Ramayana: ରାମାୟଣରୁ ଦୁଇଟି କଥା
"ବାବାଜୀଚରଣ ପଟ୍ଟନାୟକ ଭାରତବର୍ଷରେ ଆଦ୍ୟ କବ୍ୟ "ରାମାୟଣ"।
ତାହା ସାତ କାଣ୍ଡ ବିଶିଷ୍ଟ ରଚନା; ରଚୟିତା ବାଲ୍ମୀକି ମହର୍ଷି। "ଉତ୍ତରା କାଣ୍ଡ"ର କଥାଟିଏ।
ସୀତାଙ୍କୁ ବଣକୁ (ସୀତା ବାଲ୍ମୀକି ଆଶ୍ରମରେ ରହିଛନ୍ତି) ପଠାଇଛନ୍ତି ରାମ।
ଲକ୍ଷ୍ମଣ ସୀତାଙ୍କୁ ଛାଡ଼ି ରାଜବାଟୀକୁ ଫେରି ଆସିଛନ୍ତି।
ରାମଚନ୍ଦ୍ର ଦୁଃଖ ଓ ବ୍ୟସ୍ତତାରେ ଛଟପଟ ହୁଅନ୍ତି।
ଏକଦା ସେ ଅଗସ୍ତିଙ୍କ ଆଶ୍ରମରେ ପହଞ୍ଚନ୍ତି।
ଅଗସ୍ତି ତାଙ୍କୁ ଏକ ଅଳଙ୍କାର ପୁଟୁଳା ଦିଅନ୍ତି।
ବ୍ରାହ୍ମଣଙ୍କ ଠାରୁ କ୍ଷତ୍ରିୟ ଦାନ ନେବା ଠିକ୍ ନୁହେଁ ବୋଲି ରାମଚନ୍ଦ୍ର କହନ୍ତି।
ସେ ଅଳଙ୍କାର ପୁଟୁଳା ତାଙ୍କ ପାଖକୁ କେଉଁଠୁ ଓ କିପରି ଆସିଛି ଏ କଥା ଶୁଣାନ୍ତି ଅଗସ୍ତି।ତପସ୍ୟା କରିବା ପାଇଁ ନିର୍ଜନ ସ୍ଥାନ ଖୋଜି, ଅଗସ୍ତି ପହଞ୍ଚନ୍ତି ଏକ ଜନମାନବଶୂନ୍ୟ, ସୁନ୍ଦର ପୁଷ୍କରିଣୀ ଥିବା ଜଙ୍ଗଲ ଜାଗାରେ।
ସେଠି, ପୋଖରୀ ବନ୍ଧ ଉପରେ ଗୋଟେ ପରିତ୍ୟକ୍ତ ବିଶାଳ ଆଶ୍ରମ ଥାଏ।
ଖରା ଦିନ।
ଅଗସ୍ତି ରାତିରେ ସେହି ଆଶ୍ରମରେ ଶୋଇପଡ଼ି, ସକାଳୁ ପୋଖରୀକି ଧୋଇ ହେବା ପାଇଁ ଆସନ୍ତି।
ପୋଖରୀ କୂଳରେ ଗୋଟେ ମୋଟାସୋଟା ପୁରୁଷର ତାଜା ଶବ ପଡ଼ିଥିବା ଦେଖନ୍ତି।
ଠିକ୍ ଅଳ୍ପ ସମୟ ପରେ ଆକାଶରୁ ଗୋଟେ ବିମାନ ଖସେ।
ତହିଁରୁ ଜଣେ ସୁନ୍ଦର ପୁରୁଷ ବାହାରି, ପଡ଼ିଥିବା ଶବର ମାଂସ ଖାଇ, ପୋଖରୀରେ ଧୋଇଧାଇ ହୁଅନ୍ତି।
ସେ ବିମାନରେ ଫେରିଯିବା ବେଳକୁ ଅଗସ୍ତି ତାଙ୍କୁ ତାଙ୍କର ପରିଚୟ ପଚାରନ୍ତି ଏବଂ ଏଭଳି ଅନୁଚିତ କାମ କରିବାର କାରଣ ଜାଣିବାକୁ ଚାହାନ୍ତି।
ସ୍ବର୍ଗରୁ ଆସିଥିବା ପୁରୁଷ ଜଣକ କହନ୍ତି; ସେ ବିଦର୍ଭ ରାଜା ସୁଦେବଙ୍କ ପୁଅ।
ତାଙ୍କ ନଁା ଶ୍ବେତ।
ରାଜାଙ୍କର ଆଉ ଜଣେ ରାଣୀଙ୍କ ପୁଅ ସୁରଥ, ଶ୍ବେତଙ୍କ ସାନ ଭାଇ।
ଶ୍ବେତ ରାଜା ହେଇ ବୟସ୍କ ହେବା ପରେ ସୁରଥଙ୍କୁ ରାଜା କରି ବଣରେ ତପସ୍ୟା କରିବାକୁ ଆସି, ଏଇଠି ତପସ୍ୟା କରୁଥିଲେ।
ତପସ୍ୟା ହେତୁ ବ୍ରହ୍ମଲୋକ ପାଇଥିଲେ।
ହେଲେ, ତାଙ୍କୁ ସବୁବେଳେ ଭୋକ, ଶୋଷ ଅଥୟ କରୁଥିଲା।
ସେ ଏଥିର ନିରାକରଣ ବାଟ ବତାଇବାକୁ ବ୍ରହ୍ମାଙ୍କୁ ଅନୁରୋଧ କଲେ।
ବ୍ରହ୍ମା କହିଲେ, ""ତୁମେ ଖାଇପିଇ ଯେଉଁ ଦେହକୁ ତାଗଡ଼ା କରି ରଖିଛ ତା"ରି ମାଂସ ଖାଅ।
ଯେବେ, ତୁମେ ତପସ୍ୟା କରୁଥିବା ବଣକୁ ଅଗସ୍ତି ଆସିବେ ଓ ତୁମକୁ ପଚାରିବେ ଏବଂ ତୁମେ ତାଙ୍କୁ ଦେଖିବ; ସେଇଦିନ ନିଜେ ନିଜ ଶବରୁ ମାଂସ ଖାଇବା କଷ୍ଟରୁ ମୁକ୍ତି ପାଇବ।"" ଏତକ କହି ସେ ଅଳଙ୍କାର ପୁଡ଼ା ଦେଇଥିଲେ ଅଗସ୍ତିଙ୍କୁ।
ଶବ ଉଭେଇ ଯାଇଥିଲା।
ଶ୍ବେତ ମୁକ୍ତି ପାଇଥିଲେ।ଏ ଲେଖକ, କିଶୋର ଅବସ୍ଥାରେ ଗାଅଁା ମଠର ବାବାଙ୍କ ଠାରୁ ଏ ଗପ ଶୁଣି ବିସ୍ମିତ ହୋଇଛି।
ବାବା ପରାମର୍ଶ ଦେଇଥାନ୍ତି, ନିଜ ଶରୀର କିମିତି ହୃଷ୍ଟପୁଷ୍ଟ ହେବ, ସୁନ୍ଦର ଦେଖାଯିବ, ତାହିଁ ପାଇଁ ହାଇଁପାଇଁ ନ ହେଇ, ମନ କେମିତି ଭଲ ରହିବ, ତହିଁରେ ଲାଗିବ।
ପରେ ହୁଏତ ଏ କଥାଟିକୁ େଯତେ ଥର ପଢ଼ିଛି, ଏ ଲେଖକ, ସେତେ ଥର ଭଞ୍ଜବାବାଙ୍କ ସ୍ବର ଭିତରୁ ଶୁଭିଛି, ଗାଅଁାର ମଠ, ରାମ, ଲକ୍ଷ୍ମଣ, ସୀତା ହନୁମାନ ମୂର୍ତ୍ତି ଆଖିରେ ନାଚିଛି।
ମନେହୁଏ, ମୋରି ଭଳି ଗାଅଁାରେ ଜନ୍ମି ବଢ଼ିଥିବା ପିଲାଏ, ସେ କାଳରେ ଅନୁଭବି ଥିବେ, ବାପା-ବୋଉ ବାଲ୍ୟ-କିଶୋରର ଜଗୁଆଳ, କିନ୍ତୁ, ଭବିଷ୍ୟତ ଜୀବନ ଗଠକ, ଗଁାର ଲୋକ ଶିକ୍ଷକେ ଆଉ ବିଦ୍ୟାଳୟ ଶିକ୍ଷକେ।ଆଉ ଦିନେ, ବାବା ଶୁଣାନ୍ତି, ରାମରାଜ୍ୟରେ ଚଳୁଥିବା ବିଚାର କଥା।
ଏ କଥାଟି ଓଡ଼ିଆ ରାମାୟଣ ବା ଜଗମୋହନ ରାମାୟଣର।
ଲେଖକ- ବଳରାମ ଦାସ।
ଉତ୍ତରା କାଣ୍ଡରେ ସୀତାଙ୍କୁ ବଣକୁ ପଠେଇ ରାମ କଷ୍ଟରେ ଥା"ନ୍ତି।
ପାଖରେ ବସିଥାନ୍ତି ଲକ୍ଷ୍ମଣ।
ହଠାତ୍, ରାମ ଲକ୍ଷ୍ମଣଙ୍କୁ ସିଂହ ଦ୍ବାର ଯାଏ ଯାଇ ଗୁହାରିଆକୁ ଡାକି ଆଣିବାକୁ କହନ୍ତି।
ଲକ୍ଷ୍ମଣ ସେଠି କାହାକୁ ନ ପାଇ, ରାମଙ୍କୁ ତାହା ଜଣାନ୍ତି।
ପୁନରାୟ ଯାଇ ଦେଖିବାକୁ ରାମଚନ୍ଦ୍ର କହିବାରୁ, ଲକ୍ଷ୍ମଣ ସିଂହ ଦ୍ବାର ଯାଇ ଦେଖନ୍ତି କୁକୁରଟିଏ ବସି ଲୁହ ଗଡ଼ାଉଛି।
କୁକୁରକୁ ରାମଚନ୍ଦ୍ରଙ୍କ ନିକଟକୁ ଯିବାକୁ କହିବାରୁ, କୁକୁର ଲକ୍ଷ୍ମଣଙ୍କୁ କହିଛି, ଘର ଭିତରକୁ ଓ ଯଜ୍ଞଶାଳାକୁ ନ ଯିବା ପାଇଁ ବ୍ରହ୍ମାଙ୍କ ନିର୍ଦ୍ଦେଶ ଅଛି।
ଲକ୍ଷ୍ମଣ ଫେରିଯାଇ ରାମଚନ୍ଦ୍ରଙ୍କୁ ଏ କଥା ଜଣାଇବାରୁ, ରାମଚନ୍ଦ୍ର କହନ୍ତି, ""ଲକ୍ଷ୍ମଣ!
କୁକୁର ମହାତ୍ମାକୁ ଯାଇ କହ, ଭିତରକୁ ଯିବା ପାଇଁ ରାମଚନ୍ଦ୍ରଙ୍କ ଆଜ୍ଞା।"" ଲକ୍ଷ୍ମଣ ତଳକୁ ଯାଇ କୁକୁରକୁ ଜଣାଇବାରୁ କୁକୁର ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚି, ବିନା କାରଣରେ ତାକୁ ପରମ ସିଦ୍ଧ୍ୟ ବ୍ରାହ୍ମଣ ମାରିଥିବା ବିଷୟ ଜଣାଏ।
ତା" ପରେ ଖୁଣ୍ଟିଆକୁ ପଠାଯାଇ ବ୍ରାହ୍ମଣଙ୍କୁ ଅଣାଗଲା ଓ ତାଙ୍କୁ କୁକୁରର ଅଭିଯୋଗ ବିଷୟରେ ପଚରାଗଲା।
ପରମସିଦ୍ଧ୍ୟ କହିଲେ ହଁ, ସେ ତାକୁ ମାରିଛନ୍ତି।
ରାମଚନ୍ଦ୍ର ବଶିଷ୍ଠ ଓ ସଭାସଦଙ୍କୁ ଚାହିଁବାରୁ, ମନ୍ତ୍ରୀ କହିଲେ, ""ଏହା ବ୍ରାହ୍ମଣର ଦୋଷ।"" ବ୍ରାହ୍ମଣ କହିଲେ, ""ନ ଜାଣିବା ପଣରୁ ମୁଁ ଏମିତି କରିଦେଇଛି, ଯାହା ଦଣ୍ଡ ଦେବେ ଦିଅନ୍ତୁ।"" ରଘୁନାଥ କୁକୁରକୁ ପଚାରିଲେ, ""ବ୍ରାହ୍ମଣକୁ କି ଶାସ୍ତି ଦିଆଯିବ?"" କୁକୁର କହିଛି, କାଳିଞ୍ଜନ ପର୍ବତରେ ଥିବା ସଦାଶିବଙ୍କ ପରିଚ୍ଛା (ପ୍ରଶାସକ) କରାଯାଉ ଏ ବ୍ରାହ୍ମଣଙ୍କୁ।
ଏ କଥା ଶୁଣି ସଭାରେ ଥିବା ଲୋକମାନେ ହସିଲେ।
କେହିକେହି କହିଲେ, ""ଏ ତ ପୁରସ୍କାର।"" କୁକୁର କହିଲା, ପୂର୍ବଜନ୍ମରେ ସେ ସେଇ କାମ ଅର୍ଥାତ୍ ଶିବଙ୍କ ମନ୍ଦିରରେ ପରିଚ୍ଛା ଥିଲା।
ରୁଦ୍ର ଦେବତାର ବିଷୟାଦି ଖାଇ ଯାଇ ଏ ଜନ୍ମରେ କୁକୁର ହୋଇଛି।
କଥାଟିର ତାତ୍ପର୍ଯ୍ୟ ସମସ୍ତେ ବୁଝିଲେ।କଥାଟି ସରିବା ପରେ ବାବା କହନ୍ତି, ବାବାରେ ପରର ଧନ ଦଉଲତ କେବେ ତୋସରପାତ କରିବ ନାହିଁ।
ଆଉ ଠାକୁର ସଂପତ୍ତି ତ ନିଅଁା।
ତହିଁରେ ଖେଳିଲେ ପିଢ଼ିପିଢ଼ି ଧରି ଭୋଗିବାକୁ ପଡ଼େ।
ଏମିତିକା କଥା ଶୁଣି, କେଉଁ ବାଳକ ପ୍ରଭାବିତ ନ ହେବ!
ପୁନଃଜନ୍ମରେ ବିଶ୍ବାସ ନ କରିବ!
ରାମାୟାଣ ପଢ଼ି ନଜାଣିବା ବୟସରେ ମଫସଲ ଗଁା ମଠର ବାବା, ଆଳତି କରି ସାରି, ଭୋଗ ଖାଇବାକୁ ଦେଇ ଦଳେ ପାଠପଢ଼ା ଆରମ୍ଭ କରିଥିବା ପୁଅଝିଅଙ୍କୁ ବସାଇ ରାମ କଥା କୁହାରେ ଯେଭଳି ପ୍ରଭାବିତ କରିଥିଲେ, ତହିଁକି ଏ ଲେଖକ କର୍ମଫଳ ଓ ପୁନଃଜନ୍ମ ବିଶ୍ବାସୀ ହୋଇଛି ସେବେଠୁ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୩୧୯୯୧୪Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।