President Under House Arrest: ବିପଦରେ ୩୦ ଲକ୍ଷ ଗ୍ରାହକଙ୍କ ଟଙ୍କା! ପଦରୁ ହଟିବା ପରେ ପୂର୍ବତନ ରାଷ୍ଟ୍ରପତି ଗୃହବନ୍ଦୀ
ଦକ୍ଷିଣ ଆମେରିକୀୟ ଦେଶ ପାରାଗୁଏରେ ବଡ଼ ରାଜନୈତିକ ଓ ଆର୍ଥିକ ସଙ୍କଟ ଦେଖାଦେଇଛି।
ବ୍ୟାଙ୍କିଂ ସଙ୍କଟକୁ ନେଇ ରାଷ୍ଟ୍ରପତି ପଦରୁ ହଟିଛନ୍ତି ସାଣ୍ଟିଆଗୋ ପେନା।
ତାଙ୍କୁ ଗୃହବନ୍ଦୀ ରଖାଯାଇଥିବା ବେଳେ ଉପରାଷ୍ଟ୍ରପତି ପେଡ୍ରୋ ଆଲିଆନା ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ଦେଶର ପ୍ରମୁଖ ଡିଜିଟାଲ୍ ବ୍ୟାଙ୍କ 'ୱେନୋ' ଭୁଶୁଡ଼ି ପଡ଼ିବା ପରେ ଏହି ରାଜନୈତିକ ସଙ୍କଟ ଆହୁରି ଗମ୍ଭୀର ହୋଇଛି।
Advertisment ସୂଚନା ଅନୁଯାୟୀ, ନଭେମ୍ବର ୬ ତାରିଖ ଶୁକ୍ରବାର ପାରାଗୁଏର ସଂସଦର ଉଚ୍ଚ ସଦନ ସିନେଟ୍ରେ ରାଷ୍ଟ୍ରପତି ସାଣ୍ଟିଆଗୋ ପେନାଙ୍କୁ ପଦରୁ ହଟାଇବା ପାଇଁ ଭୋଟିଂ ହୋଇଥିଲା।
ଉପସ୍ଥିତ ୪୪ ଜଣ ସାଂସଦ ତାଙ୍କ ବିରୋଧରେ ଭୋଟ୍ ଦେଇଥିଲେ।
ଏହାପରେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଯାଇଥିଲା।
ଦେଶର ଇତିହାସରେ ୧୯୮୯ରେ ଏକଛତ୍ର ଶାସନର ଅନ୍ତ ପରେ ମହାଭିଯୋଗ ଜରିଆରେ ପଦଚ୍ୟୁତ ହୋଇଥିବା ଦ୍ୱିତୀୟ ରାଷ୍ଟ୍ରପତି ହେଉଛନ୍ତି ପେନା।
ପାରାଗୁଏର ପ୍ରମୁଖ ଡିଜିଟାଲ୍ ବ୍ୟାଙ୍କ 'ୱେନୋ' ଗତ ସପ୍ତାହରେ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଥିଲା।
ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହାକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।
ଫଳରେ ଲକ୍ଷ ଲକ୍ଷ ଗ୍ରାହକ ନିଜ ଜମା ଟଙ୍କା, ସଞ୍ଚୟ ଓ ପେନ୍ସନ୍ ଟଙ୍କା ଉଠାଇବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଏହି ବ୍ୟାଙ୍କରେ ପ୍ରାୟ ୩୦ ଲକ୍ଷ ଗ୍ରାହକଙ୍କ ଖାତା ଥିବା କୁହାଯାଉଛି।
ଯାହା ପାରାଗୁଏର ମୋଟ ଜନସଂଖ୍ୟାର ପ୍ରାୟ ଅଧା।
Advertisment ସାଂସଦମାନେ ଅଭିଯୋଗ କରିଛନ୍ତି ଯେ, ପେନା ନିଜର ରାଜନୈତିକ ପ୍ରଭାବ ବ୍ୟବହାର କରି ବ୍ୟାଙ୍କକୁ ବିପୁଳ ସରକାରୀ ଅର୍ଥ ଯୋଗାଇବାରେ ସହାୟତା କରିଥିଲେ।
ଏପରିକି ବ୍ୟାଙ୍କର ଆର୍ଥିକ ଅନିୟମିତତା ଓ ଋଣ ପ୍ରଦାନରେ ଥିବା ସମସ୍ୟା ଉପରେ ନିୟାମକ ସଂସ୍ଥା ଠିକ୍ ଭାବେ ନଜର ରଖିନଥିଲେ।
ସିନେଟ୍ର ନିଷ୍ପତ୍ତି ପରେ ପେନାଙ୍କୁ ଗୃହବନ୍ଦୀ ରଖାଯାଇଛି।
ତାଙ୍କୁ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶନିବାର ସକାଳେ ତାଙ୍କୁ ଅଭିଯୋଜକଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି।
ତେବେ ପେନା ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ତାଙ୍କ ବିରୋଧରେ ଆସିଥିବା କେତେକ ଗୁରୁତର ଅଭିଯୋଗ ପ୍ରମାଣିତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।
ପୂର୍ବତନ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ପରେ ଉପରାଷ୍ଟ୍ରପତି ପେଡ୍ରୋ ଆଲିଆନା ଶୁକ୍ରବାର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ସେ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ଅବଶିଷ୍ଟ କାର୍ଯ୍ୟକାଳ ପୂରଣ କରିବେ।
ଶପଥ ଗ୍ରହଣ ପରେ ଆଲିଆନା କହିଛନ୍ତି ଯେ, ଏବେ ପାରାଗୁଏ ସମ୍ମୁଖରେ ଅନେକ ଆହ୍ୱାନ ରହିଛି।
ବ୍ୟାଙ୍କରେ ଜମା ରଖିଥିବା ଲୋକଙ୍କ ଟଙ୍କା ଫେରାଇବା ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ତାଙ୍କ ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।
ତେବେ ବ୍ୟାଙ୍କ ସଙ୍କଟ ସହ ଜଡ଼ିତ ମାମଲାରେ ଆଲିଆନାଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସିଛି।
ବ୍ୟାଙ୍କ ବନ୍ଦ ହେବା ପରେ ଟଙ୍କା ଫେରସ୍ତ ଦାବିରେ ପାରାଗୁଏର ରାଜଧାନୀ ଆସୁନସିଅନ୍ରେ ବ୍ୟାପକ ବିକ୍ଷୋଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।