Rahul Gandhi's Convoy Collide With Ambulance: ରାହୁଲ ଗାନ୍ଧିଙ୍କ କନଭୟ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ରାହୁଲ, କିଛି ଲୋକ ଆହତ
ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ କନଭୟରେ ଥିବା ୫ଟି ଗାଡ଼ି ଏକ ଆମ୍ବୁଲାନ୍ସ ସହ ଧକ୍କା ହୋଇଛି।
ଏହି ଦୁର୍ଘଟଣାରେ କଂଗ୍ରେସ କର୍ମୀ ଓ ସୁରକ୍ଷାକର୍ମୀଙ୍କ ସମେତ କିଛି ଲୋକ ଆହତ ହୋଇଛନ୍ତି।
ତେବେ ରାହୁଲ ଗାନ୍ଧି ସୁରକ୍ଷିତ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।
Advertisment ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ହଲିୟାପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।
କନଭୟରେ ଥିବା ଏକ ଗାଡି ଆମ୍ବୁଲାନ୍ସକୁ ପିଟିବା ପରେ ପଛକୁ ପଛ ଥିବା ପାଞ୍ଚଟି ଗାଡ଼ି ପରସ୍ପରକୁ ପିଟି ହୋଇଥିଲା।
ଦୁର୍ଘଟଣାସ୍ଥଳର ସିସିଟିଭି ଦୃଶ୍ୟରେ ଆମ୍ବୁଲାନ୍ସଟି ଏକ୍ସପ୍ରେସ୍ୱେର ଡାହାଣ ପାର୍ଶ୍ୱ ଦ୍ରୁତଗାମୀ ଲେନ୍ରେ ଯାଉଥିବା ଦେଖାଯାଇଛି।
ଏହା ପରେ ଆମ୍ବୁଲାନ୍ସଟି ହଠାତ୍ ବ୍ରେକ୍ ମାରିବା ଯୋଗୁଁ ରାହୁଲଙ୍କ କନଭୟ ଗାଡି ପିଟି ହୋଇଥିଲା।
ଧକ୍କା ପରେ ଏକ ସ୍କର୍ପିଓ ଗାଡ଼ିର ସାମ୍ନା ଭାଗ କ୍ଷତିଗ୍ରସ୍ତ ହୋଇଥିବା ମଧ୍ୟ ଦୃଶ୍ୟରୁ ଜଣାପଡ଼ିଛି।
ରାହୁଲ ଗାନ୍ଧି ଆଜି ଲକ୍ଷ୍ନୌ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କ କନଭୟ ସୁଲତାନପୁର ଅଭିମୁଖେ ଯାତ୍ରା କରିଥିଲା।
ଲକ୍ଷ୍ନୌଠାରୁ ସୁଲତାନପୁରର ଦୂରତା ପ୍ରାୟ ୧୩୫ କିଲୋମିଟର।
ଗନ୍ତବ୍ୟସ୍ଥଳଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
Advertisment ସୁଲତାନପୁରର ଏକ ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ ଅଦାଲତରେ ଚାଲିଥିବା ମାନହାନି ମାମଲାରେ ହାଜର ହେବା ପାଇଁ ରାହୁଲ ଗାନ୍ଧି ସେଠାକୁ ଯାଉଥିଲେ।
ଅମିତ ଶାହଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗକୁ ନେଇ ଏହି ମାମଲା ରୁଜୁ ହୋଇଥିଲା।
୨୦୧୮ ଅଗଷ୍ଟ ୪ ତାରିଖରେ ସୁଲତାନପୁର ଜିଲ୍ଲା ସମବାୟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା ବିଜୟ ମିଶ୍ର ରାହୁଲ ଗାନ୍ଧିଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ।
୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ବେଙ୍ଗାଲୁରୁରେ ଏକ ପ୍ରଚାର ସଭାରେ ରାହୁଲ ଏହି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।