10 OCTOBER 2026

Welcome!

Unlock your personalized experience.
Sign Up

Plurality: ବହୁବଚନ: ଆଧୁନିକତାର ମାନଦଣ୍ଡରେ ଓଡ଼ିଶା

Oct 10, 2026 - 08:13
Plurality: ବହୁବଚନ: ଆଧୁନିକତାର ମାନଦଣ୍ଡରେ ଓଡ଼ିଶା

ବିଜୟ ନାୟକ

ଗୋଟିଏ ଜାତିର ଗୁଣ ବା ଖୁଣ ଆଗନ୍ତୁକର ଆଖି ଉହାଡ଼ରେ ରହିପାରେ ନାହିଁ। ଚାକିରିବାକିରି ବା ବଣିଜବେପାର ପାଇଁ ଓଡ଼ିଶାରେ ଦୀର୍ଘ ଦିନ ଧରି ଅବସ୍ଥାନ କରିଥିବା ଓଡ଼ିଶା ବାହାରର ବ୍ୟକ୍ତିବିଶେଷଙ୍କ ପାଖରେ ଓଡ଼ିଶାର ଯେଉଁ କେତୋଟି ବିଶେଷତ୍ୱ ସହଜରେ ଧରାଦିଏ। ତନ୍ମଧ୍ୟରୁ ଜାତିଜୁତ ଭାବର ଅଭାବ ଏବଂ ନାରୀ ନେତୃତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶାରେ ଯେ ଜାତି ନାହିଁ, ତା’ ନୁହେଁ, କିନ୍ତୁ ଜାତିବାଦ ନାହିଁ, ନାହିଁ ଜାତିଭେଦର ତୀବ୍ରତା। ଶ୍ରୀମଦ୍‌ଭଗବଦ୍‌ଗୀତାରେ ଚାରିବର୍ଣ୍ଣର ଉଲ୍ଲେଖ ରହିଛି। ଛତିଶ ପାଟକ ଓ ଛୁଆଁଅଛୁଆଁ ଭେଦ ପରବର୍ତ୍ତୀ କାଳରେ ସମାଜର କତିପୟ ସଂକୀର୍ଣ୍ଣମନା ବଡ଼ପଣ୍ଡାଙ୍କ କପୋଳକଳ୍ପିତ ସଂରଚନା ହୋଇପାରେ। ତେବେ ଜଗନ୍ନାଥ ସଂସ୍କୃତି ଓଡ଼ିଶାର ଜନଜୀବନକୁ କାଳେକାଳେ ପ୍ରଭାବିତ କରିଆସିଛି। ସମାନତା, ସହନଶୀଳତା ଓ ସମନ୍ୱୟର ପ୍ରତୀକ ଶ୍ରୀଜଗନ୍ନାଥ। ଶବର ରାଜା ବିଶ୍ୱାବସୁଙ୍କର ଆରାଧ୍ୟ ନୀଳମାଧବ, ଜଗନ୍ନାଥଙ୍କର ଆଦିରୂପ। ପୁନଶ୍ଚ ଶବର-ସୁତା ଲଳିତାଙ୍କର ବ୍ରାହ୍ମଣ ବିଦ୍ୟାପତିଙ୍କ ସହିତ ବିବାହ କଥା ଆଜି ମଧ୍ୟ ଲୋକତୁଣ୍ଡରେ ଜୀବନ୍ତ। ଜାତି ଓ ଜନଜାତି ମଧ୍ୟରେ ସଂଯୋଗର ପ୍ରୟାସ ଆମ ପୂର୍ବଜମାନଙ୍କ ଉଦାରତାର ପ୍ରତୀକ। ଜାତିଗତ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହିବା ପାଇଁ ଏହି କିଂବଦନ୍ତି ଓଡ଼ିଶାବାସୀଙ୍କୁ ପ୍ରଚୋଦିତ କରିଥିବ ନିଶ୍ଚୟ।

Horoscope 2026 October 10: ଜାଣନ୍ତୁ ଆଜିର ରାଶିଫଳ...

ଏହି ପରପ୍ରେକ୍ଷୀରେ ଲକ୍ଷ୍ମୀପୁରାଣର ରଚନା ଓ ଲୋକପ୍ରିୟତା ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ। ଆଜକୁ ପାଞ୍ଚ ଶହ ବର୍ଷ ପୂର୍ବେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀୟା ଚଣ୍ଡାଳୁଣୀ ଘରେ ପ୍ରବେଶ କରାଇବାର ଦୁଃସାହସ କରିଥିଲେ ସନ୍ଥ ବଳରାମ ଦାସ। ଲକ୍ଷ୍ମୀପୁରାଣର ବର୍ଣ୍ଣନା ଅନୁଯାୟୀ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରୁ ଘଉଡ଼ାଇ ଦେବାରୁ ଲକ୍ଷ୍ମୀଛଡ଼ା ହୋଇଯାଇଥିଲେ ଜଗନ୍ନାଥ ଓ ବଳଭଦ୍ର। ଅନେକ ଯାତନା ଭୋଗିବା ପରେ ମନ୍ଦିରକୁ ବାହୁଡ଼ି ଆସିବା ପାଇଁ ମହାଲକ୍ଷ୍ମୀଙ୍କୁ ଅନୁରୋଧ କରିଥିଲେ ବେନି ଭାଇ। ଲକ୍ଷ୍ମୀ, ମନ୍ଦିରକୁ ବାହୁଡ଼ିବାକୁ ରାଜି ହୋଇଥିଲେ ସତ କିନ୍ତୁ ତାଙ୍କ ସର୍ତ୍ତ ଥିଲା ବଡ଼ କଠୋର! ଶ୍ରୀମନ୍ଦିରରେ ଆବ୍ରାହ୍ମଣଚଣ୍ଡାଳ ଏକତ୍ର ଭୋଜନ କଲେ ଯାଇ ସେ ବାହୁଡ଼ିବେ ସ୍ୱଗୃହକୁ। ଏଥିରେ ସମ୍ମତ ହୋଇଥିଲେ ରାମ, ବଳରାମ। ସେହି ଦିନରୁ ସମ୍ଭବତଃ ଜାତିପ୍ରଥା କ୍ଷୀଣ ହୋଇଆସିଛି ଓଡ଼ିଶାରେ। ‘କଲିକତାରେ ରାତି ନାହିଁ, ପୁରୀରେ ଜାତି ନାହିଁ’, ଢଗଟି ଅନେକ ଦିନ ତଳୁ ଗଡ଼ିଗଡ଼ି ଆସିଛି ଜନଶ୍ରୁତିରେ। ପ୍ରକୃତପକ୍ଷେ କିନ୍ତୁ ପୁରୀରେ କେବଳ ନୁହେଁ, ଓଡ଼ିଶାରେ ଜାତି ଅର୍ଥାତ୍ ଜାତି ବିଦ୍ବେଷ ନାହିଁ କହିଲେ ଅତିଶୟୋକ୍ତି ହେବନାହିଁ।
ସ୍ୱାଧୀନ ଭାରତରେ ଜାତି, ଜନମତର ଆଧାର ପାଲଟିଛି। ସଂଖ୍ୟାଗରିଷ୍ଠ ଜାତିର ଲୋକକୁ ନିର୍ବାଚନରେ ପ୍ରାର୍ଥୀ କରିବା ମାନସିକତାରୁ ଭାରତର କୌଣସି ରାଜନୈତିକ ଦଳ ମୁକ୍ତ ନୁହନ୍ତି। ପ୍ରଭାବଶାଳୀ ଜାତିର ଲୋକେ ରାଜ୍ୟଶାସନର ମଙ୍ଗ ଧରିବାର ଦୃଷ୍ଟାନ୍ତରେ ଦେଶର କ୍ଷମତା ରାଜନୀତି ପରିପୂର୍ଣ୍ଣ। କିନ୍ତୁ ଓଡ଼ିଶାରେ ଜାତି କେବେ ରାଜନୀତିର ଭିତ୍ତି ହୋଇନାହିଁ। ଏହା ଓଡ଼ିଶାବାସୀଙ୍କ ଆଧୁନିକ ମନୋବୃତ୍ତିର ପରିଚାୟକ।
ନାରୀଜାଗୃତି ଓ ସମାଜର ଅଣପାରମ୍ପରିକ କ୍ଷେତ୍ରରେ ନାରୀମାନଙ୍କ ଅଂଶଗ୍ରହଣ ଆଧୁନିକତାର ଅନ୍ୟ ଏକ ବଳିଷ୍ଠ ଉପାଦାନ। ସେ ଦୃଷ୍ଟିରୁ ମଧ୍ୟ ଓଡ଼ିଶା ଆଧୁନିକ ଦୃଷ୍ଟିଭଙ୍ଗୀର ସଙ୍କେତ ବହନ କରେ। ଭୌମକର ରାଜବଂଶର ମହାରାଣୀମାନେ ଏକଦା ପ୍ରାୟ ଏକ ଶତାବ୍ଦୀ ଧରି ଓଡ଼ିଶାକୁ ଶାସନ କରିଥିଲେ। ସେଥିଲାଗି ସେକାଳରେ ଓଡ଼ିଶା ପ୍ରମିଳା-ରାଜ୍ୟ ଭାବରେ ଜଣାଶୁଣା ଥିଲା। ତେବେ ଏ ତ ବହୁ ଅତୀତର କଥା। ସ୍ୱାଧୀନତା ସଂଗ୍ରାମ ସମୟରେ ଓଡ଼ିଶାର ନାରୀମାନଙ୍କ ଅଗ୍ରଣୀ ଭୂମିକା ଦେଶକୁ ଚକିତ କରିଥିଲା। ରମା ଦେବୀ, ସରଳା ଦେବୀ, ସରୋଜିନୀ ଚୌଧୁରୀଙ୍କ ଠାରୁ ଗୋଦାବରୀ ଦେବୀ, ପାର୍ବତୀ ଗିରି, କୋକିଳା ଦେବୀ, ଜାହ୍ନବୀ ଦେବୀ ଓ ସୁଭଦ୍ରା ମହତାବଙ୍କ ପର୍ଯ୍ୟନ୍ତ ଅଗଣିତ ନେତ୍ରୀ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ପ୍ରବାହକୁ ପ୍ରଖର କରିଥିଲେ। ସଂବିଧାନ ସଭାର ପନ୍ଦର ଜଣ ମହିଳାଙ୍କ ମଧ୍ୟରୁ ଅନ୍ୟତମ ଥିଲେ ମାଳତୀ ଦେବୀ। ମହାତ୍ମା ଗାନ୍ଧୀ ଉତ୍କଳର ନେତ୍ରୀମାନଙ୍କ ପ୍ରଶଂସାରେ ହୋଇଥିଲେ ଶତଜିହ୍ୱ। ବୀରରମଣୀ ଲକ୍ଷ୍ମୀଇନ୍ଦିରା ପଣ୍ଡାଙ୍କ ଆଜାଦ ହିନ୍ଦ ଫୌଜରେ ଯୋଗଦାନ ଏ କ୍ଷେତ୍ରରେ ଏକ ଅଭୁଲା ଉଦାହରଣ। ଯେତେବେଳେ ସାହିତ୍ୟରେ ନାରୀମାନଙ୍କ ପ୍ରବେଶ ସୀମିତ ଥିଲା, ସେତେବେଳେ ମାଧବୀ ଦାସୀ ଓ ବୃନ୍ଦାବତୀ ଦାସୀ ଓଡ଼ିଆ ଗୀତ ରଚନା କରି ଦେଶରେ ଇତିହାସ ସୃଷ୍ଟି କରିଥିଲେ। ପରବର୍ତ୍ତୀ କାଳରେ କୁନ୍ତଳାକୁମାରୀ ସାବତ, ରେବା ରାୟ, ସୀତାଦେବୀ ଖାଡ଼ଙ୍ଗା, ବସନ୍ତ କୁମାରୀ ପଟ୍ଟନାୟକ ଓ ବୀଣାପାଣି ମହାନ୍ତିଙ୍କଠାରୁ ପ୍ରତିଭା ରାୟଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସାରସ୍ୱତ ସାଧିକାମାନଙ୍କ ରଚନାରେ ଭାରତୀୟ ସାହିତ୍ୟ ପୁଷ୍କଳ ହୋଇଛି।

Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ

ଏକଦା ମହିଳାମାନଙ୍କ ପାଇଁ ମନା ଥିବା ସେନା ଓ ଆରକ୍ଷୀ ବାହିନୀ, କ୍ରୀଡ଼ା ଓ ବିମାନ ଚାଳନା ତଥା ଶିଳ୍ପ, ବାଣିଜ୍ୟ ପରି କ୍ଷେତ୍ରରେ ଓଡ଼ିଆ ଝିଅମାନଙ୍କ ବ୍ୟାପକ ଅଂଶଗ୍ରହଣ ଓଡ଼ିଶା ଇତିହାସର ମୋଡ଼ ବଦଳାଇଛି।
ସ୍ୱାଧୀନତା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ଓଡ଼ିଶାରେ ଏପରି କୌଣସି ବିଧାନସଭା ଗଠିତ ହୋଇନାହିଁ ଯେଉଁଠି ମହିଳାମାନଙ୍କ ପ୍ରତିନିଧିତ୍ୱ ନାହିଁ। ଦୁଇ ଜଣ ବିଧାୟିକା ପ୍ରମିଳା ମଲ୍ଲିକ ଓ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି ହେବାର ଗୌରବ ଲାଭ କରିଥିବାବେଳେ ଆମ ପଡ଼ୋଶୀ ଆନ୍ଧ୍ର ବିଧାନସଭାରେ ଜଣେ ମହିଳା ବାଚସ୍ପତି ପଦମଣ୍ଡନ କରିଛନ୍ତି। ବଙ୍ଗ ବିଧାନସଭାରେ ଏ ପର୍ଯ୍ୟନ୍ତ କୌଣସି ମହିଳା ବାଚସ୍ପତି ହୋଇନାହାନ୍ତି। ସେହିପରି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଭାରତର ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସ୍ୱନାମଧନ୍ୟା। ଜଣେ ମହିଳା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଚାରି ଦଶନ୍ଧି ପରେ ବଙ୍ଗ ପ୍ରଦେଶ ମହିଳା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ସହିତ ପରିଚିତ ହେଲା। ଆନ୍ଧ୍ରପ୍ରଦେଶରେ ଏ ଯାବତ୍ କୌଣସି ମହିଳା, ମୁଖ୍ୟମନ୍ତ୍ରୀ ପଦାସୀନ ହୋଇନାହାନ୍ତି। ଓଡ଼ିଆ ମହିଳା କେନ୍ଦ୍ରମନ୍ତ୍ରୀ ହେବାର କେତେ କାଳ ପରେ ବଙ୍ଗ ଓ ଆନ୍ଧ୍ରର ମହିଳା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନନ୍ଦିନୀ ଦେବୀ ୧୯୬୬ ମସିହାରେ ଇନ୍ଦିରା କ୍ୟାବିନେଟରେ ପ୍ରଥମେ ମନ୍ତ୍ରୀ ଥିଲାବେଳେ ବଙ୍ଗବାଳା ମମତା ବାନାର୍ଜୀ ୧୯୯୧ ମସିହାରେ ନରସିଂହ ରାଓ କ୍ୟାବିନେଟରେ ଓ ଆନ୍ଧ୍ରତନୟା ପ୍ରଣବାକା ଲକ୍ଷ୍ମୀ ୨୦୦୪ ମସିହାରେ ମନମୋହନ ସିଂହ କ୍ୟାବିନେଟରେ ପ୍ରଥମକରି ମନ୍ତ୍ରୀ ହୋଇଥିଲେ। ଜାତୀୟ ମହିଳା କମିସନ୍‌ର ପ୍ରଥମ ଅଧ୍ୟକ୍ଷା ମଧ୍ୟ ଜଣେ ଓଡ଼ିଆ ମହିଳା- ଜୟନ୍ତୀ ପଟ୍ଟନାୟକ। ତେବେ ଉତ୍କଳ ଜନନୀଙ୍କ ପ୍ରିୟପୁତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପଦମଣ୍ଡନ ଓଡ଼ିଶାରେ ନାରୀ ନେତୃତ୍ୱର ସୁଦୀର୍ଘ ପରମ୍ପରାର ସର୍ବୋତ୍କୃଷ୍ଟ ଉଦାହରଣ।
ଆଧୁନିକତାର ମାନଦଣ୍ଡରେ ଓଡ଼ିଶା ଯେ ଦେଶର ଏକ ଅଗ୍ରଣୀ ରାଜ୍ୟ, ଏଥିରେ ଦ୍ୱିରୁକ୍ତି ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।