Ration rice: ରାସନ ଚାଉଳରେ ଚଳୁଛି ସଂସାର: ଦୁଇପିଲା ଓ ବାପା ସମସ୍ତେ ଦିବ୍ୟାଙ୍ଗ, ଚିକିତ୍ସାରେ ବାଧକ ସାଜିଛି ଦାରିଦ୍ର୍ୟ
କୋରେଇ: ବିଛଣାରେ ପଡ଼ିରହି କେବଳ ଉପରକୁ ଚାହିଁ ରହିଛି ୯ ବର୍ଷର ପୁଅ। ନା କିଛି ଶୁଣିପାରୁଛି ନା ଜାଣିପାରୁଛି। ତା’ ପାଖରେ ଗୁରୁଣ୍ତିଗୁରୁଣ୍ତି ଯାଇ ବସିପଡ଼ୁଛି ୨ ବର୍ଷର କୁନି ଭଉଣୀ। ଏଣେତେଣେ ଚାହୁଁଛି, କେତେବେଳେ ଭାଇ ମୁହଁକୁ ବଲବଲ କରି ଅନେଇ ରହୁଛି। ଅଜଣା ରୋଗରେ ପୀଡ଼ିତ ଦୁଇପିଲାଙ୍କ ଏଭଳି ଅବସ୍ଥା ଦେଖି ଆଖିରୁ ଲୁହ ଝରାଉଛନ୍ତି ଅସହାୟ ବାପା, ମା’। ସେ ବି କିଛି କହି ପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ଦୁଇ ପିଲାଙ୍କ ସହିତ ବାପା ମଧ୍ୟ ଜନ୍ମରୁ ଦିବ୍ୟାଙ୍ଗ। ରୋଜଗାର କରିବାକୁ କେହି ନାହିଁ। ଓଳିଏ ଖାଇଲେ ଓଳିଏ ଉପାସ। କେବଳ ସରକାରଙ୍କଠାରୁ ମିଳୁଥିବା ରାସନ ଚାଉଳ ସେମାନଙ୍କର ସାହା ଭରସା। ଯାଜପୁର କୋରେଇ ବ୍ଲକ୍ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗାଁରେ ଦେଖିବାକୁ ମିଳିଛି ଏଭଳି କରୁଣ ଚିତ୍ର।
SHG: ପୁରୀର ୫୦ ମହିଳା ଏସଏଚଜିକୁ ‘ମହିଳା ଅନୁକୂଳ ନଡ଼ିଆ କତା ଛଡ଼ାଇବା ଯନ୍ତ୍ର’ ସହାୟତା
ଦୁଇପିଲା ଓ ବାପା ସମସ୍ତେ ଦିବ୍ୟାଙ୍ଗ
ଚିକିତ୍ସାରେ ବାଧକ ସାଜିଛି ଦାରିଦ୍ର୍ୟ
ଗ୍ରାଉଣ୍ଡ ଜିରୋରୁ ବିରଞ୍ଚି ନାରାୟଣ ଖୁଣ୍ଟିଆ
ଏହି ଗ୍ରାମର ହୃଷୀକେଶ ଅଧିକାରୀ (୩୦) ଜନ୍ମରୁ ଦିବ୍ୟାଙ୍ଗ। ସେ ଶୁଣିପାରନ୍ତି ନାହିଁ କି କଥା କହି ପାରନ୍ତିନି। ବଡ଼ ହେବା ପରେ ହୃଷୀକେଶ ଅନ୍ୟ କାମଧନ୍ଦା କରୁଥିଲେ। ବେଶୀ ପାଠ ପଢ଼ିନଥିଲେ ମଧ୍ୟ ରୋଷେଇ କାମରେ ଥିଲେ ନିପୁଣ। ବିଭିନ୍ନ ସାମାଜିକ ଉତ୍ସବରେ ଭୋଜିଭାତ ପାଇଁ ତାଙ୍କୁ ରୋଷେଇ କରିବାକୁ ଲୋକେ ଡାକୁଥିଲେ। ଶ୍ରବଣବାଧିତ ହୃଷୀକେଶ ଠାରରେ ସବୁ ବୁଝିଥାନ୍ତି। ୫ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା ପ୍ରୀତିମୟୀଙ୍କ ସହିତ। ବିବାହର ବର୍ଷକ ପରେ ବଡ଼ପୁଅ ଜନ୍ମ ହୋଇଥିଲା। ହେଲେ ଜନ୍ମରୁ ପିଲାଟିକୁ କିଛି ଶୁଭୁନଥିଲା। ବଡ଼ ହେବା ପରେ ପୁଅ ଜଣେ ଦିବ୍ୟାଙ୍ଗ ବୋଲି ଡାକ୍ତର କହିଥିଲେ। ସ୍ବଳ୍ପ ରୋଜଗାରରେ ବାପାମା’ ବହୁଆଡ଼େ ବୁଲିବୁଲି ପୁଅର ଚିକିତ୍ସା କରାଇଥିଲେ। ହେଲେ ଫଳ କିଛି ହେଲାନି। କିଛିଦିନ ପରେ ଝିଅଟି ଜନ୍ମ ହୋଇଥିଲା। ସେ ମଧ୍ୟ ଦିବ୍ୟାଙ୍ଗ ହୋଇ ଭୂମିଷ୍ଠ ହୋଇଥିଲା, ଯିଏକି ଜନ୍ମରୁ କଥା କହିପାରୁନି। ଦିନକୁ ଦିନ ହୃଷୀକେଶଙ୍କ ରୋଜଗାର କମୁଥିବାବେଳେ ଦୁଇପିଲାଙ୍କ ବୋଝ ବଢ଼ି ଚାଲିଥିଲା। ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷିବାକୁ କେବଳ ମିଳୁଥିବା ୨୦ କେଜି ରାସନ ଚାଉଳ ହିଁ ଭରସା। ହୃଷୀକେଶ ପିଲାଙ୍କୁ ନେଇ ଯାଜପୁରରୁ ଆରମ୍ଭ କରି କଟକ ଓ ଭୁବନେଶ୍ବରରେ ବହୁ ଡାକ୍ତରଙ୍କୁ ଦେଖାଇଲେଣି। ଘରୋଇ ଚିକିତ୍ସା ମଧ୍ୟ କଲେଣି। ହେଲେ ସବୁ ନିଷ୍ଫଳ। ମା’ ପ୍ରୀତିମୟୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଅନ୍ୟ ପିଲାମାନେ ଗାଁ ଦାଣ୍ତରେ ଖେଳୁଥିବାବେଳେ ତାଙ୍କର ୨ଟି ଯାକ ପିଲା ବିଛଣାରେ ପଡ଼ି ରହିଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି। ଅନ୍ୟପକ୍ଷରେ ମୁଣ୍ତ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ। ସ୍ବାମୀଙ୍କ ସ୍ବଳ୍ପ ରୋଜଗାରରେ ଟାଇଲ ଛପର ଘରଟିଏ ତିଆରି କରିଛନ୍ତି। ସେଠାରେ ପୂରା ପରିବାର ମୁଣ୍ତ ଗୁଞ୍ଜିବା ସହିତ ରୋଷେଇ କରନ୍ତି। ହୃଷୀକେଶ ଯାହା ରୋଜଗାର କରନ୍ତି ତାହା ଦୁଇପିଲାଙ୍କ ଚିକିତ୍ସାରେ ଖର୍ଚ୍ଚ ହେଉଛି।
Protest: ବାରିକେଡ୍ ଉପରକୁ ଚଢ଼ିଗଲେ ରାହୁଲ ଗାନ୍ଧୀ, ଅଭିଷେକ ବାନାର୍ଜୀ
କଥା କହି ପାରୁନଥିବାରୁ ଏବେ ଲୋକମାନେ ତାଙ୍କୁ ଆଉ ମୁଖ୍ୟ ରୋଷେୟା ଭାବେ ଡାକୁ ନାହାନ୍ତି। କିଛି ରୋଷେୟାଙ୍କ ସହିତ ଟହଲିଆ ଭାବେ କାମ କରୁଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି। ଦୁଇ ଦିବ୍ୟାଙ୍ଗ ପିଲା ଓ ସ୍ବାମୀଙ୍କୁ ଧରି ପ୍ରୀତିମୟୀ ଦୁଃଖକଷ୍ଟରେ ପରିବାର ଚଳାଉଥିବାବେଳେ ସରକାରୀ ସହାୟତା ମିଳିଲେ ପିଲାଙ୍କ ଚିକିତ୍ସା କରାନ୍ତେ ବୋଲି ବାଷ୍ପରୁଦ୍ଧ ସ୍ବରରେ କହିଛନ୍ତି। ଅନେକଥର ଜିଲ୍ଲାପାଳଙ୍କ ଜନଶୁଣାଣିରେ ସେ ଦରଖାସ୍ତ କରିବା ସହ ବିଡିଓଙ୍କୁ ଗୁହାରି ମଧ୍ୟ କରିଛନ୍ତି। ତଥାପି ସମ୍ବେଦନଶୀଳ ହୋଇନି ପ୍ରଶାସନ। ଏ ସଂପର୍କରେ କୋରେଇ ବିଡିଓ ଅବନୀକାନ୍ତ ସାହୁଙ୍କୁ ପଚାରିବାରୁ ଖୁବ୍ଶୀଘ୍ର ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ଦିଆଯିବା ସହିତ ଜିଲ୍ଲାପାଳଙ୍କ ରେଡ୍କ୍ରସ ପାଣ୍ଠିରୁ ପିଲାଙ୍କ ଚିକିତ୍ସା ପାଇଁ ଅର୍ଥ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।