Relationship Dispute Turns Serious: ପ୍ରେମ ସମ୍ପର୍କରେ ବିବାଦ, ବନ୍ଧୁକ ଦେଖାଇ ଯୁବତୀଙ୍କ ବାପାଙ୍କୁ ଉଠାଇନେଲେ
ସୁରତରେ ଏକ ଚାଞ୍ଚଲ୍ୟକର ଅପହରଣ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ତାଙ୍କ ସହ କଥା ହେବା ବନ୍ଦ କରିଦେବାରୁ ରାଗିଯାଇ ତାଙ୍କ ବାପାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ମୁଖ୍ୟ ଅଭିଯୁକ୍ତ ରିଷଭ ନାହଟାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଅକ୍ଟୋବର ୧ ତାରିଖରେ ରିଷଭ ତାଙ୍କ ଦୁଇ ବନ୍ଧୁଙ୍କ ସହ ବ୍ୟବସାୟୀଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ଯୁବତୀ ଘରେ ନଥିଲେ। ଯୁବତୀ କାହିଁକି ତାଙ୍କ ସହ କଥା ହେଉନାହାନ୍ତି, ସେନେଇ ରିଷଭ ତାଙ୍କ ବାପାଙ୍କୁ ପଚାରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ୩ ଜଣ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି।
ଘଟଣା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କ ଲୋକେସନ୍ ସୁରତର ସିଟି ଲାଇଟ୍ ଅଞ୍ଚଳରେ ଠାବ କରାଯାଇଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଧରିବା ସହ ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ ରିଷଭ ଓ ବ୍ୟବସାୟୀଙ୍କ ଝିଅଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ଥିଲା। ପରେ ଯୁବତୀ ତାଙ୍କ ସହ ସମ୍ପର୍କ ଛିନ୍ନ କରିବା ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ। ଏହାକୁ ନେଇ ରିଷଭ ଅସନ୍ତୁଷ୍ଟ ଥିବା ପୋଲିସ କହିଛି।
ପଚରାଉଚରା ସମୟରେ ରିଷଭ ଅନ୍ୟ ଜଣେ ମହିଳା ବନ୍ଧୁଙ୍କୁ ଯୁବତୀ ଫୋନରେ ଅପମାନଜନକ କଥା କହିଥିବା ଅଭିଯୋଗ କରିଥିଲେ। ଏନେଇ ସ୍ପଷ୍ଟୀକରଣ ମାଗିବାକୁ ସେ ଯୁବତୀଙ୍କ ଘରକୁ ଯାଇଥିବା ଦାବି କରିଥିବା ପୋଲିସ କହିଛି। ହେଲେ ଯୁବତୀ ଘରେ ନଥିବାରୁ ସେ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ବୋଲି ଅଭିଯୁକ୍ତ କହିଛି।
ଏହି ଘଟଣାରେ ଆଦାଜନର ଦେବ କେତନ ଅହିର ଓ ଉମରଗାମର ଲକ୍ଷ୍ମଣ ରାଠୋଡଙ୍କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ ଅନୁସାରେ, ଦେବ ରିଷଭଙ୍କ ବନ୍ଧୁ ଏବଂ ଅପହରଣରେ ବ୍ୟବହୃତ ପିସ୍ତଲ ତାଙ୍କ ପାଖରେ ଥିଲା। ଲକ୍ଷ୍ମଣ ଜଣେ ବିଲ୍ଡରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବେଳେ, ଦୁଇଜଣଙ୍କର ପୂର୍ବରୁ ଅପରାଧିକ ମାମଲା ଥିବା ପୋଲିସ କହିଛି।
ଅଭିଯୁକ୍ତଙ୍କଠାରୁ ପ୍ରାୟ ୪୧ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ଜିନିଷ ମଧ୍ୟ ପୋଲିସ ଜବତ କରିଛି। ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।