Reels Shooting Accident: ରିଲ୍‌ ସୁଟିଂ ହେଲା କାଳ! ଡ୍ୟାମ୍‌ରେ ବୁଡ଼ି ୨ କଲେଜ ଛାତ୍ରୀ ମୃତ

Aug 16, 2026 - 12:42
Reels Shooting Accident: ରିଲ୍‌ ସୁଟିଂ ହେଲା କାଳ! ଡ୍ୟାମ୍‌ରେ ବୁଡ଼ି ୨ କଲେଜ ଛାତ୍ରୀ ମୃତ

ଦୁଇ ସାଙ୍ଗଙ୍କୁ ମାରିଦେଲା ସେଲ୍ଫି। ରିଲ୍ସ କଲାବେଳେ ଡ୍ୟାମରେ ବୁଡ଼ିଗଲେ କଲେଜ ପଢୁଆ ଦୁଇ ବନ୍ଧୁ। ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବତୀ ବି ମୃତ। ମହାରାଷ୍ଟ୍ରର ଯବତମାଲ ଜିଲ୍ଲାରେ ଘଟିଛି ଏହି ଘଟଣା।

ଡ୍ୟାମ ନିକଟରେ ସେଲ୍ଫି ନେବା ଏବଂ ମୋବାଇଲ୍‌ରେ ରିଲ୍ ସୁଟିଂ କରିବା ବେଳେ ପାଣିରେ ପଡ଼ି ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ବୋରଗାଓଁ ଡ୍ୟାମରେ ଏହି ଅଘଟଣ ଘଟିଥିବା ପୋଲିସ ସୂଚନା ଦେଇଛି। ସୂଚନା ଅନୁସାରେ, ଏକ ଫାର୍ମାସି କଲେଜର ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ବୋରଗାଓଁ ଡ୍ୟାମ ବୁଲିବାକୁ ଯାଇଥିଲେ। ସେଠାରେ ଏଭଳି ଅଘଟଣ ଘଟିଛି। 

ଫାର୍ମାସି କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨୧ ବର୍ଷୀୟା ମୋହିନୀ ଗୌତ୍ରେ ଏବଂ ଅମୃତା ଖେଡକର ଥିଲେ। ଯାହାଙ୍କ ଜୀବନ ଯାଇଛି। ଦୁଇଜଣ ଯାକ ଡ୍ୟାମ ଉପରେ ଠିଆ ହୋଇ ସେଲ୍ଫି ନେବା ସହ ମୋବାଇଲ୍‌ରେ ରିଲ୍ ସୁଟ୍ କରୁଥିଲେ। ସେହି ସମୟରେ ହଠାତ୍ ମୋହିନୀଙ୍କ ଗୋଡ଼ ଖସିଯିବାରୁ ସେ ଭାରସାମ୍ୟ ହରାଇ ଡ୍ୟାମ ପାଣିକୁ ଖସିପଡ଼ିଥିଲେ। ତେଣୁ ସାଙ୍ଗ ଜଣକ ପାଣିରେ ତାଙ୍କୁ ସଂଘର୍ଷ କରୁଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ଅମୃତା ତୁରନ୍ତ ପାଣିକୁ ଡେଇଁ ପଡ଼ିଥିଲେ। କିନ୍ତୁ ପାଣିର ଗଭୀରତା ଓ ପ୍ରବଳ ସ୍ରୋତ ବିଷୟରେ ଅବଗତ ନଥିବାରୁ ସେ ମଧ୍ୟ ନିଜକୁ ବଞ୍ଚାଇପାରିନଥିଲେ। 

ଦୁଇଜଣ ଛାତ୍ରୀ ଡ୍ୟାମ ପାଣିର ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ଘଟଣା ପରେ ସହପାଠୀମାନେ ତୁରନ୍ତ ସ୍ଥାନୀୟ ଗାଁ ଲୋକଙ୍କୁ ଖବର ଦେଇଥିଲେ। ପରେ ବିପର୍ଯ୍ୟୟ ପରିଚାଳନା କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଉଭୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣା ପୁଣିଥରେ ରିଲ୍ ଓ ସେଲ୍ଫି ସମୟରେ ସୁରକ୍ଷା ଉପରେ ପ୍ରାନବାଚୀ ସୃଷ୍ଟି କରିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।