Rare Animal Virus Found in Human: ମଣିଷ ଶରୀରରେ ଚିହ୍ନଟ ହେଲା ପଶୁଙ୍କୁ ସଂକ୍ରମିତ କରୁଥିବା Shamonda ଭାଇରସ୍, ଜଣେ ରୋଗୀଙ୍କ ମୃତ୍ୟୁ
ପଶୁଙ୍କୁ ସଂକ୍ରମିତ କରୁଥିବା ଏକ ଭାଇରସ୍ ଏବେ ମଣିଷ ଶରୀରରେ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷଠାରେ Shamonda ଭାଇରସ୍ ଚିହ୍ନଟ ହୋଇଥିବା ଅଧିକାରୀମାନେ କହିଛନ୍ତି। ଏହି ସଂକ୍ରମଣରେ ଆକ୍ରାନ୍ତ ରୋଗୀଙ୍କର ଅକ୍ଟୋବର ପ୍ରାରମ୍ଭରେ ଲିଓନ୍ ସହରରେ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନର ତଥ୍ୟ ଅନୁସାରେ ସାଧାରଣ ଲୋକଙ୍କ ପାଇଁ କୌଣସି ସ୍ୱାସ୍ଥ୍ୟ ବିପଦ ଚିହ୍ନଟ ହୋଇନାହିଁ ବୋଲି ଫ୍ରାନ୍ସ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
କେମିତି ମଣିଷ ଶରୀରକୁ ଆସିଲା ଭାଇରସ୍?
ଫ୍ରାନ୍ସ କୃଷି ମନ୍ତ୍ରଣାଳୟର ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ଅନ୍ୟ ଏକ ଗୁରୁତର ରୋଗର ଚିକିତ୍ସା କରାଉଥିଲେ। ତାଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଅତ୍ୟନ୍ତ ଦୁର୍ବଳ ଥିଲା। ମୃତ୍ୟୁ ପୂର୍ବରୁ ତାଙ୍କ ମସ୍ତିଷ୍କରେ ଦେଖାଦେଇଥିବା ଜଟିଳତା Shamonda ଭାଇରସ୍ ସଂକ୍ରମଣ ସହ ଜଡ଼ିତ ଥିବାର ସମ୍ଭାବନା ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ପ୍ରାଥମିକ ଅନୁମାନ ଅନୁଯାୟୀ, ପୂର୍ବ ଫ୍ରାନ୍ସରେ ଏକ ସଂକ୍ରମିତ କୀଟ କାମୁଡ଼ିବା ଦ୍ୱାରା ରୋଗୀ ଆକ୍ରାନ୍ତ ହୋଇଥାଇପାରନ୍ତି। ଏହି ଭାଇରସ୍ ସଂକ୍ରମଣରେ Culicoides ନାମକ ଏକ କ୍ଷୁଦ୍ର କୀଟର ଭୂମିକା ଥାଇପାରେ। ତେବେ ସଂକ୍ରମଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏନେଇ ଲାବୋରେଟୋରୀ, ଚିକିତ୍ସା ଓ ମହାମାରୀ ସମ୍ବନ୍ଧୀୟ ତଦନ୍ତ ଜାରି ରହିଛି।
କ’ଣ ଏହି Shamonda ଭାଇରସ୍?
Shamonda ଭାଇରସ୍ ହେଉଛି Orthobunyavirus ଗୋଷ୍ଠୀର ଏକ କୀଟବାହିତ ଭାଇରସ୍। ଏହା ମୁଖ୍ୟତଃ ଗାଈ ଓ ଅନ୍ୟ ଗୃହପାଳିତ ପଶୁଙ୍କୁ ସଂକ୍ରମିତ କରିଥାଏ। ୧୯୬୦ ଦଶକର ମଧ୍ୟଭାଗରେ ନାଇଜେରିଆରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା। ପରବର୍ତ୍ତୀ ସମୟରେ ଆଫ୍ରିକାର କିଛି ଅଞ୍ଚଳ ଏବଂ ଜାପାନରେ ପଶୁଙ୍କଠାରେ ଏହା ଦେଖିବାକୁ ମିଳିଥିଲା।
ଗାଈଙ୍କଠାରେ ଏହି ଭାଇରସ୍ ସଂକ୍ରମଣ ହେଲେ ଜ୍ୱର, ଦୁର୍ବଳତା ଓ ଝାଡ଼ା ଭଳି ଲକ୍ଷଣ ଦେଖାଦେଇପାରେ। ଦୁଗ୍ଧ ଦେଉଥିବା ଗାଈଙ୍କ କ୍ଷେତ୍ରରେ କ୍ଷୀର ଉତ୍ପାଦନ ମଧ୍ୟ କମିପାରେ।
ୟୁରୋପରେ ବଢ଼ିଛି ଆଲର୍ଟ
ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ପଶ୍ଚିମ ୟୁରୋପରେ ପ୍ରଥମ ଥର ପାଇଁ Shamonda ଭାଇରସ୍ ଚିହ୍ନଟ ହୋଇଥିଲା। ଜର୍ମାନୀର ଦକ୍ଷିଣ ଅଞ୍ଚଳ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡରେ ପଶୁଙ୍କଠାରେ ଏହା ଚିହ୍ନଟ ହୋଇଥିବା ରିପୋର୍ଟ ରହିଛି।
ଫ୍ରାନ୍ସର ଏହି ମାମଲା ପରେ କର୍ତ୍ତୃପକ୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏବଂ ୟୁରୋପୀୟ ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ECDC) ସହ ଯୋଗାଯୋଗରେ ଅଛନ୍ତି।
ଏଯାଏଁ ମିଳିଥିବା ତଥ୍ୟ ଅନୁସାରେ ସାଧାରଣ ଲୋକଙ୍କ ପାଇଁ କୌଣସି ବିପଦ ଚିହ୍ନଟ ହୋଇନାହିଁ। ଏହା ଏକ ବିରଳ ମାମଲା ବୋଲି ଫ୍ରାନ୍ସ କର୍ତ୍ତୃପକ୍ଷ କହିଥିବାବେଳେ, ଭାଇରସ୍ କିପରି ମଣିଷ ଶରୀରକୁ ପ୍ରବେଶ କଲା ଏବଂ ଏହାର ପ୍ରଭାବ କ’ଣ ଥିଲା, ସେନେଇ ଗବେଷଣା ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।