Supreme Court Exposes Judicial System Failures: ତଦନ୍ତ ତ୍ରୁଟିରେ ଜେଲରେ କଟିଗଲା ଜୀବନର ୨୨ ବର୍ଷ

Aug 06, 2026 - 20:16
Supreme Court Exposes Judicial System Failures: ତଦନ୍ତ ତ୍ରୁଟିରେ ଜେଲରେ କଟିଗଲା ଜୀବନର ୨୨ ବର୍ଷ

ହଜିଗଲା ଯୌବନ, ମରିଗଲା ସ୍ୱପ୍ନ। ବିନା ଦୋଷରେ ଯିବାକୁ ପଡ଼ିଲା ୨୨ ବର୍ଷ ଜେଲ୍। ନବରଙ୍ଗପୁରର ଅର୍ଜୁନ ଜାନିଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ପରେ ଆଇନ ବ୍ୟବସ୍ଥାର ଭିତିରି କଥାକୁ ନେଇ ଜୋରଦାର ଚର୍ଚ୍ଚା। ୨୨ ବର୍ଷ ପରେ ମୁକ୍ତ ଭାବେ ଜେଲ୍ ବାହାରେ ପାଦ ପଡ଼ିଛି। କାରଣ ସିଏ ଦୋଷ କରିନଥିଲେ...କିନ୍ତୁ ଦଣ୍ଡ ଭୋଗିଲେ। ପ୍ରମାଣ ନଥିଲା...ତଥାପି ୨୨ ବର୍ଷ ଜେଲ୍। ନାଁ- ଅର୍ଜୁନ ଜାନି। ଘର- ନବରଙ୍ଗପୁର ଥାନା ହିର୍ଲି ଗାଁ। ଇତିହାସର କାନ୍ଥରେ ସେଦିନ ଥାଏ ୨୦୦୪ । ତିନି ତିନି ଜଣ ମହିଳାଙ୍କର ହୋଇଯାଇଥିଲା ବୀଭତ୍ସ ହତ୍ୟା। ସନ୍ଦେହର ଆଙ୍ଗୁଠି ଉଠିଥିଲା ସିଧା ଅର୍ଜୁନଙ୍କ ଉପରକୁ। ଜଣେ  ପ୍ରତ୍ୟକ୍ଷଦର୍ଶୀଙ୍କ ଆଧାରରେ ପୋଲିସ ତାଙ୍କୁ ଗିରଫ କଲା। ଅର୍ଜୁନଙ୍କ ଅଭିଯୋଗ, ଥାର୍ଡ ଡିଗ୍ରୀ ଦେଇ ସ୍ୱୀକାରୋକ୍ତି ଆଦାୟ କରାଯାଇଥିଲା। ପରେ ନିମ୍ନ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। ହାଇକୋର୍ଟରେ ଅପିଲକୁ ମଧ୍ୟ ବିଳମ୍ବ ଦର୍ଶାଇ ଖାରଜ ହୋଇଗଲା। ଆଉ ଏହାରି ଭିତରେ ଜେଲ୍ ଭିତରେ କଟିଗଲା ଜୀବନର ୨୨ଟି ମୂଲ୍ୟବାନ ବର୍ଷ। ହେଲେ ଶେଷରେ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ବଦଳିଗଲା ମାମଲାର ଚିତ୍ର। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି, ଏକମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ବିଶ୍ୱସନୀୟ ନୁହେଁ। ପ୍ରମାଣର ଅଭାବ ସତ୍ତ୍ୱେ ଜଣେ ମଣିଷଙ୍କୁ ୨୨ ବର୍ଷ ଜେଲ୍ ରେ ରଖାଯିବାକୁ ସୁପ୍ରିମକୋର୍ଟ ନ୍ୟାୟ ବ୍ୟବସ୍ଥାର ସାମୂହିକ ବିଫଳତା ବୋଲି ବର୍ଣ୍ଣନା କରିବା ସହିତ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ରାୟ ଉପରେ କଠୋର ଟିପ୍ପଣୀ କରିଛନ୍ତି। ଏଥିସହିତ ଅର୍ଜୁନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଅର୍ଜୁନ ଜାନିଙ୍କୁ ନ୍ୟାୟ ମିଳିଛି...କିନ୍ତୁ ଢେର୍ ବିଳମ୍ବରେ। ଜେଲ୍ ର କାନ୍ଥ ଭିତରେ କେବଳ ୨୨ ବର୍ଷ ନୁହେଁ...ଅର୍ଜୁନଙ୍କର ଯୌବନ ଓ ଜୀବନର ସବୁଠୁ ମୂଲ୍ୟବାନ ସମୟ ହଜିଯାଇଛି । ସେ ଜେଲରୁ ବାହାରିଛନ୍ତି ସତ, ହେଲେ ପ୍ରଶ୍ନ, ହଜିଯାଇଥିବା ୨୨ ବର୍ଷର ହିସାବ ଦେବ କିଏ ? କୁଆଡ଼େ ଗଲା ଶହେ ଦୋଷୀ ଖସିଯାଆନ୍ତୁ ପଛେ ଜଣେ ବି ନିର୍ଦ୍ଦୋଷ ଦଣ୍ଡ ନପାଉର ନାରା? ଅର୍ଜୁନଙ୍କ କାରାବାସ ପଛର ଦୋଷୀ କିଏ ? କେବଳ ସନ୍ଦେହ, ଦୁର୍ବଳ ସାକ୍ଷ୍ୟ ଏବଂ ତଦନ୍ତର ତ୍ରୁଟି ପାଇଁ ଜଣେ ବ୍ୟକ୍ତି ୨୨ ବର୍ଷ ଜେଲ୍ ଭିତରେ ରହିଲେ। ଅର୍ଜୁନଙ୍କ ମାମଲା ପୋଲିସର ତଦନ୍ତ, ଆଇନଗତ ସହାୟତା, ଅଦାଲତର ଦାୟିତ୍ୱ ଓ ମାନବାଧିକାର ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏପଟେ ତାଙ୍କ ପୁନର୍ବାସ ଏବଂ ସାମାଜିକ ଓ ଆର୍ଥିକ ସହାୟତା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

ଯେଉଁ ସମୟରେ ଭବିଷ୍ୟତ ଗଢ଼ିବା କଥା, ସେହି ସମୟ କଟିଗଲା ଜେଲ୍ ର ଚାରିକାନ୍ଥ ଭିତରେ। ଅର୍ଜୁନ ଜାନିଙ୍କ ହଜିଯାଇଥିବା ସମୟ ଆଉ କେବେ ଫେରିବ ନାହିଁ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ଭବିଷ୍ୟତରେ ନିର୍ଦ୍ଦୋଷ ଯେପରି ଏଭଳି ଅନ୍ୟାୟର ଶିକାର ନହୁଅନ୍ତି, ସେଥିପାଇଁ ଏକ କଡ଼ା ବାର୍ତ୍ତା ହୋଇ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।