Poor Connectivity Disrupts Anganwadi Services: ୫ଜି ଯୁଗରେ ନେଟୱର୍କ ଗାଏବ, ନେଟୱର୍କ ପାଇଁ ବଡ଼ ସଂଘର୍ଷ

Sep 08, 2026 - 19:48
Poor Connectivity Disrupts Anganwadi Services: ୫ଜି ଯୁଗରେ ନେଟୱର୍କ ଗାଏବ, ନେଟୱର୍କ ପାଇଁ ବଡ଼ ସଂଘର୍ଷ

କାହା କାଖରେ କଅଁଳ ଛୁଆ ତ କିଏ ଗର୍ଭବତୀ। ଆଗରେ ଅଙ୍ଗନବାଡି ଦିଦି, ପଛେ ପଛେ ଗର୍ଭବତୀ ଓ ପ୍ରସୂତି। ଗାଁ ମୁଣ୍ଡରୁ ଅଧ କିଲୋମିଟର ଯିବା ପରେ ସରିଯାଏ ରାସ୍ତା। ତାପରେ ୫-୭ଟି ବିଲ ଡେଇଁ ହୁଡା ଉପର ଦେଇ ସମସ୍ତେ ପହଁଚିଯାଆନ୍ତି ଏକ ବଡ଼ ଗଛ ନିକଟରେ। ଏଇଠି ଜମେ ଗହଳି, ନିଜ ନିଜ ପାଳିକୁ ଅପେକ୍ଷା କରନ୍ତି ମହିଳା। ହେଲେ କାହିଁକି, କଣପାଇଁ ଏଠାରେ ଜମୁଛି ଭିଡ଼। କାରଣ, ଏଇଠି ମୋବାଇଲକୁ ଆସୁଛି ନେଟୱର୍କ, କାମ କରୁଛି ଇଣ୍ଟରନେଟ୍। ତେଣୁ ଗଛ ମୂଳେ ବସିଛି ଅଙ୍ଗନବାଡି କେନ୍ଦ୍ର। ଫଟୋ ଉଠା ହେଉଛି, ଅପଡେଟ୍ ହେଉଛି କେୱାଇସି। ଡିଜିଟାଲ ଯୁଗରେ ଡିଜିଟାଲ ଯନ୍ତ୍ରଣାର ଏଦୃଶ୍ୟ ମୟୂରଭଞ୍ଜ କପ୍ତିପଦା ବ୍ଲକ୍ ନୋଟ ଅଂଚଳର। ଅଙ୍ଗନବାଡିରୁ ଅଣ୍ଡା, ଛତୁଆ ଓ ଲଡ଼ୁ ପାଇବା ପାଇଁ ପ୍ରତି ମାସରେ ଏଭଳି ଯନ୍ତ୍ରଣା ଭୋଗିବାକୁ ପଡେ ହିତାଧିକାରୀଙ୍କୁ। ଗାଁ ଅଙ୍ଗନବାଡି କେନ୍ଦ୍ର ନିକଟରେ ଆସୁନି ନେଟୱର୍କ। ତେଣୁ କିଏ ନବଜାତକୁ କୋଳରେ ଧରି ତ ଆଉ କିଏ ଗର୍ଭବତୀ ଥାଇ ବିପଦ ସଂକୁଳ ଅବସ୍ଥାରେ ବାଧ୍ୟ ହେଉଛନ୍ତି ଅଧ ଅଧ କିଲୋମିଟର ବାଟ ଚାଲିବାକୁ। 

ଏଠି ନେଟୱର୍କ ପାଇଁ ପଂଚାୟତ ଛାତ ଭରସା। ଫୋନରେ ଟିକେ କଥା ହେବାକୁ ହେଲେ ଚଢ଼ିବାକୁ ପଡ଼ିବ ଗଛ। ଅନଲାଇନ୍ ସେବା କି ଅନଲାଇନରେ କାମ କରିବା ସତେ ଯେମିତି ସାତ ସପନ। ନେଟୱର୍କ ଅପହଁଚର ଏ ଜାଗା ହେଉଛି ଖୋର୍ଦ୍ଧା ବାଣପୁର ବ୍ଲକ୍ ଦାମିଆ ବରବରା ପଞ୍ଚାୟତ | ଆଦିବାସୀ ଅଧ୍ୟୁଷିତ ଅଂଚଳ, ରହନ୍ତି ୬ ହଜାରରୁ ଅଧିକ ଲୋକ। ଏଠି କୌଣସି ବେସରକାରୀ ସଂସ୍ଥାର ଟାୱାର ନାହିଁ। ହଁ, ଖୁଣ୍ଟ ଭଳି ଠିଆ ହୋଇଛି ବାଲିକଣିଆ ଓ ମନ୍ଦାରରେ BSNLର ଦୁଇଟି ଟାୱାର | ଯାହା ଅଚଳ ହୋଇପଡିଛି। ସରକାର AI, 6G, 7G କଥା କହୁଥିବା ବେଳେ ଲୋକ ଏଠି କଥା ଟିକେ ହେବାକୁ ଖୋଜୁଛି ନେଟୱାର୍କ | ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେଇଯିବ ବୋଲି କହିଛନ୍ତି BSNL ଏସଡିଓ।

ସୁନ୍ଦରଗଡ ଜିଲ୍ଲା କୋଇଡାର ଉପାନ୍ତ ଅଂଚଳ। ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ପରେ ବି ନେଟୱର୍କ ଏମାନଙ୍କ ପାଇଁ ସ୍ୱପ୍ନ। ସ୍କୁଲରେ ବିନା ଇଣ୍ଟରନେଟରେ ଚାଲିଛି ପାଠପଢା, ଆମ୍ବୁଲାନ୍ସ ଡାକିବାକୁ ହେଲେ ଚଢ଼ିବାକୁ ପଡୁଛି ପାହାଡ। ଜରୁରୀ କାଗଜପତ୍ର ପାଇଁ ଯିବାକୁ ପଡୁଛି ମାଇଲ ମାଇଲ ବାଟ। କୋଇଡା ବ୍ଲକ୍ ର ରେଲହାତୁ, ସୋଟମ୍ବା, ରକ୍ସି, ଜାମୁଢି, ଚୋରାଧରା, ବିମଲାଗଡ, କାଲଟା ଭଳି ଅନେକ ପଞ୍ଚାୟତର ଉପାନ୍ତ ଗାଁରେ ଆଜିବି ମୋବାଇଲ ନେଟୱାର୍କର ଚିହ୍ନ ବର୍ଣ୍ଣ ନାହିଁ। 

ଡିଜିଟାଲ୍ ହେଉଛି ଦେଶ। ବଢୁଛି ଇଣ୍ଟରନେଟ୍ ସ୍ପିଡ୍। ସରକାର 6G ଓ 7G କଥା କହୁଛନ୍ତି। ହେଲେ ରାଜ୍ୟ ସାରା ଅଳ୍ପ ବହୁତ ସମାନ ସ୍ଥିତି। ଉପାନ୍ତରେ ଅପହଂଚ ନେଟୱର୍କ। ଆଉ ସହରରେ 5G ଥାଇ ବି ମିଳୁନି ସେବା। ଟାୱାର ଥାଇ ବି ବାରମ୍ବାର କଲ୍ ଡ୍ରପ୍ ହେଉଛି। ଇଣ୍ଟରନେଟ୍ ଠିକରେ କାମ କରୁନଥିବାରୁ ବିଳମ୍ବ ହେଉଛି ସେବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।