Fever Spreads Across Remote Odisha: ମ୍ୟାଲେରିଆରେ ଥରୁଛି ଉପାନ୍ତ ଓଡ଼ିଶା, ଗାଁ ଗାଁରେ ବଢ଼ୁଛି ଜ୍ୱର

Sep 08, 2026 - 19:48
Fever Spreads Across Remote Odisha: ମ୍ୟାଲେରିଆରେ ଥରୁଛି ଉପାନ୍ତ ଓଡ଼ିଶା, ଗାଁ ଗାଁରେ ବଢ଼ୁଛି ଜ୍ୱର

ଜ୍ୱରରେ କଂପୁଛି ଉପାନ୍ତ। ମ୍ୟାଲେରିଆରେ ଥରୁଛି ମାଲକାନଗିରି ଓ ନବରଙ୍ଗପୁର। ଏ ଚିତ୍ର ଉମରକୋଟ ବ୍ଲକ୍ ତୋହରା ପଞ୍ଚାୟତର ଅର୍ଜୁନପାଣି ଗାଁ। ଗାଁର ଗୁରୁବାରୀ କିଛି ଦିନ ହେଲା ଜ୍ୱରରେ ପୀଡ଼ିତ। କିନ୍ତୁ ଡାକ୍ତରଖାନା ଘରଠୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବାରୁ ଅଣସ୍ୱୀକୃତିପ୍ରାପ୍ତ ଚିକିତ୍ସକଙ୍କ ଉପରେ ଭରସା କରୁଛନ୍ତି ପରିବାର। କେବଳ ଅର୍ଜୁନପାଣି ନୁହେଁ, ପଦମଝରି ଗାଁର ବସବାସ କରନ୍ତି ହଜାରରୁ ଅଧିକ ଲୋକ। ଏଇ ଗାଁର ବି ଅନେକ ଲୋକ ଏବେ ଜ୍ୱରରେ ପୀଡ଼ିତ। ସରକାରୀ ଚିକିତ୍ସା ସୁବିଧା ନମିଳିବାରୁ ବାଧ୍ୟ ହୋଇ କ୍ବାକ୍ ଙ୍କୁ ଦେଖାଇ ଔଷଧ ନେଉଛନ୍ତି। ଗାଁ ଲୋକଙ୍କ କହିବା କଥା ହେଲା ସରକାରୀ ହସ୍ପିଟାଲ ଦୂରରେ ଥିବାରୁ ବାଧ୍ୟ ହୋଇ ହାତରୁ ଟଙ୍କା ଖର୍ଚ୍ଚ କରି ଔଷଧ, ସାଲାଇନ୍ ଓ ଇଞ୍ଜେକ୍ସନ୍ କିଣିବାକୁ ପଡୁଛି।

ସବୁଠୁ ଚିନ୍ତାର ବିଷୟ ହେଲା ତୋହରା ପଞ୍ଚାୟତରେ ପ୍ରାୟ ୪୦ଟି ଗାଁରେ ୧୪ ହଜାରରୁ ଅଧିକ ଲୋକ ରହୁଥିବା ବେଳେ ଅଛନ୍ତି ମାତ୍ର ଜଣେ ସ୍ୱାସ୍ଥ୍ୟକର୍ମୀ। ଗ୍ରାମବାସୀଙ୍କ ଅଭିଯୋଗ ଦୁଇ ବର୍ଷରୁ ଅଧିକ ସମୟ ହେଲା ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ ମଶାରୀ କି ଔଷଧ ବଣ୍ଟନ ହୋଇନାହିଁ। ସେପଟେ ଗାଁରେ ଜ୍ୱର ବ୍ୟାପିବା ପରେ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି। ପୀଡ଼ିତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ତେବେ ପ୍ରାଥମିକ ପରୀକ୍ଷାରେ ମ୍ୟାଲେରିଆ ନେଗେଟିଭ୍ ଆସିଥିବା ନବରଙ୍ଗପୁର ADMO କହିଛନ୍ତି।

ଏଣେ ମାଲକାନଗିରିରେ ପୁଣି ଉପରମୁହାଁ ମ୍ୟାଲେରିଆ। ଚଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୩୯ ଜଣ ରୋଗୀ। କେବଳ ଜୁଲାଇ ମାସରେ ୨ ହଜାର ୮୧୬ ଜଣ ଚିହ୍ନଟ ହୋଇଛନ୍ତି। ମ୍ୟାଲେରିଆରେ ୩ ଜଣଙ୍କର ମୃତ୍ୟୁ ବି ଘଟିଲାଣି। କୁଡୁମୁଲୁଗୁମ୍ମା ସମେତ କିଛି ଅଞ୍ଚଳରେ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ କହିଛି ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଉଥିବାରୁ ମ୍ୟାଲେରିଆ ଚିହ୍ନଟ ସଂଖ୍ୟା ବଢ଼ିଛି। ରୋଗ ନିୟନ୍ତ୍ରଣ ପାଇଁ ଗାଁ ଗାଁରେ ଚାଲିଛି ରକ୍ତ ନମୁନା ସଂଗ୍ରହ। ସଚେତନତା କାର୍ଯ୍ୟକ୍ରମ ସହ ମଶାରି ବଣ୍ଟନ ଜାରି ରହିଛି। ଦୁଇଜଣିଆ ବିଶେଷଜ୍ଞ ଟିମ୍, ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛନ୍ତି। 

ଗୋଟିଏ ପଟେ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅଭାବ, ଅନ୍ୟପଟେ ବଢ଼ୁଥିବା ମ୍ୟାଲେରିଆ ସଂକ୍ରମଣ। ଏହାରି ଭିତରେ ସ୍ୱାସ୍ଥ୍ୟସେବା କେବେ ଗାଁରେ ପହଞ୍ଚିବ ସେହି ଅପେକ୍ଷାରେ ଦୁଇ ଜିଲ୍ଲାବାସୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।