Putin to Visit India in Two Days: ଦୁଇ ଦିନ ପରେ ଭାରତ ଆସିବେ ପୁଟିନ୍, ମୋଦୀଙ୍କ ସହ ହେବ ବଡ଼ ବୈଠକ

Sep 08, 2026 - 17:18
Putin to Visit India in Two Days: ଦୁଇ ଦିନ ପରେ ଭାରତ ଆସିବେ ପୁଟିନ୍, ମୋଦୀଙ୍କ ସହ ହେବ ବଡ଼ ବୈଠକ

ଦୁଇ ଦିନ ପରେ ଭାରତ ଆସୁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପୁଟିନଙ୍କ ଦ୍ୱିପାକ୍ଷିକ ବୈଠକ ହେବ। କ୍ରେମଲିନ୍ ଏହି ବୈଠକକୁ ନିଶ୍ଚିତ କରିବା ସହ ଭାରତକୁ ରୁଷ୍‌ର ଏକ ‘ରଣନୈତିକ ସହଯୋଗୀ’ ବୋଲି କହିଛି।

ବୈଠକରେ ଭାରତ-ରୁଷ୍‌ ସମ୍ପର୍କ, ପ୍ରତିରକ୍ଷା, ଶକ୍ତି, ପରମାଣୁ ପ୍ରକଳ୍ପ ଓ ବାଣିଜ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାସହ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଓ ଶାନ୍ତି ପ୍ରୟାସ ମଧ୍ୟ ଆଲୋଚନାରେ ସ୍ଥାନ ପାଇପାରେ।

କ୍ରେମଲିନ୍ ପ୍ରବକ୍ତା ଦିମିତ୍ରି ପେସ୍କୋଭ କହିଛନ୍ତି ଯେ, ମୋଦୀ ଓ ପୁଟିନଙ୍କ ମଧ୍ୟରେ ଖୋଲା ଏବଂ ବ୍ୟବହାରିକ ଆଲୋଚନା ହୋଇଥାଏ। ତେଣୁ ବିଶ୍ୱ ରାଜନୀତି ସହ ଉଭୟ ଦେଶର ସମ୍ପର୍କ ସଂପର୍କିତ ସମ୍ବେଦନଶୀଳ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇପାରିବ।

ବ୍ରିକ୍ସକୁ ନେଇ ମଧ୍ୟ ରୁଷ୍‌ର ଆଭିମୁଖ୍ୟ ସ୍ପଷ୍ଟ କରିଛି କ୍ରେମଲିନ୍। ପେସ୍କୋଭଙ୍କ କହିବା ଅନୁସାରେ, ବ୍ରିକ୍ସର ମୁଖ୍ୟ ଫୋକସ୍ ରାଜନୀତି ଓ ସୁରକ୍ଷା, ଅର୍ଥନୀତି ଓ ଆର୍ଥିକ ସହଯୋଗ, ଏବଂ ସାଂସ୍କୃତିକ ଓ ମାନବୀୟ ସମ୍ପର୍କ ଉପରେ ରହିଛି।

ଆମେରିକାର ପ୍ରସ୍ତାବିତ ରୁଷ୍‌ ତୈଳ ଆମଦାନୀ ସମ୍ପର୍କିତ ପ୍ରତିବନ୍ଧକ ଉପରେ ମଧ୍ୟ ରୁଷ୍‌ କଡ଼ା ଆଭିମୁଖ୍ୟ ଦେଖାଇଛି। ଏପଟେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ଦେୟ ଜାତୀୟ ମୁଦ୍ରାରେ ହେଉଥିବା ପେସ୍କୋଭ କହିଛନ୍ତି।

ତେବେ ପୁଟିନଙ୍କ ଭାରତ ଗସ୍ତ ଏବଂ ମୋଦୀ-ପୁଟିନ୍ ସାକ୍ଷାତକାର ଉପରେ ଏବେ ସମସ୍ତଙ୍କ ନଜର। ବିଶ୍ୱ ରାଜନୀତି ବଦଳୁଥିବା ସମୟରେ ଭାରତ-ରୁଷ୍‌ ସମ୍ପର୍କର ଆଗାମୀ ଦିଗ ନେଇ ଏହି ବୈଠକରୁ କଣ ସଙ୍କେତ ମିଳିବ, ତାହା ଉପରେ ରହିଛି ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।