Supreme Court: ସୁପ୍ରିମ୍କୋର୍ଟ ଗଲା ଇଣ୍ଡି ମେଣ୍ଟ, ରାହୁଲ ମୁଖ୍ୟ ଆବେଦନକାରୀ: ଶୋଭାଯାତ୍ରା ଆଳରେ ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ଅନିୟମିତତା ଏବଂ ବହୁ ସଂଖ୍ୟାରେ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ଅଭିଯୋଗ ଆଣି ସୋମବାର ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି ଇଣ୍ଡି ମେଣ୍ଟର ୧୧ଜଣ ନେତା। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆବେଦନ ଆଜି ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଦିଲ୍ଲୀରେ ‘ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରା’ କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ବିରୋଧୀ ଦଳ ନେତା ଓ ଅନ୍ୟମାନଙ୍କୁ ଭେଟିବାକୁ ମନା କରିବା ସହ ଏ ନେଇ ଆବେଦନ କରିବାକୁ କହିଥିଲେ। ସୋମବାର ଆବେଦନ ହେଲେ ମଙ୍ଗଳବାର ସେ ଏହାର ଶୁଣାଣି କରିବେ ବୋଲି ଜଣାଇଥିଲେ। ତେଣୁ ମଙ୍ଗଳବାର ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି। ଏହି ଆବେଦନ ଉପରେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦିଆଯାଇଛି।
Neglect: ଟ୍ରାନ୍ସଫର୍ମର ପୋଡ଼ିବା ୪ ମାସ ବିତିଲା; ଅନ୍ଧାରରେ ଦହଗଞ୍ଜ ଗୁହିଆଶାଳ ଜୁଆଙ୍ଗ
ଏସ୍ଆଇଆର୍ ରଦ୍ଦ, ସିଇସିଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ
୬୦୦ ମିଟର ଦୂରରେ ଅଟକାଇଲା ପୁଲିସ
ସୁପ୍ରିମ୍କୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ରାହୁଲ ଗାନ୍ଧୀଙ୍କ ସମେତ ୧୦ଟି ରାଜନୈତିକ ଦଳର ୧୧ଜଣ ନେତା ଆବେଦନକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଆର୍ଜେଡି ନେତା ତେଜସ୍ୱୀ ଯାଦବ, ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ, ସିପିଆଇ(ଏମ୍) ନେତା ଏମ୍ଏ ବେବୀ, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତ୍ରୀ ମହୁଆ ମାଝୀ, ଏନ୍ସିପି (ଏସ୍ପି) ନେତ୍ରୀ ସୁପ୍ରିୟା ସୁଲେ ଏବଂ ଆଇୟୁଏମ୍ଏଲ୍ ନେତା ଇଟି ମହମ୍ମଦ ବସିର୍ ଅଛନ୍ତି। ଆବେଦନରେ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଓ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଯାଇଛି। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଉପରେ କଟକଣା ଲଗାଯାଇଥିବା ନେଇ ମଧ୍ୟ ଆବେଦନରେ ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାମାନେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଭେଟି ଏହି ପ୍ରସଙ୍ଗରେ ସ୍ମାରକପତ୍ର ଦେବାକୁ ଅନୁମତି ମାଗିଥିଲେ। କିନ୍ତୁ ଏ ସମ୍ପର୍କିତ ମାମଲା ସୁପ୍ରିମ୍କୋର୍ଟରେ ବିଚାରାଧୀନ ଥିବାରୁ ପ୍ରଧାନ ବିଚାରପତି ଭେଟିବାକୁ ମନା କରିଥିଲେ। ଏହା ବଦଳରେ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ପରେ କଂଗ୍ରେସର ଆଇନଜୀବୀ ଦଳ ଆବେଦନ ଦାଖଲ କରିଥିଲେ।
Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍ମ୍ୟାନ୍ ମାସ୍କ
ଅନ୍ୟପକ୍ଷରେ, ରାହୁଲ, ଖଡ଼ଗେ, ପ୍ରିୟଙ୍କା, ଅଖିଳେଶ ଓ ତେଜସ୍ୱୀ ଯାଦବଙ୍କ ସମେତ ବହୁ ବିରୋଧୀ ନେତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। କନ୍ଷ୍ଟିଚ୍ୟୁସନ୍ କ୍ଲବ୍ରେ ଏକାଠି ହେବା ପରେ ସେମାନେ ବାରଖମ୍ବା ରୋଡ୍ ଦେଇ ସୁପ୍ରିମ୍କୋର୍ଟ ଅଭିମୁଖେ ଯାଇଥିଲେ। ଆନ୍ଦୋଳନରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଆଇସା)ର ସଭାପତି ନେହା ବୋରା, ଯୋଗେନ୍ଦ୍ର ଯାଦବ ଓ ସୁପ୍ରିମ୍କୋର୍ଟର କିଛି ଆଇନଜୀବୀ ମଧ୍ୟ ସାମିଲ ହୋଇଥିଲେ। ତେବେ ସୁପ୍ରିମ୍କୋର୍ଟଠାରୁ ପ୍ରାୟ ୬୦୦ ମିଟର ଦୂର ଭଗବାନ ଦାସ ରୋଡ୍ରେ ପୁଲିସ ପଦଯାତ୍ରାକୁ ଅଟକାଇଥିଲା। ସେଠାରେ ବ୍ୟାରିକେଡ୍ ଲଗାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। କିଛି ନେତା ଏକ ଗାଡ଼ି ଉପରେ ଚଢ଼ି ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଏହି ପ୍ରତିବାଦ ଯୋଗୁଁ କେନ୍ଦ୍ରୀୟ ଦିଲ୍ଲୀରେ ଯାତାୟାତ ପ୍ରଭାବିତ ହୋଇଛି। ରାଜୀବ ଚୌକ୍ ଓ ପଟେଲ ଚୌକ୍ ସମେତ ୬ଟି ମେଟ୍ରୋ ଷ୍ଟେସନ୍ରେ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଏହି ସମୟରେ ଆମ୍ ଆଦମୀ ପାର୍ଟିର ନେତା ସୌରଭ ଭରଦ୍ୱାଜ, ସଞ୍ଜୟ ସିଂହ ଓ ଗୋପାଳ ରାୟଙ୍କ ସମେତ କିଛି ନେତା ମଧ୍ୟ ପୃଥକ୍ ପ୍ରତିବାଦ କରିଥିଲେ। ସେମାନେ କନ୍ନଟ୍ ପ୍ଲେସ୍ ଅଭିମୁଖେ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ନିର୍ବାଚନ କମିସନଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଏହା ସହିତ ଆହୁରି ତୀବ୍ର ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।