି ଫେରିଥିଲି।

ଥରେ ଗଙ୍ଗାରେ କିଛି ସମୟ ନୌଯାତ୍ରା କରି କୂଳକୁ ଆସି କେତେଜଣ ସ୍ଥାନୀୟ ଲୋକଙ୍କ ସହିତ କଥାହେବା ସମୟରେ ଜଣେ ଭଦ୍ରଲୋକ ମୋ ଆଡ଼କୁ ଝପଟି ଆସି ପଚାରିଲେ, “ଆପଣ କ'ଣ ଓଡ଼ିଶାର?” ସେ ଅବଶ୍ୟ ହିନ୍ଦୀରେ ପଚାରିଥିଲେ। “ଆପଣ କେମିତି ଜାଣିଲେ (?)” ଥିଲା ମୋର ଓଲଟା ପ୍ରଶ୍ନ।

ତାଙ୍କ ଉତ୍ତର ଥିଲା, “ଆପଣଙ୍କ କଥାରେ ଓଡ଼ିଆ ସ୍ପର୍ଶ ବାରି ହୋଇପଡୁଛି।” ସେ ପୁଣି କହିଲେ, “ମୁଁ ଓଡ଼ିଶାରେ ଚାକିରି କରୁଥିଲି।

ଓଡ଼ିଶାର ସୁନ୍ଦରତା ଆଉ କେଉଁଠି ନାହିଁ।” ମୁଁ ହସିଲି।

ସେ ପ୍ରଗଳ୍‌ଭ ହୋଇ କହି ଚାଲିଥାନ୍ତି, “ଓଡ଼ିଶା ସବୁ ଋତୁରେ ସୁନ୍ଦର, ଶରତ ଋତୁରେ ଅଧିକ ସୁନ୍ଦର।

ଶରତକାଳୀନ ସବୁଜ ଧାନକ୍ଷେତ, ଧଳା ମେଘ, ସଫା ଆକାଶ ଓ କାଶତଣ୍ଡୀ ଫୁଲର ସମାହାରରେ ଓଡ଼ିଶାର ଯେଉଁ ଶୋଭା ତା'ର ତୁଳନା କାହିଁ?” ତାଙ୍କ କଥା ଶୁଣି ମୁଁ ପୁଲକିତ ହେଉଥିଲି ଏବଂ କବି ସଚ୍ଚି ରାଉତରାୟଙ୍କ ଆଶ୍ୱିନ ଆବାହନୀ ମୋ ଭିତରେ ଗୁଞ୍ଜରିତ ହେଉଥିଲା: “ଅଶିଣ ପ୍ରବେଶ ହେଉ, ଅଶିଣ ଆସିବା ହେଉ, ଆନନ୍ଦର ଚେତନାର ଘରେ।

ଅକ୍ଷତ ରଙ୍ଗର ମେଘ, ଶାଦା ହଂସପଲ, ଶାଦା ଜାଇଫୁଲ ତା'ର ପ୍ରତିଧ୍ବନି କରେ।” ହିମାଳୟ ପାଦଦେଶର ଯେ କୌଣସି ନଗରୀରେ ଥିଲେ ମୋର ମନେହୁଏ ହିମାଳୟ ଅବା ମୋତେ ସସ୍ନେହ ଭିଡ଼ିଧରିଛି।

କେତେ ଯେ ଉଷ୍ମତା ଥାଏ ସେହି ଆଲିଙ୍ଗନରେ।

ହିମାଳୟ ହିମର ଆଳୟ କେବଳ ନୁହେଁ, ଦେବତାମାନଙ୍କର ଆସ୍ଥାନ ମଧ୍ୟ।

କୈଳାସରେ ପରା ଧ୍ୟାନମଗ୍ନ ଥା'ନ୍ତି ଦେବଦେବ ମହାଦେବ!

ମାତା ପାର୍ବତୀ ତ ସହଜେ ଶୈଳାଧିରାଜତନୟା।

ଯୁଗଯୁଗ ଧରି ଶତସହସ୍ର ଋଷିଙ୍କର ପୁଣି ଯୋଗଭୂମି ହିମାଳୟ।

ତେବେ ମହାକବି କାଳିଦାସ ଆଉ କେତେ ପାହୁଣ୍ଡ ଆଗକୁ ଯାଇ ହିମାଳୟକୁ 'ଦେବତାତ୍ମା' ଆଖ୍ୟା ଦେଇଛନ୍ତି: “ଅସ୍ତ୍ୟୁତ୍ତରସ୍ୟାଂ ଦିଶି ଦେବତାତ୍ମା, ହିମାଳୟୋ ନାମ ନଗାଧିରାଜଃ।

ପୂର୍ବାପରୌ ତୟୋନୀଧିବ ଗାହ୍ୟଃ, ସ୍ଥିତଃ ପୃଥିବ୍ୟା ଇବ ମାନଦଣ୍ଡଃ।” ଅର୍ଥାତ୍ ଭାରତର ଉତ୍ତର ଦିଗରେ ଅବସ୍ଥିତ ଦେବତାତ୍ମା ହିମାଳୟ, ପୂର୍ବ ଓ ପଶ୍ଚିମର ଜଳଧିକୁ ସଂଯୋଗ କରି ପୃଥିବୀର ମାନଦଣ୍ଡ ସଦୃଶ ଦଣ୍ଡାୟମାନ।

ଏହି ମହାମେରୁ ମାଟିର ମାନଦଣ୍ଡ ହୋଇ ସଦା ରହିଥାଉ।

ଏଥିରେ ନିହିତ ଚରାଚର ହିତ ଓ ସକଳ କଲ୍ୟାଣ। (ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୧୪୩୮୯୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।