RAW allegations: ବାଂଲାଦେଶର ପୂର୍ବତନ ବାୟୁସେନା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା
ଢାକା: ବାଂଲାଦେଶର ପୂର୍ବତନ ବାୟୁସେନା ଅଧିକାରୀ କେଏମ୍ ତାହସିଫ୍ ସୌରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ୨୮ ବର୍ଷୀୟ ସୌରୀଙ୍କ ମୃତଦେହ ଅକ୍ଟୋବର ୨୮ରେ ଢାକାର ତୁରାଗ୍ ନଦୀରୁ ଉଦ୍ଧାର କରାଯାଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ସେ ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ଏହାକୁ ହତ୍ୟା ବୋଲି ସନ୍ଦେହ କରୁଥିବାବେଳେ ପୁଲିସ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ସୌରୀଙ୍କ ମୃତ୍ୟୁ ପରେ ୨୦୨୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବାଂଲାଦେଶ ଛାଡ଼ିବା ସମୟର ଏକ ଭିଡିଓକୁ ନେଇ ତାଙ୍କ ସହ ଜଡ଼ିତ ବିବାଦ ପୁଣି ସାମ୍ନାକୁ ଆସିଛି। ଏହି ଭିଡିଓ ରେକର୍ଡ କରିଥିବା ବ୍ୟକ୍ତି ସୌରୀ ବୋଲି କୁହାଯାଉଥିଲା। ଏହା ପରେ ତାଙ୍କୁ ବାୟୁସେନାରୁ ବିଦା କରାଯାଇଥିଲା ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ସହ ସମ୍ପର୍କ ଥିବା ଅଭିଯୋଗ ଉଠିଥିଲା। ‘ଅମର ଦେଶ’ ନାମକ ଏକ ଖବରକାଗଜ ଏହି ଘଟଣାର ତଦନ୍ତ ସମୟରେ ସୌରୀଙ୍କ ସମେତ ଦୁଇଜଣ ବାୟୁସେନା ଅଧିକାରୀଙ୍କର ଭାରତୀୟ ଗୁପ୍ତଚର ସଂସ୍ଥା ‘ର’ ସହ ସମ୍ପର୍କ ଥିବା ଅଭିଯୋଗ କରିଥିଲା। ତେବେ ବାଂଲାଦେଶର ସାମରିକ ଜନସମ୍ପର୍କ ନିର୍ଦ୍ଦେଶାଳୟ ଏହାକୁ ଖଣ୍ଡନ କରିଥିଲା। ଅଧିକାରୀଦ୍ୱୟଙ୍କୁ ବାୟୁସେନାର ନିୟମ ଅନୁଯାୟୀ ଭିନ୍ନ ଭିନ୍ନ କାରଣରୁ ଅବସର ଦିଆଯାଇଥିବା ଏହା କହିଥିଲା।
ଚଳିତ ବର୍ଷ ଜୁଲାଇରେ ‘ସ୍ପିକ୍ ୱିଥ୍ ରସିଦ୍’ ନାମକ ଏକ ପଡ୍କାଷ୍ଟରେ ସୌରୀ ନିଜ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ ମତ ରଖିଥିଲେ। ହସିନାଙ୍କ ଭିଡିଓ ରେକର୍ଡ କରିବା କାରଣରୁ ତାଙ୍କ ଚାକିରି ଯାଇଥିଲା କି ବୋଲି ପଚରାଯିବାରୁ ସେ ‘ହୋଇପାରେ’ ବୋଲି କହିଥିଲେ। ‘ଅମର ଦେଶ’ର ରିପୋର୍ଟକୁ ସେ ପ୍ରଚାର ଉଦ୍ଦେଶ୍ୟରେ ପ୍ରକାଶିତ ବୋଲି ଅଭିହିତ କରିଥିଲେ। ଏହି ପଡ୍କାଷ୍ଟରେ ସେ ୨୦୨୫ ଜୁଲାଇ ୨୧ରେ ଏକ ବିଦ୍ୟାଳୟ ପରିସରରେ ବାଂଲାଦେଶ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ଦୁର୍ଘଟଣାରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୭୦ରୁ ଅଧିକ ଆହତ ହୋଇଥିଲେ। ସୌରୀଙ୍କ ପିତା କହିଛନ୍ତି, ପଡ୍କାଷ୍ଟ ପ୍ରସାରିତ ହେବା ପରେ ତାଙ୍କ ପୁଅ ନିଜ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ କରୁଥିଲେ। ହସିନାଙ୍କ ପୁଅ ସାଜୀବ ୱାଜେଦ୍ ଜୟ ମଧ୍ୟ ସୌରୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ମୃତଦେହରେ ବାହ୍ୟ ଆଘାତର ଚିହ୍ନ ନଥିବା କୁହାଯାଇଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ଓ ପୁଲିସ ତଦନ୍ତର ଫଳାଫଳକୁ ଅପେକ୍ଷା କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।