Ravenshaw Dispute Continues: ୪ ଦିନ ପରେ ବି ଫିଟୁନି ସମାଧାନର ବାଟ, ବିଧାୟକଙ୍କ କ୍ଷମା ଦାବିରେ ଅଟଳ ୱାର୍ଡେନ୍ ସଂଘ
ରେଭେନ୍ସା ୟୁନିଭର୍ସିଟିରେ ଶିକ୍ଷକ ଓ ବିଧାୟକ ବିବାଦ ଜଟିଳ ରୂପ ନେଇଛି। ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ବନାମ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମଧ୍ୟରେ ବିବାଦକୁ ୪ ଦିନ ବିତିଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିପାରୁନି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ଗତ ୩ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ହଷ୍ଟେଲ ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିବା ବିବାଦର କେବେ ପଡ଼ିବ ପୂର୍ଣ୍ଣଛେଦ? ଆନ୍ଦୋଳନ ସ୍ଥଳରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଓ ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କ ମଧ୍ୟରେ ବାକ୍ ବିତଣ୍ଡା ଯୋଗୁଁ ବଢିଛି ବିବାଦ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ ଓ କଟକ ସଦର ବିଧାୟକ ପ୍ରକାଶ ସେଠୀ। କିଏ କାହାକୁ ଦୁର୍ବ୍ୟବହାର କଲା, ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।
ଉଭୟ ପକ୍ଷ ନିଜ ନିଜ ଅଭିଯୋଗରେ ଅଟଳ ଥିବାରୁ ବିବାଦର ସମାଧାନ ବାଟ କେମିତି ବାହାରିବ କାହାକୁ ଜଣାନାହିଁ। ଏନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଚାମ୍ବରରେ ଶିକ୍ଷକ ସଂଘର ଆଭ୍ୟନ୍ତରୀଣ ବୈଠକ ବସିଥିଲା। ଘଟଣାର ସମାଧାନ ପାଇଁ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିନାହିଁ। ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ୧୩ଟି ହଷ୍ଟେଲର ସମସ୍ତ ୱାର୍ଡେନ ଓ ଡେପୁଟି ୱାର୍ଡେନ ସାମୂହିକ ଇସ୍ତଫା ଦେଇଛନ୍ତି। ୱାର୍ଡେନ ସଂଘ ପଦଯାତ୍ରା କରି କୁଳପତିଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରିଛି। ସେମାନଙ୍କର ଦାବି, ବିଧାୟକ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ବନ୍ଦ ହେଉ।
ଅନ୍ୟପଟେ ନିଜ ଆଭିମୁଖ୍ୟରୁ ଓହରିବାକୁ ନାରାଜ ବିଧାୟକ ପ୍ରକାଶ ସେଠୀ। ସେ କାହାକୁ ଦୁର୍ବ୍ୟବହାର କରିନାହାନ୍ତି। ବରଂ ଜଣେ ଜନପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯାଇଛି ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଧାୟକ। ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଭାବେ ସମସ୍ୟାର ସମାଧାନ ପାଇଁ ଯାଇଥିବାବେଳେ ଏଭଳି ବ୍ୟବହାର ଗ୍ରହଣୀୟ କି ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ବିଧାନସଭା ବାଚସ୍ପତି ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଚିଫ୍ ୱାର୍ଡେନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ। ସେପଟେ ଶିକ୍ଷାବିତ୍ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବଢୁଥିବା ରାଜନୈତିକ ହସ୍ତକ୍ଷେପ ଶୈକ୍ଷିକ ପରିବେଶକୁ କ୍ଷତିଗ୍ରସ୍ତ କରୁଛି। ଶୀଘ୍ର ସମାଧାନ ନହେଲେ ଏହାର ପ୍ରଭାବ ପାଠପଢ଼ା ଓ ହଷ୍ଟେଲ ପରିଚାଳନା ଉପରେ ପଡ଼ିପାରେ।
ସେପଟେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏହି ସମୟରେ ରେଭେନ୍ସା ପ୍ରସଙ୍ଗରେ ମନ୍ତ୍ରୀ, ସିଏମ୍ ଙ୍କୁ ଅବଗତ କରାଇଥିବା ଚର୍ଚ୍ଚା ହେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।