Poisonous Sweets in Bhubaneswar: ରାଜଧାନୀରେ ମିଠା ନାଁରେ ବିଷ ବେପାର, BMC ଚଢ଼ାଉରେ ଖୋଲିଲା ପୋଲ୍

Nov 05, 2026 - 20:56
Poisonous Sweets in Bhubaneswar: ରାଜଧାନୀରେ ମିଠା ନାଁରେ ବିଷ ବେପାର, BMC ଚଢ଼ାଉରେ ଖୋଲିଲା ପୋଲ୍

ଦୀପାବଳିରେ ଗ୍ରାହକଙ୍କ ଜୀବନ ଦୀପକୁ ଲିଭାଇଦେବେ କି ଲାଭଖୋର୍ ବ୍ୟବସାୟୀ ?

ମିଠା ନାଁରେ ବିଷ ବିକ୍ରି କରୁଥିବା ବେପାରୀ ଉଜାଡ଼ି ଦେବେନି ତ ଜୀବନକୁ ?

କାରଣ ରାଜ୍ୟର ଅନ୍ୟ ଇଲାକା କଥା ଛାଡ଼ନ୍ତୁ, ଖୋଦ୍ ରାଜଧାନୀରେ ଯେଭଳି ମାରାତ୍ମକ ଉପାୟ ଆପଣାଇ ମିଠା ବିକୁଛନ୍ତି ବ୍ୟବସାୟୀ, ଦେଖିଲେ ମିଠା ଖିଆ ମୋହ ଛାଡ଼ିଯିବ ଆପଣଙ୍କର।

ଦୀୱାଲି ଆଗରୁ ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଛାପା ମାରିଛି ବିଏମସିର ଖାଦ୍ୟ ନିରାପତ୍ତା ଟିମ୍।

Advertisment ରସଗୋଲାରେ ଅସରପା, ମାଛି ଭାସୁଛି କ୍ଷୀରରେ, ତେଲ ଆଉ ଶିରା ଡବାରେ ଜମିଛି ମଇଳା ଫେଣ।

ଆପଣ ଭାବୁଥିବେ, ଦୋକାନ ତ ଚକାଚକ୍ ଅଛି।

ଏକଥା ସତ ବାହାରକୁ ଚକାଚକ୍, ଭିତରେ କିନ୍ତୁ ଦେହ ଶୀତେଇଲା ଭଳି ଅସନା।

ତାହାରି ଭିତରେ ଆପଣଙ୍କ ପାଟିରେ ଲାଳ ବୁହାଇଲା ଭଳି ତିଆରି ହେଉଥିଲା ମିଠା।

ରସଗୋଲା ହେଉ କି ଗୋଲାପଜାମୁନ୍, କାଜୁ ବରଫି ହେଉ କି ଛେନା ଝିଲ୍ଲୀ।

ଏସବୁ ଆଜିର ନୁହେଁ, କେଉଁ ମିଠା ୨ ଦିନ ତଳର ତ ଆଉ କେଉଁ ମିଠା ସପ୍ତାହକ ତଳର।

ହେଲେ ଆପଣଙ୍କ ଲୋଭ ଆଉ ବିଶ୍ବାସର ଫାଇଦା ନେଇ ଲାଭଖୋର ବେପାରୀ ଚଳାଇଥିଲେ ସତ-ମିଛର ବେପାର, ଖେଳୁଥିଲେ ଆପଣଙ୍କ ସ୍ବାସ୍ଥ୍ୟସହ।

ଶେଷରେ ଆଜି ଛାପା ମାରିଛି BMC ଖାଦ୍ୟ ନିରାପତ୍ତା ଟିମ୍।

ଉତ୍ତର ଭୁବନେଶ୍ୱରର ଏକାଧିକ ମିଠା ଦୋକାନରେ ଯାଞ୍ଚ କରି ୫୦ କେଜିରୁ ଅଧିକ ମିଠା ନଷ୍ଟ କରିବା ସହିତ ୧୦ ହଜାରରୁ ଅଧିକ ଟଙ୍କାର ଜରିମାନା ପକାଇଛି।

ଗତକିଛି ଦିନ ହେଲା, ରାଜଧାନୀ ଭୁବନେଶ୍ବରରୁ ରାଜ୍ୟବ୍ୟାପି ଦୂଷିତ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଓ ବିକ୍ରି ଉପରେ ପ୍ରହାର ଜାରି ରଖିଛି ଖାଦ୍ୟ ନିରାପତ୍ତା ଟିମ୍।

ପ୍ରୋଟିନ ନାଁରେ ବିଷ ପନିର୍ ହେଉ କି ଛେନା।

ଧରପଗଡ଼ କରି ଅଖାଦ୍ୟ, ଅପମିଶ୍ରିତ, ଅସ୍ବାସ୍ଥ୍ୟକର ଖାଦ୍ୟ ସାମଗ୍ରୀକୁ ଜବତ କରିଛି।

ଏସବୁ ଭିତରେ ଆଗକୁ ଆଲୋକର ପର୍ବ ଦୀପାବଳି ଆସିବା ଆଗରୁ ଗ୍ରାହକଙ୍କ ଚାହିଦାକୁ ଦେଖି ରାଜଧାନୀରେ ସକ୍ରିୟ ହୋଇଛନ୍ତି ନିର୍ଦ୍ଧିଷ୍ଟ କିଛି ମିଠା ଦୋକାନୀ।

ମିଠା ଗୁଡ଼ିକରେ ପ୍ରସ୍ତୁତି ତାରିଖ ଦର୍ଶାଇବାର ସେଭଳି ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ନେଇ ଦିନ ଦିନ ଧରି ମିଠାକୁ ରଖୁଛନ୍ତି।

ହାନୀକାରକ ଏସେନ୍ସ ମିଶା ବିଷାକ୍ତ ମିଠା ବିକିଦେଇ ଗ୍ରାହକଙ୍କଠୁ ଲାଭ ପାଉଛନ୍ତି।

ଏକଥା ଆମେ କହୁନୁ, ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ସ୍ବୀକାର କରିଛନ୍ତି ମିଠା ବ୍ୟବସାୟୀ।

ଆଉ ଧରାପଡ଼ିବା ପରେ ଜରିମାନା ଗଣିଛନ୍ତି।

Advertisment ତେବେ ଆପଣ କିଣୁଥିବା ଛେନା ଶୁଦ୍ଧ କି ଭେଜାଲ୍, ଜାଣିବା ପାଇଁ ବଜାରରେ ମିଳୁଥିବା ଆଣ୍ଟି ରାପିଡ୍ କିଟ୍ ଦ୍ୱାରା ପରୀକ୍ଷା କରି ଜାଣିପାରିବେ।

କିନ୍ତୁ ବାସି ହେଉ କି ଅପମିଶ୍ରିତ, ମିଠାକୁ ଜାଣିବା ବଡ଼ ମୁସ୍କିଲ୍।

ଯାହାର ଫାଇଦା ନେଉଛନ୍ତି ବ୍ୟବସାୟୀ।

ଏଭଳି ଅସ୍ବାସ୍ଥ୍ୟକର ପରିବେଶରେ ହେଉ କିମ୍ବା ହାନୀକାରକ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ମିଠା ହେଉ, ଏହାକୁ ଖାଇଲେ ଦେହ ବିଗିଡ଼ିବା ସୁନିଶ୍ଚିତ।

ବିଶେଷ କରି ପେଟ ଓ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିବା ସହ ଝାଡ଼ା, ବାନ୍ତି ଓ ପେଟ ଯନ୍ତ୍ରଣା ହୋଇପାରେ।

ଏପରିକି ଫୁଡ୍ ପଏଜନିଂ ସହ ଅନ୍ତନଳୀରେ ସଂକ୍ରମଣ ହେବାର ବି ଆଶଙ୍କା ଥାଏ।

ଏଠି ପ୍ରଶ୍ନ ଉଠୁଛି, ଦିୱାଲୀର ମିଠା ମିଠା ଖୁସି ଆଗରେ ଯଦି ଅସ୍ୱଚ୍ଛତାର ବିଷ ମିଶୁଛି, ତେବେ ଦାୟୀ କିଏ ?

ଲାଭ ଲୋଭ ରଖି ବ୍ୟବସାୟୀ ତ ଗ୍ରାହକଙ୍କ ସ୍ୱାସ୍ଥ୍ୟସହ ଖେଳୁଛନ୍ତି, ତେଣୁ ନିୟମିତ ଯାଞ୍ଚ ସହ ଏଭଳି ବେପାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାହକ।

ଅବଶ୍ୟ ଏକଥା ସତ, ସବୁ ବ୍ୟବସାୟୀ ସମାନ ନୁହଁନ୍ତି।

ନିର୍ଦ୍ଧିଷ୍ଟ କିଛି ଖଳପ୍ରକୃତିର ଲୋକେ କେବଳ ଖେଳୁଛନ୍ତି ଲୋକଙ୍କ ସହ।

ତେଣୁ ସତର୍କ ଏବଂ ସାବଧାନ ହେବା ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।