ଚାପ ଖେଳି ମେଲାଣି ନେଲେ ମା'ଜଗତ୍ଜନନୀ

Oct 22, 2026 - 16:29
ଚାପ ଖେଳି ମେଲାଣି ନେଲେ ମା'ଜଗତ୍ଜନନୀ

କେନ୍ଦ୍ରାପଡା :  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ମା' ଜଗତ୍ଜନନୀଙ୍କ ନିଆରା ଭସାଣି । ଚାପ ଖେଳି ମେଲାଣି ନେଇଥାନ୍ତି ମା' ଦୁର୍ଗା । ମା'ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ହଂସୁଆରେ ସୁସଜ୍ଜିତ ଡଙ୍ଗା ଉପରେ ବସାଇ ଚାପ ଖେଳାଯାଏ । ଗତକାଲି ରାଜନଗର ଦେବୀ ଘରେ ମା’ ଦୁର୍ଗାଙ୍କର ଜୟା, ବିଜୟା ଓ ଅପରାଜିତା ପୂଜା ସହିତ ବିସର୍ଜନ ପୂଜା ଅନୁଷ୍ଠିତ ହୋଇଥିଲା । ନଦୀ ବକ୍ଷରେ ମା'ଙ୍କ ଏହି ଜଳଯାତ୍ରା ବା ଭସାଣି ଶୋଭାଯାତ୍ରା ସମୟରେ ଚତୁର୍ଦ୍ଦିଗ ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠେ ।

ପରମ୍ପରା ଅନୁଯାୟୀ ଗୋପାଳ ସଂପ୍ରଦାୟର ଲୋକେ ମା'ଙ୍କୁ କାନ୍ଧରେ ବୋହି ରାଜନଗର ବଜାର ପରିକ୍ରମା କରି ହଂସୁଆ ନଦୀ କୂଳରେ ପହଁଚାଇଥିଲେ । ଘଂଟଘଂଟା ଓ ପାରମ୍ପାରିକ ବାଦ୍ୟ ସହିତ ହରିବୋଲ ହୁଳହୁଳି ଧ୍ୱନୀରେ ମା’ଙ୍କୁ ମେଲାଣି ଦିଆଯାଇଛି । ହଂସୁଆ ନଦୀରେ ଥିବା ସୁସଜ୍ଜିତ ନୌକାରେ ମା’ ବସି ସାତ ଘେରା ଚାପ ଖେଳିଥିଲେ । ମାଆ ନଦୀରେ ସାତ ଘେରା ଚାପ ଖେଳିବା ପରେ ମେଲାଣି ନେଇଛନ୍ତି । ମା’ ଦୁର୍ଗାଙ୍କ ସହିତ ଗଳିଦାଣ୍ଡର ବନଦୁର୍ଗା, ସାନବଡଗୋପାଳପୁରର ମା’ଶାରଳା, ମାଛ ମାର୍କେଟର ମା’ଗଙ୍ଗାମାତା ଓ ପୁରୁଣା ବଜାରର ହରଗୌରୀ, ଘାଟଗଳିର ସାଇବାବାଙ୍କ ମୃଣ୍ମୟ ମୂର୍ତିକୁ ସୁସଜ୍ଜିତ ନୌକାରେ ଚାପଖେଳ ମାଧ୍ୟମରେ ମେଲାଣି ଦିଆଯାଇଛି । ସାରା ଓଡିଶାରେ ବିରଳ ଏହି ଜଳପଥରେ ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।