Police Officer Saves Child: ଟ୍ରେନ୍‌ ଓ ପ୍ଲାଟଫର୍ମ ମଝିରେ ଖସିପଡ଼ିଲା କୁନି ପିଲା, ଦେବଦୂତ ସାଜି ଜୀବନ ବଞ୍ଚାଇଲେ ପୋଲିସ ଅଧିକାରୀ

Oct 09, 2026 - 19:14
Police Officer Saves Child: ଟ୍ରେନ୍‌ ଓ ପ୍ଲାଟଫର୍ମ ମଝିରେ ଖସିପଡ଼ିଲା କୁନି ପିଲା, ଦେବଦୂତ ସାଜି ଜୀବନ ବଞ୍ଚାଇଲେ ପୋଲିସ ଅଧିକାରୀ

ଟ୍ରେନ୍‌ରେ ଚଢ଼ିବା ବେଳେ ଘଟିଲା ବଡ଼ ଅଘଟଣ। ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ଥିବା ସରୁ ଫାଙ୍କରେ ଖସିପଡ଼ିଲା ଜଣେ କୁନି ପିଲା। ଆଖି ପିଛୁଳାକେ ପିଲାଟିକୁ ଉଦ୍ଧାର କରି ତା'ର ଜୀବନ ବଞ୍ଚାଇଦେଲେ ଜଣେ ପୋଲିସ ଅଧିକାରୀ। ଚୀନ୍‌ର ଏହି ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କଥାରେ ଅଛି, ରଖେ ହରି ତ ମାରେ କିଏ! ଏହି ଉକ୍ତିର ସତ୍ୟତା ପୁଣିଥରେ ସାମ୍ନାକୁ ଆସିଛି। ଟିକିଏ ଅସାବଧାନତା ଯୋଗୁଁ ଜଣେ କୁନି ପିଲାର ଜୀବନ ବିପଦରେ ପଡ଼ିଯାଇଥିଲା। ହେଲେ ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚିଥିଲେ ଜଣେ ପୋଲିସ ଅଧିକାରୀ। ତାଙ୍କର ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏଭଳି ଏକ ଘଟଣା ଘଟିଛି ଦକ୍ଷିଣ-ପଶ୍ଚିମ ଚୀନ୍‌ର ସିଚୁଆନ୍ ପ୍ରଦେଶରେ।

କେମିତି ଘଟିଲା ଦୁର୍ଘଟଣା?

ସୂଚନା ଅନୁଯାୟୀ, ଚୀନ୍‌ର ଚେଙ୍ଗଡୁ ଇଷ୍ଟ ରେଳ ଷ୍ଟେସନ୍‌ରେ G8645 ନମ୍ବର ଟ୍ରେନ୍‌ରେ ଯାତ୍ରୀମାନେ ଚଢ଼ୁଥିଲେ। ଏହି ସମୟରେ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଛୋଟ ପିଲା ଜଣେ ମହିଳାଙ୍କ ସହ ଟ୍ରେନ୍‌ ନିକଟରେ ପହଞ୍ଚିଥିଲା।

ଭାଇରାଲ ହେଉଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ପ୍ରଥମେ ମହିଳା ଜଣକ ନିଜ ସାମଗ୍ରୀ ଟ୍ରେନ୍‌ ଭିତରେ ରଖିଥିଲେ। ଏହାପରେ ସେ ନିଜେ ଟ୍ରେନ୍‌ରେ ଚଢ଼ିଯାଇଥିଲେ। ତାଙ୍କ ପଛେ ପଛେ କୁନି ପିଲାଟି ମଧ୍ୟ ଟ୍ରେନ୍‌ରେ ଚଢ଼ିବାକୁ ଉଦ୍ୟମ କରିଥିଲା।

ହେଲେ ଟ୍ରେନ୍‌ରେ ପାଦ ରଖିବା ସମୟରେ ପିଲାଟି ହଠାତ୍ ଭାରସାମ୍ୟ ହରାଇ ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ଥିବା ସରୁ ଫାଙ୍କ ଭିତରକୁ ଖସିପଡ଼ିଥିଲା। କିଛି ସେକେଣ୍ଡ ମଧ୍ୟରେ ଏହି ଘଟଣା ଘଟିଯାଇଥିଲା।

ଦେବଦୂତ ସାଜିଲେ ପୋଲିସ ଅଧିକାରୀ

ପିଲାଟି ଖସିପଡ଼ିବା ସମୟରେ ନିକଟରେ ପାଟ୍ରୋଲିଂ କରୁଥିଲେ ରେଳବାଇ ପୋଲିସ ଅଧିକାରୀ ଲି ୟାନରୋଙ୍ଗ। ଘଟଣା ନଜରକୁ ଆସିବା ମାତ୍ରେ ସେ ତୁରନ୍ତ ସେଠାକୁ ଦୌଡ଼ି ଯାଇଥିଲେ। ଟ୍ରେନ୍ ଚାଲିବା ପୂର୍ବରୁ ପିଲାଟିକୁ ସୁରକ୍ଷିତ ଭାବେ ଉପରକୁ ଉଠାଇବା ପାଇଁ ଉଦ୍ୟମ କରିଥିଲେ।

ପୋଲିସ ଅଧିକାରୀ ଜଣକ ପିଲାଟିର ବାପାମାଆଙ୍କ ସହାୟତାରେ ତାକୁ ଫାଙ୍କ ଭିତରୁ ବାହାରକୁ ଆଣିବାରେ ସଫଳ ହୋଇଥିଲେ। ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଯାଇଥିଲା କୁନି ପିଲାଟି। ପୋଲିସ ଅଧିକାରୀଙ୍କ ତତ୍ପରତା ଓ ଉପସ୍ଥିତ ବୁଦ୍ଧି ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। 

ଉଦ୍ଧାର ପରେ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା

ଘଟଣା ପରେ ପିଲାଟିର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଡାକ୍ତରୀ ଟିମ୍। ସୌଭାଗ୍ୟବଶତଃ ତା'ର କୌଣସି ଗୁରୁତର ଆଘାତ ଲାଗି ନଥିଲା। ସେ ସୁରକ୍ଷିତ ଥିବା ଜଣାପଡ଼ିବା ପରେ ପରିବାର ଲୋକେ ଆଶ୍ୱସ୍ତ ହୋଇଥିଲେ।

ପରବର୍ତ୍ତୀ ସମୟରେ ପିଲାଟି ନିଜ ପରିବାର ସହ ପୁଣି ଯାତ୍ରା ଆରମ୍ଭ କରିଥିଲା। ଏହି ଘଟଣା ସମ୍ପର୍କରେ ଅକ୍ଟୋବର ୮ ତାରିଖରେ ଚୀନ୍‌ର ସମ୍ବାଦ ସଂସ୍ଥା CGTN ଏକ ଭିଡିଓ ରିପୋର୍ଟ ପ୍ରକାଶ କରିଛି। 

ପିଲାଙ୍କ ସହ ଯାତ୍ରା କରୁଥିଲେ ସାବଧାନ!

ଏହି ଘଟଣା ପରେ ରେଳବାଇ ପୋଲିସ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ କରାଯାଇଛି। ବିଶେଷକରି ଛୋଟ ପିଲାଙ୍କୁ ନେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଅଭିଭାବକମାନଙ୍କୁ ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।

ଟ୍ରେନ୍‌ରେ ଚଢ଼ିବା ଓ ଓହ୍ଲାଇବା ସମୟରେ ପିଲାଙ୍କ ଉପରେ କଡ଼ା ନଜର ରଖିବା ସହ ପ୍ଲାଟଫର୍ମ ଓ ଟ୍ରେନ୍‌ ମଝିରେ ଥିବା ଫାଙ୍କ ପ୍ରତି ସତର୍କ ରହିବାକୁ ରେଳବାଇ ପୋଲିସ କହିଛି। 

ଏହି ଘଟଣା ଦର୍ଶାଉଛି ଯେ ରେଳଯାତ୍ରା ସମୟରେ ସାମାନ୍ୟ ଅସାବଧାନତା ମଧ୍ୟ କେତେ ବଡ଼ ବିପଦ ସୃଷ୍ଟି କରିପାରେ। ତେବେ ଠିକ୍ ସମୟରେ ପୋଲିସ ଅଧିକାରୀଙ୍କ ତତ୍ପରତା ଯୋଗୁଁ କୁନି ପିଲାଟିର ଜୀବନ ରକ୍ଷା ପାଇଛି। ଏହାସହ ଘଟଣାଟି ଅଭିଭାବକମାନଙ୍କ ପାଇଁ ଏକ ବଡ଼ ସତର୍କବାଣୀ ପାଲଟିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।