SIR Controversy: ଏସ୍ଆଇଆର୍ ବିବାଦ: ୮ରେ ‘ଇଣ୍ଡି’ ମେଣ୍ଟର ଓଡ଼ିଶା ବନ୍ଦ. ଅତ୍ୟାବଶ୍ୟକ ସେବାକୁ ବନ୍ଦ ପାଳନରୁ ବାଦ୍ ଦିଆଯିବ
ଭୁବନେଶ୍ବର: ଆସନ୍ତା ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ଆଜି କଂଗ୍ରେସ ଭବନରେ ‘ଇଣ୍ଡି’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବନ୍ଦର ଚୂଡ଼ାନ୍ତ ପ୍ରସ୍ତୁତି, ଜିଲ୍ଲା ଓ ବ୍ଲକ ସ୍ତରରେ ସମନ୍ୱୟ, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ ଓ ସମସ୍ତ ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଶକ୍ତିଙ୍କୁ ସାମିଲ କରିବା ପାଇଁ ଆହ୍ୱାନ ଦିଆଯାଇଛି।
Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା
ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିପିଆଇ, ସିପିଆଇଏମ୍, ସିପିଆଇଏମ୍ଏଲ୍, ଫରୱାର୍ଡ ବ୍ଲକ, ଏନ୍ସିପି (ଶରଦ ପାୱାର), ସମାଜବାଦୀ ପାର୍ଟି, ଆର୍ଜେଡି ଓ ଜେଏମ୍ଏମ୍ ସମେତ ଅନ୍ୟ ଅଂଶୀଦାର ଦଳର ନେତୃବୃନ୍ଦ ଯୋଗ ଦେଇଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଗଣତାନ୍ତ୍ରିକ ଅଧିକାର ଓ ସ୍ୱାର୍ଥ, ଲୋକଙ୍କ ଅଧିକାର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏହି ବନ୍ଦ ଆହ୍ୱାନ କରାଯାଇଛି। ଏହାସହ ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବରଖାସ୍ତ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତ ସମସ୍ତ ଲୋକଙ୍କୁ ତୁରନ୍ତ ରିଲିଫ୍ ଓ ପୁନର୍ବାସ ସହାୟତା ଯୋଗାଇବା ପାଇଁ ବନ୍ଦ ପାଳନରେ ଦାବି କରାଯିବ।
ତେବେ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ବନ୍ଦପାଳନ କରିବା ଲାଗି ‘ଇଣ୍ଡି’ ମେଣ୍ଟ ପକ୍ଷରୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦିଆଯାଇଛି। ବନ୍ଦ ସମୟରେ ବସ୍, ଟ୍ରକ୍, ସାଧାରଣ ପରିବହନ, ବ୍ୟାବସାୟିକ ପ୍ରତିଷ୍ଠାନ, ଅଦାଲତ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ନିବେଦନ କରାଯାଇଛି। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ।
Protest: ଜ୍ଞାନେଶଙ୍କ ଗିରଫ ଦାବିରେ ଇଣ୍ଡି ମଂଟର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ
ବୈଠକରେ ସିପିଆଇ ରାଜ୍ୟ ସଂପାଦକ ପ୍ରଶାନ୍ତ ମିଶ୍ର, ସିପିଆଇଏମ୍ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇଏମ୍ଏଲ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଏନ୍ସିପି (ଶରଦ ପାୱାର) ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସ୍ପି ରାଜ୍ୟ ସାଧାରଣ ସମ୍ପାଦକ ରମାକାନ୍ତ ହାତୀ, ଆରଜେଡି ସାଧାରଣ ସମ୍ପାଦକ ହେମନ୍ତ କୁମାରଙ୍କ ସମେତ ଜୟନ୍ତ ଦାସ, ବଦ୍ରିନାରାୟଣ ଦାଶ, ସିଦ୍ଧାର୍ଥ ସ୍ୱରୂପ ଦାସ ଓ ଅରବିନ୍ଦ ଦାସ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।