Police Preps For November 1 Rally: ନଭେମ୍ବର ୧ରେ ବିଶାଳ ରାଲି, ଜଗିବେ ୩୫୦୦ ପୁଲିସ, ନଜର ରଖିବ ୨୦୦ରୁ ଅଧିକ ସିସିଟିଭି

Oct 27, 2026 - 13:12
Police Preps For November 1 Rally: ନଭେମ୍ବର ୧ରେ ବିଶାଳ ରାଲି, ଜଗିବେ ୩୫୦୦ ପୁଲିସ, ନଜର ରଖିବ ୨୦୦ରୁ ଅଧିକ ସିସିଟିଭି

ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ପ୍ରସ୍ତାବିତ ରାଲି ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି ଦିଲ୍ଲୀ ପୁଲିସ।

ରାଲିରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ପ୍ରାୟ ୩,୫୦୦ ପୁଲିସ କର୍ମଚାରୀ ମୁତୟନ ହେବେ।

ଏହା ସହ ୨୦୦ରୁ ଅଧିକ ସିସିଟିଭି କ୍ୟାମେରା ଜରିଆରେ ନଜର ରଖାଯିବ ଏବଂ ସୁରକ୍ଷା ପରିଚାଳନା ପାଇଁ ପୂରା ଅଞ୍ଚଳକୁ ୧୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି।

Advertisment ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସଆଇଆର)କୁ ନେଇ ବିରୋଧୀ ଦଳଗୁଡ଼ିକ ଏହି ପ୍ରତିବାଦ ରାଲି ଆୟୋଜନ କରୁଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଉଠାଇଛନ୍ତି ବିରୋଧୀ।

ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା, ଆଇନଶୃଙ୍ଖଳା ବଜାୟ ରଖିବା ଓ ଟ୍ରାଫିକ୍‌ ପରିଚାଳନା ପାଇଁ ପୁଲିସ ରାଲି ଆୟୋଜକ, ଟ୍ରାଫିକ୍‌ ପୁଲିସ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରୁଛି।

ପୁଲିସର ସୂଚନା ଅନୁସାରେ, ପ୍ରତ୍ୟେକ ଜୋନ୍‌ର ଦାୟିତ୍ୱ ଜଣେ ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୁଲିସ (ଏସିପି) ପାହ୍ୟାର ଅଧିକାରୀଙ୍କୁ ଦିଆଯିବ।

ସେହିପରି ଅତିରିକ୍ତ ଡେପୁଟି କମିଶନର ଅଫ୍‌ ପୁଲିସ ପାହ୍ୟାର ଅଧିକାରୀ ଦୁଇଟି ଜୋନ୍‌ର ତଦାରଖ କରିବେ।

ପ୍ରାୟ ୩,୫୦୦ ପୁଲିସ କର୍ମଚାରୀଙ୍କ ସହ ୧୦ କମ୍ପାନି ରିଜର୍ଭ ଫୋର୍ସ ମଧ୍ୟ ମୁତୟନ କରାଯିବ।

Advertisment ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ସହ ପୁଲିସ କର୍ମଚାରୀଙ୍କ ଶରୀରରେ ଲାଗିଥିବା କ୍ୟାମେରା ଏବଂ ନିରୀକ୍ଷଣ ବ୍ୟବସ୍ଥା ଥିବା ଗାଡ଼ି ବ୍ୟବହାର କରାଯିବ।

ରାଲିସ୍ଥଳ ଓ ଏହାର ଆଖପାଖ ଅଞ୍ଚଳ ଉପରେ ନଜର ରଖିବା ପାଇଁ କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି।

ରାଲି ପାଇଁ ଦିଲ୍ଲୀ ପୁଲିସ ଶୁକ୍ରବାର ଏନଓସି ପ୍ରଦାନ କରିଛି।

ବିରୋଧୀ ନେତାମାନେ ଏହି ରାଲିରେ ୧୦ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇପାରନ୍ତି ବୋଲି ଦାବି କରିଛନ୍ତି।

ଲୋକଙ୍କ ଯାତାୟାତ ପାଇଁ ୧୫ ହଜାରରୁ ୨୦ ହଜାର ବସ୍‌ ସହ ରାଜନୈତିକ ନେତାଙ୍କ ବ୍ୟକ୍ତିଗତ ଗାଡ଼ି ଆସିବାର ଆକଳନ କରାଯାଇଛି।

ଅମିତ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ ଅକ୍ଟୋବର ୨୪ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ ମୁଖ୍ୟାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ।

ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଯୋଗ ଦେଇଥିଲେ।

ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି, ନିର୍ବାଚନ କମିଶନ ଓ ଏସଆଇଆର ପ୍ରକ୍ରିୟାକୁ ନେଇ ଚାଲିଥିବା ପ୍ରତିବାଦ ସମେତ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା।

ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି ରାଲି ରାଲିର ତାରିଖକୁ ନେଇ ବ୍ୟବସାୟୀ ସଂଗଠନ ମଧ୍ୟ ଚିନ୍ତା ପ୍ରକାଶ କରିଛି।

ଚାମ୍ବର ଅଫ୍‌ ଟ୍ରେଡ୍‌ ଆଣ୍ଡ ଇଣ୍ଡଷ୍ଟ୍ରି (CTI) କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ନଭେମ୍ବର ୧୦ ପରେ ରାଲି କରିବାକୁ ଅନୁରୋଧ କରିଛି।

ସଂଗଠନର କହିବା ଅନୁସାରେ, ରାମଲୀଳା ମୈଦାନ ଆଖପାଖର ପ୍ରାୟ ୨୦ଟି ପ୍ରମୁଖ ବଜାର ରାଲି ଯୋଗୁଁ ପ୍ରଭାବିତ ହୋଇପାରେ।

ନଭେମ୍ବର ୬ରେ ଧନତେରସ୍‌ ଓ ନଭେମ୍ବର ୮ରେ ଦୀପାବଳି ଥିବାରୁ ଏହି ସମୟ ବ୍ୟବସାୟୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ରାସ୍ତାରେ ବ୍ୟାରିକେଡ୍‌, ଯାତାୟାତ କଟକଣା ଓ ଡାଇଭର୍ସନ୍‌ ଯୋଗୁଁ ଗ୍ରାହକଙ୍କ ଯାତାୟାତ ଏବଂ ବ୍ୟବସାୟ ପ୍ରଭାବିତ ହେବାର ଆଶଙ୍କା କରିଛି ସଂଗଠନ।

ତେବେ ରାହୁଲ ଗାନ୍ଧି ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ରାଲି ନିର୍ଦ୍ଧାରିତ ଦିନରେ ହେବ ବୋଲି ସ୍ପଷ୍ଟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇଲେ ମାତ୍ର ୩୦ ସେକେଣ୍ଡରେ ପ୍ରତିବାଦ ବନ୍ଦ ହୋଇଯିବ ବୋଲି ସେ ବ୍ୟବସାୟୀଙ୍କୁ ଉଦ୍ଦେଶ୍ୟ କରି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।