Ranji Trophy: ରଣଜୀ ଟ୍ରଫି: ଓଡ଼ିଶା ୩୨୪; ଗୁଜରାଟର ଦୃଢ଼ ଜବାବ
"ଭୁବନେଶ୍ବର: ରଣଜୀ ଟ୍ରଫିର ନୂଆ ଋତୁ (୨୦୨୬-୨୭)ର ପ୍ରଥମ ଦିନ ଓଡ଼ିଶା ପ୍ରଶଂସନୀୟ ଆରମ୍ଭ କରିଥିଲେ ମଧ୍ୟ ତାହାକୁ ଦ୍ବିତୀୟ ଦିନରେ ଜାରି ରଖି ପାରିନି।
ଗୁଜରାଟ ବିପକ୍ଷ ଏହି ମୁକାବିଲାରେ ମଙ୍ଗଳବାର ୨୭୨/୩ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଏଥିରେ ଆଉ ମାତ୍ର ୫୨ ରନ୍ ଯୋଡ଼ି ୭ ୱିକେଟ୍ ହରାଇ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଛି।
ପୂର୍ବଦିନର ଅପରାଜିତ ବ୍ୟାଟର୍ ସନ୍ଦୀପ ପଟ୍ଟନାୟକ (୬୯, ୧୪୮ ବଲ୍, ୧୨ ଚୌକା) ନିଜ ଖାତାରେ ରନ୍ ଯୋଡ଼ିବା ପୂର୍ବରୁ ସୋମବାର ଦ୍ବିତୀୟ ଓଭର ଶେଷ ବଲ୍ରେ ଅର୍ଜନ ନାଗୱାସୱାଲିଆଙ୍କ ଦ୍ବାରା ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ।
ଏହାପୂର୍ବରୁ ସେ ଗୌରବ ଚୌଧୁରୀଙ୍କ ସହ ପଞ୍ଚମ ୱିକେଟ୍ରେ ୧୨୭ ରନ୍ ଯୋଡ଼ି ଦଳକୁ ଭଲ ସ୍ଥିତିରେ ରଖିଥିଲେ।
ତେବେ ଆଶୀର୍ବାଦ ସ୍ବାଇଁ (୨)ଙ୍କୁ ମଧ୍ୟ ନାଗୱାସୱାଲିଆ ଆଉଟ୍ କରିଦେବାରୁ ଓଡ଼ିଶା ୨୮୩/୫ରେ ସଂଘର୍ଷ କରିଥିଲା।
ଦଳୀୟ ସ୍କୋର୍ ୨୯୯ ଥିଲା ବେଳେ ଗତକାଲି ଶତକ ଅର୍ଜନ କରି ଅପରାଜିତ ଥିବା ଗୌରବ ଚୌଧୁରୀ (୧୩୭, ୨୯୮ ବଲ୍, ୧୨ ଚୌକା, ୨ ଛକା) ଆଉଟ୍ ହୋଇଯାଇଥିଲେ।
ଗୌରବଙ୍କ ଆଉଟ୍ ପରେ ଅନ୍ୟ କୌଣସି ବ୍ୟାଟର୍ ଅଧିକ ସମୟ ତିଷ୍ଟି ନ ରହିବାରୁ ଓଡ଼ିଶା ୩୨୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ପ୍ରଥମ ପଦାର୍ପଣକାରୀ ସମ୍ବିତ ବେଜଙ୍କ ପାଳି ୩୨ ବଲ୍ ୧୫ ରନରେ ସୀମିତ ରହିଯାଇଥିଲା।
ଦୁଇ ପେସାଦାର ଖେଳାଳି ନିନାଦ ରାଥୱା (୯) ଏବଂ ଲଳିତ ଯାଦବ (୦) ନିରାଶ କରିଥିଲେ।
ମାତ୍ର ୨୫ ରନ୍ ଭିତରେ ଶେଷ ୫ ୱିକେଟ୍ ହରାଇ ଓଡ଼ିଶା ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା।Advertisment ଜବାବରେ ଗୁଜରାଟକୁ ପ୍ରାରମ୍ଭିକ ଝଟକା ଦେଇଥିଲେ ରାଜେଶ ମହାନ୍ତି।
ଦଳୀୟ ଖାତା ଖୋଲିବା ପୂର୍ବରୁ ଅଭିଷେକ ଦେଶାଇ (୦)ଙ୍କୁ ତୃତୀୟ ବଲ୍ରେ ରାଜେଶ ଆଉଟ୍ କରି ଓଡ଼ିଶା ଶିବିରରେ ଖୁସି ଭରି ଦେଇଥିଲେ।
ହେଲେ ଆର୍ଯ୍ୟ ଦେଶାଇ ଓ ବେଦାନ୍ତ ତ୍ରିବେଦୀ ଉଭୟ ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରିବା ସହ ଦ୍ବିତୀୟ ୱିକେଟ୍ରେ ୧୬୪ ରନ୍ ଯୋଡ଼ି ଓଡ଼ିଶା ବୋଲରଙ୍କୁ ନୟାନ୍ତ କରିଥିଲେ।
ଆର୍ଯ୍ୟ (୯୪, ୧୦୭ ବଲ୍, ୧୧ ଚୌକା, ୩ ଛକା) ଶତକ ଆଡ଼କୁ ଗତି କରୁଥିଲା ବେଳେ ବାଦଲ ବିଶ୍ବାଳଙ୍କ ବଲ୍ରେ ୱିକେଟ୍କିପର ଆଶୀର୍ବାଦ ସ୍ବାଇଁଙ୍କ ହାତରେ ଧରାପଡ଼ି ଫେରିଥିଲେ।
ଦ୍ବିତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଗୁଜରାଟ ୨ ୱିକେଟ୍ ହରାଇ ୨୦୫ ରନ୍ କରିଛି।
ବେଦାନ୍ତ (୯୪*) ଓ ମନନ ହିଙ୍ଗରାଜିଆ (୧୩*) ତୃତୀୟ ୱିକେଟ୍ ୪୧ ରନ୍ ଯୋଡ଼ି ବ୍ୟାଟିଂ ଜାରି ରଖିଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି ୧୧୩ ଓଭରରେ-୩୨୪ (ଗୌରବ ଚୌଧୁରୀ-୧୩୭, ସନ୍ଦୀପ ପଟ୍ଟନାୟକ-୬୯, ଏମ୍ ଟି ମୁଣ୍ଡେ-୩୭, ଶୁଭ୍ରାଂଶୁ ସେନାପତି-୨୯, ଅର୍ଜନ ନାଗୱାସୱାଲିଆ-୩/୬୫, ସିଦ୍ଧାର୍ଥ ଦେଶାଇ-୨/୫୪, ଚିନ୍ତନ ଗାଜା-୨/୭୨, ହର୍ଷଲ ପଟେଲ୍-୨/୮୯)।
ଗୁଜରାଟ ପ୍ରଥମ ପାଳି ୫୫ ଓଭରରେ- ୨୦୫/୨ (ଆର୍ଯ୍ୟ ଦେଶାଇ-୯୪, ବେଦାନ୍ତ ତ୍ରିବେଦୀ-୯୪*, ମନନ ହିଙ୍ଗରାଜିଆ-୧୩*, ବାଦଲ ବିଶ୍ବାଳ-୧/୩୧, ରାଜେଶ ମହାନ୍ତି-୧/୩୬)।
ରଣଜୀ ଟ୍ରଫିକୁ ଅଣଦେଖାମୁମ୍ବାଇ: ରଣଜୀ ଟ୍ରଫି ଚାଲିଥିବା ସମୟରେ "ଭାରତ-ଏ" ଦଳକୁ ନ୍ୟୁଜିଲାଣ୍ଡ ଗସ୍ତରେ ପଠାଇବା ନିଷ୍ପତ୍ତିର ସମାଲୋଚନା କରିଛନ୍ତି ଦୁଇ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଓ ଦିଲୀପ ଭେଙ୍ଗସରକାର।
ଏହାଦ୍ୱାରା ଦେଶର ଏହି ପ୍ରମୁଖ ଘରୋଇ କ୍ରିକେଟ୍ ପ୍ରତିଯୋଗିତାର ଗୁରୁତ୍ୱ କମୁଥିବା ସେମାନେ କହିଛନ୍ତି।
ରଣଜୀ ଟ୍ରଫି ସମୟରେ ଭାରତ "ଏ" ମ୍ୟାଚ୍ ଚାଲିଥିବାରୁ ଚିନ୍ତା ପ୍ରକାଶ କରିଛନ୍ତି ଗାଭାସ୍କର।
ସେ କହିଛନ୍ତି ଯେ ରବିବାର ରଣଜୀ ଋତୁ ଆରମ୍ଭ ହୋଇଛି, କିନ୍ତୁ ସେହିଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ "ଏ" ମ୍ୟାଚ୍ ଖେଳାଯାଇଥିଲା।
ଏହା ଦ୍ବାରା କେତେକ ଖେଳାଳି ନିଜ ନିଜ ରାଜ୍ୟ ଦଳ ପାଇଁ ଖେଳିପାରି ନଥିଲେ।
ଏପରି "ଖେଳସୂଚୀ" ଯୋଗୁଁ ଘରୋଇ ପ୍ରତିଯୋଗିତାଗୁଡ଼ିକୁ ଅଣଦେଖା କରାଯାଉଛି ଏବଂ ରଣଜୀ ଟ୍ରଫିର ମାନ ମଧ୍ୟ ହ୍ରାସ ପାଉଛି ବୋଲି ସେ କହିଛନ୍ତି।
ଗାଭାସ୍କର, ଭେଙ୍ଗସରକାରଙ୍କ ସମାଲୋଚନାସେହିପରି ପ୍ରାକ୍ତନ ମୁଖ୍ୟଚୟନକର୍ତ୍ତା ଭେଙ୍ଗସରକାର କହିଛନ୍ତି, ରଣଜୀ ଟ୍ରଫି ଚାଲିଥିବାବେଳେ ଏଭଳି ଗସ୍ତ ଆୟୋଜନ କରିବା ଅଯୌକ୍ତିକ।
ରଣଜୀ ଟ୍ରଫି ଆୟୋଜନର ଆଉ ମୂଲ୍ୟ କ"ଣ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ଘରୋଇ ଋତୁ ବେଳେ ଦେଶର ଶ୍ରେଷ୍ଠ ପ୍ରଥମ ଶ୍ରେଣୀ ଖେଳାଳିଙ୍କୁ ବିଦେଶ ଗସ୍ତରେ ପଠାଯିବା ଦ୍ବାରା ରଣଜୀ ଟ୍ରଫିରେ ରନ୍ କରୁଥିବା ଓ ୱିକେଟ୍ ନେଉଥିବା ଖେଳାଳିଙ୍କ ପ୍ରଦର୍ଶନର ମୂଲ୍ୟ କମିଯାଉଛି।
ବିଦେଶୀ ପରିବେଶ ସହ ଖାପ ଖୁଆଇବା ଲକ୍ଷ୍ୟ ଥିଲେ ମୁଖ୍ୟ ଦଳକୁ ଆଗୁଆ ପଠାଇବା ଉଚିତ, ଟେଷ୍ଟ ଦଳରେ ଖେଳିବାର ସମ୍ଭାବନା ନଥିବା ଖେଳାଳିଙ୍କୁ ନୁହେଁ ବୋଲି ସେ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, ଧ୍ରୁବ ଜୁରେଲଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତ-ଏ" ଦଳ ଅକ୍ଟୋବର ୨୪ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଗସ୍ତ କରି ତିନିଟି ଚାରିଦିନିଆ ମ୍ୟାଚ୍ ଖେଳିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।